ଭୁବନେଶ୍ୱର ୧୬/୦୨: ରାଜ୍ୟ ଏବେ ଅଭିବୃଦ୍ଧି ପଥରେ ଥିବାବେଳେ ଏହାର ଭିତ୍ତିଭୂମି ଦୃଢ଼ୀକରଣ ଦିଗରେ ଆଖିଦୃଶିଆ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ଏହି କ୍ରମରେ ରାଜ୍ୟରେ ରେଳ ଭିତ୍ତିଭୂମି ଏବଂ ନେଟ୍ୱର୍କ ସମ୍ପ୍ରସାରଣ କରାଯାଉଛି । ୨୦୨୪-୨୫ ଅବଧିରେ ରାଜ୍ୟର ରେଳ ଭିତ୍ତିଭୂମି ସମ୍ପ୍ରସାରଣ ଲାଗି ୧୦.୬ ହଜାର କୋଟି ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ୨୦୧୯-୨୦ରେ ୨୯୫୨ କିମିର ରେଳ ଲାଇନ ବିଛାଯାଇଥିବା ବେଳେ ୨୦୨୩-୨୪ରେ ଏହା ୪% ବୃଦ୍ଧି ହୋଇ ୩୦୯୩ କିମି ଛୁଇଁଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ରେ କୁହାଯାଇଛି ।
ରିପୋର୍ଟ ମୁତାବକ, ନିକଟରେ ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମୟୁରଭଞ୍ଜ, କେନ୍ଦୁଝର, ମାଲକାନଗିରି ଭଳି ୯ଟି ଜିଲ୍ଲା ଲାଗି ୮ ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ସେହିଭଳି ସଡ଼କ ନେଟୱର୍କ ସମ୍ପ୍ରସାରଣକୁ ମଧ୍ୟ ପ୍ରାଥମିକତା ଦେଇଛି ରାଜ୍ୟ ।
୨୦୧୯-୨୦ରେ ସଡ଼କ ଏବଂ ସେତୁ ବାବଦକୁ ମୋଟ ୭୯୯୬ କୋଟି ବ୍ୟୟବରାଦ ହୋଇଥିଲା । ଏହା ୨୦୨୪- ୨୫ରେ ୧୯,୪୫୬ କୋଟିକୁ ବଢ଼ିଛି । ରାଜ୍ୟରେ ଏନ୍ଏଚ୍, ରାଜ୍ୟ ରାଜପଥ, ଜିଲା ସଡ଼କ, ଗ୍ରାମୀଣ ସଡ଼କ ଭଳି ବିଭିନ୍ନ ବର୍ଗର ରାସ୍ତା ନିର୍ମାଣ ତ୍ୱରାନ୍ୱିତ ହୋଇଥିବାରୁ ରାଜ୍ୟରେ ସଡ଼କ ପଥର ଦୈର୍ଘ୍ୟ ବଢ଼ିଛି ।ରାଜ୍ୟରେ ୭୫ ହଜାର କିମିର ଗୁଣାତ୍ମକ ସଡ଼କ ବିକାଶ ଲାଗି ରାଜ୍ୟ ସରକାର ଯୋଜନା ରଖିଛନ୍ତି । ଏହା ରାଜ୍ୟର ଯୋଗାଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।
ପୁଞ୍ଜି ନିବେଶ ବୃଦ୍ଧି ଏବଂ ନୂତନ ଗନ୍ତବ୍ୟ ନୀତି, ବେସାମରିକ ବିମାନ ଚଳାଚଳ ନୀତି ଏବଂ ଉଡାନ ଯୋଜନାର କାର୍ଯ୍ୟକାରିତା ଯୋଗୁ ରାଜ୍ୟରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ଏବେ ଗୋଟିଏ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ୫ଟି କାର୍ଯ୍ୟକ୍ଷମ ବନ୍ଦର ରହିଛି । ଏହା ସହ ରାଜ୍ୟରେ ବିମାନ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପୁରୀରେ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ରାଜ୍ୟରେ ୧୦ ଅତିରିକ୍ତ ଏୟାରଷ୍ଟ୍ରିପ ବିକଶିତ କରାଯାଉଛି ।
ଏବେ ଓଡ଼ିଶାରୁ ଦେଶର ୨୨ ସହର ସହ ସିଧାସଳଖ ବିମାନ ଚଳାଚଳ ସୁବିଧା କରାଯାଇଛି । ଓଡ଼ିଶାରୁ ଏବେ ବ୍ୟାଙ୍କକ, ଦୁବାଇ, ସିଙ୍ଗାପୁର ଓ କୁଆଲାଲମ୍ପର ଭଳି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ସହ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଛି । ପ୍ରଥମ ୩ ଗନ୍ତବ୍ୟସ୍ଥଳ ଲାଗି ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ସହାୟତା ପ୍ରଦାନ କରୁଛନ୍ତି । ନିକଟରେ ରାଜ୍ୟ ନୂଆ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ କରୁଥିବା କମ୍ପାନିଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରି ନୂଆ ଗନ୍ତବ୍ୟ ନୀତି ୨୦୨୪ ଆଣିଛି ।
ନୂଆ ନୀତି ଅନୁସାରେ ଭୁବନେଶ୍ୱର ଓ ଝାରସୁଗୁଡାରୁ ୮ଟି ଘରୋଇ ରୁଟ୍ରେ ବିମାନ ଚଳାଚଳକୁ ମଞ୍ଜୁରି ମିଳିଛି । ଏହା ରାଜ୍ୟର ବିମାନ ଯାତ୍ରା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ୨୦୨୧-୨୨ରେ ରାଜ୍ୟରୁ ବିମାନ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟା ୨୧.୬ ଲକ୍ଷ ଥିବା ବେଳେ ୨୦୨୩-୨୪ରେ ଏହା ୪୧.୬ ଲକ୍ଷକୁ ବୃଦ୍ଧି ହୋଇଛି ।