ପ୍ରମୂଖ ଖବର
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କାନ୍ଥ : ଜଣେ ମୃତ

Published By : Suraj Kumar | July 8, 2025 10:39 PM

ଭୋଗରାଇ,୮।୭(ଆ.ପ୍ର): ଘରେ ଶୋଇଥିବା ଅବସ୍ଥାରେ ପ୍ରବଳ ବର୍ଷାରେ  କାନ୍ଥ ଭୁଶୁଡ଼ି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଘରେ ଶୋଇଥିବା ମୃତକଙ୍କ ପତ୍ନୀ, ଶାଶୁ, ଶ୍ବଶୁର ଓ ଜଣେ ୬ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଜଣକ ହେଉଛନ୍ତି ପାରାଦ୍ୱୀପ ଅଞ୍ଚଳର ଖରିନାସୀ ଗ୍ରାମର ସ୍ବର୍ଗତ ଜଗବନ୍ଧୁ ଦାସଙ୍କ ପୁଅ ବାସୁଦେବ ଦାସ (୫୫) ।  ଭୋଗରାଇ ଥାନା ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ଚନ୍ଦ୍ରାବାଲି ଖଟି ନିକଟରେ ଏହି ଘଟଣା ଘଟିଛି। 

 ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ବାସୁଦେବ ନିଜ ପତ୍ନୀ, ଜଣେ ପୁଅ ଓ ୨ ଝିଅକୁ ନେଇ ପାରାଦ୍ୱୀପରୁ କାମ ସନ୍ଧାନରେ ବାଲେଶ୍ଵରର ବଳରାମଗଡ଼ିକୁ ଆସି କାମଧନ୍ଦା କରି ପରିବାର ଚଳାଉ ଥିଲେ । ତେବେ ୧୫ ବର୍ଷ ପୂର୍ବେ ସେଠାରୁ ପୁଣି କୀର୍ତ୍ତନିଆର ଚନ୍ଦ୍ରବାଲି ମାଛ ଖଟିକୁ ଆସି ବସବାସ କରିବା ସହିତ ଅନ୍ୟ ଏକ ବିବାହ କରିଥିଲେ । ସେପଟେ ତାଙ୍କର ପ୍ରଥମ ପତ୍ନୀ ଓ ଏକମାତ୍ର ପୁଅ ସାହାବାଜିପୁର ବୋର୍ଡର ଠାରେ ଏକ ଭଡ଼ା ଘରେ ରହୁଥିଲେ । ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବାସୁଦେବ ସାହାବାଜିପୁରରୁ ଚନ୍ଦ୍ରବାଲି ଖଟିକୁ ଆସି ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତିରେ ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡ଼ି ବାସୁଦେବଙ୍କ ଉପରେ ପଡ଼ି ଯାଇଥିଲା । ଏହି ସମୟରେ ଘରେ ଶୋଇଥିବା ବାସୁଦେବଙ୍କ ଦ୍ବିତୀୟ ପତ୍ନୀ ଶଙ୍କରୀ ଦାସ, ଶାଶୁ, ଶ୍ବଶୁର ଓ ୬ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସି ପ୍ରଥମେ ବାସୁଦେବକୁ କାନ୍ଥ ତଳୁ ଉଦ୍ଧାର କରିବା ସହିତ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା । ଖବରପାଇ ଭୋଗରାଇ ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପରେ ଉଭୟ ପତ୍ନୀ ଓ ପରିବାର ଲୋକଙ୍କ ପକ୍ଷରୁ ତାଳସାରି ବେଳାଭୂମିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.