ସିମୁଳିଆ,୦୯/୦୭: ପଶ୍ଚିମବଙ୍ଗ ହାୱଡା ନିର୍ବାଚନ ମଣ୍ଡଳୀର ବିଧାୟକ ଗୌତମ ଚୌଧୁରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ନିଜ ପରିବାର ସହିତ ପୁରୀରୁ ବାହୁଡ଼ା ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଏକ ସ୍କୁଟି ସହ କାର୍ଟି ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ରାଧାକାନ୍ତ ଲେଙ୍କା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନଂ ଜାତୀୟ ରାଜପଥ ଜାମୁଝାଡି ଡେଞ୍ଜର ଡାଇଭର୍ସନ ଠାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ ସମୟରେ ବିଧାୟକଙ୍କ ଗାଡି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଜାମୁଝାଡି ଡେଞ୍ଜର ଡାଇଭର୍ସନ ଠାରେ ଏକ ସ୍କୁଟି ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ସ୍କୁଟିଟି ଚୂରମାର ହୋଇ ଯାଇଥିଲା ଏବଂ ଦୁଇ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଦୁଇ ଗୁରୁତରଙ୍କୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବିଧାୟକଙ୍କ ସମେତ ତାଙ୍କ ପରିବାରର ପାଞ୍ଚ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।