ଭୁବନେଶ୍ୱର,୧୬/୦୨: ଜାତୀୟ ଅଭିବୃଦ୍ଧି ହାରକୁ ପଛରେ ପକାଇ ଦେଇଛି ଓଡ଼ିଶା । ଆଗକୁ ଆହୁରି ଦ୍ରୁତ ଗତିରେ ଦୌଡ଼ିବ ବୋଲି ଆକଳନ କରାଯାଉଛି । ତଥାପି ଜାତୀୟ ମୁଣ୍ଡପିଛା ଆୟ ପଛରେ ଦୌଡ଼ୁଛୁ ଆମେ । ସମକକ୍ଷ ହେବାକୁ ଅତି କମ୍ରେ ଆହୁରି ତିନି ବର୍ଷ ଲାଗିବ ।
ବ୍ୟକ୍ତିର ସାମଗ୍ରିକ ଉନ୍ନତିକୁ ସୂଚାଉଥିବା ମୁଣ୍ଡପିଛା ଖର୍ଚ୍ଚ ଜାତୀୟ ହାର ତୁଳନାରେ ଅଧିକ ବେଗରେ ବଢ଼ିଛି ଉଭୟ ଗାଁ ଓ ସହରରେ । ତଥାପି ଗ୍ରାମୀଣ ମୁଣ୍ଡପିଛା ଖର୍ଚ୍ଚରେ ଓଡ଼ିଶା ୧୪ଟି ରାଜ୍ୟ ପଛରେ ରହିଛି । ସହରାଞ୍ଚଳ ମୁଣ୍ଡପିଛା ଖର୍ଚ୍ଚରେ ରାଜ୍ୟର ସ୍ଥାନ ୧୧ ନମ୍ବର ।
ଏଭଳି ଚିତ୍ର ଦେଖାଇଛି ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ଓଡ଼ିଶା ଅର୍ଥନୀତି ୭.୨ ପ୍ରତିଶତ ହାରରେ ବଢ଼ିବ ବୋଲି ରିପୋର୍ଟରେ ଆଗୁଆ ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ହାର ୬.୪% । ଗତବର୍ଷ ତୁଳନାରେ ସଙ୍କୁଚିତ ହୋଇଛି ଅଭିବୃଦ୍ଧି ।
୨୦୨୩-୨୪ରେ ଆଶାତୀତ ହାରରେ ବଢ଼ିଥିଲା ରାଜ୍ୟ ଅର୍ଥନୀତି । ପ୍ରଥମ ସଂଶୋଧିତ ଆକଳନ ଅନୁସାରେ ୯.୬% ଅଭିବୃଦ୍ଧି ହାସଲ ହୋଇଥିଲା । ଶନିବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ ଅନୁମାନ କରାଯାଇଛି, ଆଗାମୀ ବର୍ଷ ୨୦୨୫-୨୬ରେ ବିକାଶ ତ୍ୱରାନ୍ୱିତ ହେବ ।
ଖଣିଜ ସମ୍ପଦ ଭିତ୍ତିକ ଶିଳ୍ପ ଏବଂ ନିବେଶ ଅନୁକୂଳ ବାତାବରଣ ଆଧାରରେ ୮ରୁ ୮.୫% ହାରରେ ବଢ଼ିବ ଅର୍ଥନୀତି । ରିପୋର୍ଟର ତଥ୍ୟ ମୁତାବକ ରାଜ୍ୟର ମୋଟ ଘରୋଇ ଉତ୍ପାଦ ୯ ଲକ୍ଷ ୫୦ ହଜାର କୋଟି (ବଜାର ଦର) ଛୁଇଁବ ବୋଲି ଆଗୁଆ ଆକଳନ କରାଯାଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ୩.୩% ହାରରେ ଅଭିବୃଦ୍ଧି ହାସଲ କରିଛି, ଯାହା ଜାତୀୟ ଅଭିବୃଦ୍ଧି ହାରଠୁ କମ୍ । ଶିଳ୍ପ କ୍ଷେତ୍ର ୬.୧% ଓ ସେବା କ୍ଷେତ୍ରରେ ୧୦% ହାରରେ ବଢ଼ିଛି । ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ବର୍ଷକୁ ୧ ଲକ୍ଷ ୮୨ ହଜାର ୫୪୮ ଟଙ୍କା, ଅର୍ଥାତ୍ ମାସକୁ ୧୫,୨୧୨ ଟଙ୍କା ଛୁଇଁଛି ।
ଗତବର୍ଷ ଥିଲା ୧ ଲକ୍ଷ ୬୫ ହଜାର ୬୮ ଟଙ୍କା । ଜାତୀୟ ସ୍ତରରେ ଏହା ୨ ଲକ୍ଷ ୧୬୨ ଟଙ୍କା । ଜାତୀୟ ହାରଠୁ ଏହା ୮.୮% କମ୍ । ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟରେ ଓଡ଼ିଶାର ସ୍ଥାନ ୧୧ତମ ରାଜ୍ୟ । ଯଦି ପ୍ରତିବର୍ଷ ୧% ହାରରେ ଜାତୀୟ ହାରଠୁ ଅଧିକ ଅଭିବୃଦ୍ଧି ହୁଏ ତେବେ ଆସନ୍ତା ୩ ବର୍ଷ ଭିତରେ ଆମେ ଜାତୀୟ ହାରକୁ ଛୁଇଁବା ବୋଲି ଏଥିରେ ଦର୍ଶାଯାଇଛି ।
କୃଷି ଉତ୍ପାଦନ ରେକର୍ଡ ହାରରେ ବଢ଼ିଛି । ୨୦୨୩-୨୪ ରେ ରାଜ୍ୟର ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ ୧୪୩ ଲକ୍ଷ ମେଟ୍ରିକ ଟନ୍ ଛୁଇଁଛି । ୨୦୧୯-୨୦ରେ ଥିଲା ୧୧୭ ଲକ୍ଷ ଟନ୍ । ଗତ ୫ ବର୍ଷ ଭିତରେ ଖାଦ୍ୟ ଶସ୍ୟ ହାରାହାରି ୫.୨% ହାରରେ ବଢ଼ିଛି । ରାଜ୍ୟ ସରକାର ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ୮୦୦ ଟଙ୍କା ଦେବା ଫଳରେ କୃଷି ଉତ୍ପାଦ ବଢ଼ାଇବାକୁ ଚାଷୀ ଅଧିକ ଉତ୍ସାହୀ ହେବ ବୋଲି କୁହାଯାଇଛି । ଦୁଗ୍ଧ ଉତ୍ପାଦନ ୬.୮% ବୃଦ୍ଧି ହୋଇ ୨୬ ଲକ୍ଷ ୪୦ ହଜାର ଟନ୍ ଟପିଛି ।
ମୁଣ୍ଡପିଛା ଦୁଗ୍ଧ ଉପଲବଧିତା ଦିନକୁ ୧୪୪ ଗ୍ରାମରୁ ୧୫୬ ଗ୍ରାମକୁ ବଢ଼ିଛି । ଏହା ସତ୍ତେ୍ୱ ଜାତୀୟ ହାରଠୁ ଢେର୍ ପଛରେ ଆମେ । ଜାତୀୟ ସ୍ତରରେ ଜଣକୁ ଦିନକୁ ୪୭୧ ଗ୍ରାମ ଦୁଗଧ ମିଳୁଛି । ଅଣ୍ଡା କାହାଣୀ ବି ସମାନ । ଅଣ୍ଡା ଉତ୍ପାଦନ ୨୦୨୨-୨୩ ତୁଳନାରେ ୯.୨% ବୃଦ୍ଧି ପାଇଛି । ୨୦୨୩-୨୪ରେ ଉତ୍ପାଦନ ଥିଲା ୩୭୨ କୋଟି ୩୦ ଲକ୍ଷ ଅଣ୍ଡା । ହେଲେ ବର୍ଷକୁ ମୁଣ୍ଡପିଛା ଅଣ୍ଡା ମିଳୁଛି ୭୨ଟି । ଜାତୀୟ ସ୍ତରରେ ଏହା ୧୦୩ ।
ରିପୋର୍ଟ କହୁଛି, ଶିଳ୍ପ କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ହୋଇଛି । ଗତ ୫ ବର୍ଷ ଭିତରେ ମୂଲ୍ୟ ଯୁକ୍ତ ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶା ସାରା ଦେଶରେ ଦୁଇ ନମ୍ବର ରାଜ୍ୟ ଛତିଶଗଡ଼ ପଛକୁ । ଛତିଶଗଡ଼ ଶିଳ୍ପ ସର୍ବାଧିକ ୮% ହାରରେ ବଢ଼ିଥିବା ବେଳେ ଓଡ଼ିଶା ଶିଳ୍ପ କ୍ଷେତ୍ର ୮.୩% ହାରରେ ବଢ଼ିଛି । ଖଣି କ୍ଷେତ୍ରରେ ୪.୫%, ବିନିର୍ମାଣରେ ୬%, ବିଜୁଳି ଓ ଅନ୍ୟାନ୍ୟ ସେବାରେ ୭.୧% ଓ ନିର୍ମାଣ ଉପ କ୍ଷେତ୍ରରେ ୮.୫% ବୃଦ୍ଧି ହାସଲ ହୋଇଛି ।
ନିବେଶ ଅନୁକୂଳ ବାତାବରଣ ଓ ସରକାରୀ ଉଦ୍ୟମ ଯୋଗୁ ରାଜ୍ୟରେ କ୍ରମାଗତ ଶିଳ୍ପ ପୁଞ୍ଜି ନିବେଶ ବଢ଼ୁଛି । ଏ ବର୍ଷ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମୋଟ ୧୬ ଲକ୍ଷ ୭୦ ହଜାର କୋଟିର ନିବେଶ ପ୍ରସ୍ତାବ ଆସିଛି । ୫୯୩ଟି ପ୍ରକଳ୍ପ ପାଇଁ ନିବେଶ ଆଗ୍ରହ ମିଳିଛି । ୧୪୫ଟି ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏଥିରେ ପାଖପାଖି ୧୩ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ସେବା କ୍ଷେତ୍ରରେ ସବୁଠାରୁ ଅଧିକ ଅଭିବୃଦ୍ଧି ହାସଲ ହୋଇଛି ପର୍ଯ୍ୟଟନ, ହୋଟେଲ ଓ ରେସ୍ତୋରାଁ କ୍ଷେତ୍ରରେ । ୧୪.୩% ହାରରେ ବଢ଼ିଛି ଏ ଉପକ୍ଷେତ୍ର । ଭୁବନେଶ୍ୱର ଏବେ ଆଇଟି ହବ୍ ଭାବେ ବିକଶିତ ହେଉଛି । ରାଜ୍ୟରୁ ସଫ୍ଟେଓର୍ ରପ୍ତାନି ବି ତିନିଗୁଣା ବଢ଼ିଛି ଗତ ୫ ବର୍ଷ ଭିତରେ । ୨୦୨୩- ୨୪ରେ ଏହା ୧୨ ହଜାର କୋଟିକୁ ଟପିଛି ।
ରିପୋର୍ଟ କହିଛି, ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସୁଭ୍ରଦ୍ରା ଯୋଜନା ମହିଳାଙ୍କ କ୍ରୟ କ୍ଷମତାକୁ ବୃଦ୍ଧି କରିଛି । ପ୍ରାୟ ୧ କୋଟି ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସହାୟତା ଦିଆଯାଉଛି । ଆଗାମୀ ୫ ବର୍ଷ ଭିତରେ ୫୦ ହଜାର ଟଙ୍କା ଦିଆଯିବ । ଏଥିଯୋଗୁ ଉପଭୋକ୍ତା ଚାହିଦା ୭,୨୯୫ କୋଟି ଟଙ୍କା ବଢ଼ିବ । ଫଳରେ ମୋଟ ଉତ୍ପାଦ ୧ ଲକ୍ଷ ୧୫ ହଜାର କୋଟି ବଢ଼ିଯିବ, ଯାହା ରାଜ୍ୟର ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ କରିଦେବ । ରାଜ୍ୟର ବିତ୍ତୀୟ ପରିଚାଳନା ସବୁଠାରୁ ଭଲ ରହିଛି । ବିତ୍ତୀୟ ସ୍ୱାସ୍ଥ୍ୟରେ ନୀତି ଆୟୋଗ ଓଡ଼ିଶାକୁ ୧ ନମ୍ବର ମାନ୍ୟତା ଦେଇଛନ୍ତି । ଉତ୍ତମ ବିତ୍ତୀୟ ପରିଚାଳନା, କ୍ଷେତ୍ରୀୟ ଦକ୍ଷତା ଏବଂ ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରି ଦ୍ରୁତ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।