ନୂଆଦିଲ୍ଲୀ,୨୧/୦୨: ସୋସିଆଲ ମିଡିଆରେ ଅଶ୍ଳୀଳତା ରୋକିବା ଲାଗି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଆଇନ ସ୍ଥାନରେ ଏକ ନୂଆ ଆଇନ ଆଣିବେ । ଡିଜିଟାଲ ଇଣ୍ଡିଆ ଆଇନ (ଡିଆଇଏ) ନାମରେ ଏ ସଂକ୍ରାନ୍ତ ବିଲ୍ ଉପରେ କିଛି ମାସ ହେଲା ସରକାର କାର୍ଯ୍ୟ କରୁଛନ୍ତି। ନୂଆ ଆଇନରେ ୟୁଟ୍ୟୁବ, ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓ ସୋସିଆଲ ମିଡିଆ ୟୁଜର୍ସଙ୍କୁ ନିୟନ୍ତ୍ରଣ କରିବାର ପ୍ରାବଧାନ ରହିବ । ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଆଇନରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିବ । ଯେପରି ଦୂରସଂଚାର, ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ସମ୍ପର୍କିତ ବିଷୟ ଲାଗି ପୃଥକ ପ୍ରାବଧାନ କରାଯିବ । ଏଥିସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପରିଚାଳନା ଲାଗି ମଧ୍ୟ ବ୍ୟବସ୍ଥା ରହିବ ।
ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ବୟାନକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ନୂଆ ଆଇନ ଡିଜିଟାଲ ଇଣ୍ଡିଆ ବିଲ୍କୁ ଶୀଘ୍ର ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ସାଇବର ସିକ୍ୟୁରିଟି, ଡିଜିଟାଲ ଗଭର୍ଣ୍ଣାନ୍ସ ଓ ଅନ୍ଲାଇନ ସେଫ୍ଟିକୁ ନୂଆ ଆଇନର ପରିସରକୁ ଅଣାଯିବ । ତା’ଛଡା ଏଥିରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନକୁ ସୁନିଶ୍ଚିତ କରାଯିବ। ଅର୍ଥାତ ଅନ୍ଲାଇନ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରଖାଯିବାର ପ୍ରାବଧାନ ହେବ । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଠାରୁ ଏଆଇର ପରିଚାଳନା ଲାଗି ପୃଥକ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ତେବେ ପ୍ରସ୍ତାବିତ ଆଇନରେ ରହିଥିବା କେତେକ ପ୍ରାବଧାନକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି । ବିରୋଧୀଙ୍କ ଅଭିଯୋଗ ଯେ ନୂଆ ଆଇନ ମାଧ୍ୟମରେ ସରକାରଙ୍କୁ ସର୍ଭେଲାନ୍ସର ପୂର୍ଣ୍ଣ କ୍ଷମତା ମିଳିଯିବ । ଯାହାଫଳରେ ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନ ପ୍ରଚଳିତ ସୂଚନା ପ୍ରଯୁକ୍ତି ଆଇନ ୨୦୦୦ ମସିହାରେ ଅଣାଯାଇଥିଲା । ସେତେବେଳେ ଦେଶରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ୬୦ ଲକ୍ଷ ଥିଲା । ବର୍ତ୍ତମାନ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ୯୦ କୋଟିରୁ ଅଧିକ ହେଲାଣି । ଅବଶ୍ୟ ସରକାର ୨୦୨୧ରେ ସୂଚନା ପ୍ରଯୁକ୍ତି (ଇଣ୍ଟରମିଡିଆରୀ ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍) ଆଇନ ଆଣିଥିଲେ । ତାକୁ ୨୦୨୩ ଏପ୍ରିଲରେ ପରିବର୍ତ୍ତନ କରାଯାଇ ଆହୁରି କଡାକଡି କରାଯାଇଥିଲା । ୩୦ ପୃଷ୍ଠାର ଏହି କୋଡ୍ରେ ସୋସିଆଲ ମିଡିଆ, ଫିଲ୍ମ ଏବଂ ୱେବ ସିରିଜ୍ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ନିୟମ ରହିଥିଲା ।
ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କୌଣସି ବିଷୟ ବସ୍ତୁ ଆଇନ ଅନୁସାରେ ପ୍ରସାରଣ କରାଯିବ ବୋଲି ସେଥିରେ କୁହାଯାଇଥିଲା । ଏଥିସହ ସେକ୍ସ, ଦେଶ ବିରୋଧୀ ଏବଂ ମହିଳା ଓ ଶିଶୁଙ୍କ ବିରୋଧରେ କୌଣସି ବିଷୟ ବସ୍ତୁ ସାମିଲ ନ କରିବାକୁ କୁହାଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ ବାକ୍ ସ୍ୱାଧୀନତା ଓ ବିଭିନ୍ନ ଆଳ ଦେଖାଇ ସୋସିଆଲ ମିଡିଆରେ ଅଶ୍ଳୀଳ ତଥା ଆପତ୍ତିଜନକ ଦୃଶ୍ୟ ପ୍ରସାରଣ ହେଉଛି ।