ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପ୍ରଥମ ଥର ପାଇଁ ଲୋକସଭା ପହଞ୍ଚିଲେ ଇଞ୍ଜିନିୟର ରସିଦ; କହିଲେ-"ଆମର ରକ୍ତ ଶସ୍ତା ନୁହେଁ"

Published By : prameya | February 12, 2025 3:15 PM

ନୂଆଦିଲ୍ଲୀ,୧୨/୦୨: ନିକଟରେ ଜାମ୍ମୁ-କାଶ୍ମୀରରେ  ଦୁଇ ଜଣ ନାଗରିକଙ୍କ ହୋଇଥିବା ମୃତ୍ୟୁର ପୂର୍ଣ୍ଣ ତଦନ୍ତ ପାଇଁ ସଂସଦରେ ଦାବି କରିଛନ୍ତି ଇଞ୍ଜିନିୟର ତଥା ଲୋକସଭା ସାଂସଦ ଅବଦୁଲ ରସିଦ । ଗଣମାଧ୍ୟମ ରିପୋର୍ଟକୁ ନେଇ ସେ କହିଛନ୍ତି ଯେ, ସେମାନଙ୍କୁ ସୁରକ୍ଷା ବାହିନୀ ଦ୍ୱାରା ହତ୍ୟା କରାଯାଇଛି ।

ଆତଙ୍କବାଦୀ ପାଣ୍ଠି ଯୋଗାଣ ଅଭିଯୋଗରେ ତିହାର ଜେଲରେ ଥିବା ବାରାମୂଳାର ସ୍ୱାଧୀନ ସାଂସଦ ରସିଦ ପାରୋଲରେ ବାହାରି ପ୍ରଥମ ଥର ପାଇଁ ସଂସଦରେ ଯୋଗ ଦେଇଛନ୍ତି। ଯେଉଁଥିରେ ସେ ଶୂନ୍ୟକାଳରେ ସାଧାରଣ ଲୋକଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, "ଆମର ରକ୍ତ ଶସ୍ତା ନୁହେଁ" । "ଆମର ବଞ୍ଚିବାର ଅଧିକାର ଅଛି, ରକ୍ତକୁ ସମ୍ମାନ କର, କିଛି ତ ଲଜ୍ଜା କର ।" ସେ ଆହୁରି ମଧ୍ୟ କହିଥିଲେ ଯେ, "ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ।"

ତେବେ ରସିଦ ବାରାମୂଳା ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ଯେଉଁଠାରେ ସେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ପରାସ୍ତ କରିଥିଲେ।  ଏଆଇପିର ମୁଖ୍ୟଙ୍କୁ ଦିଲ୍ଲୀ ହାଇକୋର୍ଟ ସୋମବାର ଦିନ ୧୧ ଓ ୧୩ ତାରିଖରେ ସଂସଦ ଅଧିବେଶନରେ ସାମିଲ ହେବା ପାଇଁ ପାରୋଲ ମଞ୍ଜୁର କରିଥିଲା । ସଂସଦରେ ପହଞ୍ଚିବା ପୂର୍ବରୁ, ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୂଆଦିଲ୍ଲୀର RML ହସ୍ପିଟାଲକୁ ନିଆଯାଇଥିଲା। ବାରମୁଳା ସାଂସଦ କୁପୱାଡାରେ କିଛି ଦୂରବର୍ତ୍ତୀ ଗ୍ରାମକୁ ସଂଯୋଗ କରିବା ପାଇଁ ଏକ ସୁଡ଼ଙ୍ଗ ମଧ୍ୟ ଦାବି କରିଥିଲେ। କାରଣ ପରିବହନ ଅଭାବରୁ କିଛି ଗାଁ ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ରହିଛନ୍ତି। ପ୍ରକାଶ ଥାଉକି,  ୨୦୧୯ ମସିହାରେ ଆତଙ୍କବାଦୀ ପାଣ୍ଠି ଯୋଗାଣ ଅଭିଯୋଗରେ ଗିରଫ ହୋଇଥିବା ରସିଦଙ୍କୁ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ  ପ୍ରଚାର କରିବା ପାଇଁ ପୂର୍ବରୁ ୨ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.