ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଦିନ ଗଡ଼ୁଛି, ପ୍ରକଳ୍ପ ସରୁନି... ଜଳ ଜୀବନ ମିଶନରେ ଓଡ଼ିଶା ପଛୁଆ

Published By : Prameya | February 12, 2025 9:13 AM

ଭୁବନେଶ୍ୱର,୧୨/୦୨ : ଦିନ ଗଡ଼ୁଛି । ପ୍ରକଳ୍ପ କାମ ସରୁନି । ଯେଉଁଠି ପ୍ରକଳ୍ପ ସରିଛି, କିନ୍ତୁ ଜଳ ଯୋଗାଣ ଆରମ୍ଭ ହୋଇନି । ଆଉ କେଉଁଠି କେଇ ମାସ ପାଇପରେ ପାଣି ଆସିଲା । ଏବେ ଆଉ କିନ୍ତୁ ମିଳୁନି ପାଣି । କେଉଁଠି ମୋଟର ପୋଡ଼ିଗଲାଣି । କେଉଁଠି ବିଜୁଳି ବିଲ୍‌ ଖିଲାପରୁ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପର ଭାଗ୍ୟ ଏମିତି । ପାଣି ପାଇଁ ଲୋକ ହେଉଛନ୍ତି ଛଟପଟ । ଜଳ ଜୀବନ ମିଶନରେ କାର୍ଯ୍ୟକାରୀ ହେଉଥିବା ବହୁ ପ୍ରକଳ୍ପ ଘୁଷୁରି ଘୁଷୁରି ଚାଲୁଥିବାରୁ ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରକୁ ପାଇପ୍‌ ଜଳ ଯୋଗାଣରେ ଓଡ଼ିଶା ପଛରେ ପଡ଼ିଛି । ଏ ସଂପର୍କିତ ରିପୋର୍ଟକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଉପସ୍ଥାପନ କରିବା ସହ ଉଦ୍‌ବେଗ ପ୍ରକାଶ କରିଛି । 

ଓଡ଼ିଶା ସହ ୫ ରାଜ୍ୟର ଏଭଳି ମନ୍ଥରତାକୁ ଦେଖି କେନ୍ଦ୍ର ସରକାର ମିଶନର ଅବଧିକୁ ୨୦୨୮ ଯାଏ ବୃଦ୍ଧି କରିଛନ୍ତି । ଉପାନ୍ତ ହେଉ ଅବା ଉପକୂଳ । ସାରା ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପର ଗତି ଅତି ଧିମା । ଜଳ ଜୀବନ ମିଶନରେ ପ୍ରତି ଭାରତୀୟଙ୍କୁ ମୁଣ୍ଡପିଛା ଦୈନିକ ୫୫ ଲିଟର ପାଇପ ପାଣି ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୨୫ ସୁଦ୍ଧା ଗ୍ରାମାଞ୍ଚଳକୁ ପାଇପ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୨୩ରେ ୨୦୭ ପ୍ରକଳ୍ପ ଆରମ୍ଭ କରିଥିଲେ । ଏବେ ୧୭୯ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ପ୍ରଥମ ପର୍ଯ୍ୟାୟରେ ୫୬ଟି ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ଏବଂ ଡିସେମ୍ବର ସୁଦ୍ଧା ଅନ୍ୟ ୧୪ଟି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ଅଧା ପ୍ରକଳ୍ପର କାମ ଅଧାଅଧି ମଧ୍ୟ ହୋଇନି । ଧାର୍ଯ୍ୟ ଅବଧି ସୁଦ୍ଧା କୌଣସି ପରିସ୍ଥିତିରେ ସମସ୍ତ ମେଗା ପାନୀୟ ଜଳ ପ୍ରକଳ୍ପ କାମ  ପୂର୍ଣ୍ଣାଙ୍ଗ ହୋଇପାରିବନି ବୋଲି ଖୋଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି । 

ଠିକା ସଂସ୍ଥା ନିଜ ଇଚ୍ଛାରେ କାମ କରୁଛନ୍ତି । କେଉଁଠି ପାଇପ ବିଛା କାମ ଅଧାରେ । ଆଉ କେଉଁଠି ଓଭରହେଡ ପାଣିଟାଙ୍କି କାମ ଲଟକିଛି । ସରକାର କିନ୍ତୁ ତାଗିଦ କରୁନାହାନ୍ତି । ବିଶୁଦ୍ଧ ପାଣି ମୁନ୍ଦେ ପାଇବାକୁ ଲୋକମାନେ ଚାତକ ଭଳି ଅପେକ୍ଷା କରିଛନ୍ତି । ଜଳ ଜୀବନ ମିଶନର ପରିସଂଖ୍ୟାନ କହୁଛି, ରାଜ୍ୟର ୪୬ ହଜାର ୫୩୧ ଗାଁରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଭାଗିତାରେ ମେଗା ପ୍ରକଳ୍ପ କାମ ହାତକୁ ନିଆଯାଇଛି । ଗ୍ରାମାଞ୍ଚଳରେ ୮୮ ଲକ୍ଷ ୬୯ ହଜାର ୫୩୬ ପରିବାର ଥିଲା ବେଳେ ୬୭ ଲକ୍ଷ ୭୮ ହଜାର ୧୬୩ (୭୬%) ପରିବାରକୁ ପାଇପ୍‌ ପାଣି ସଂଯୋଗ ସରିଛି । ୨୧,୭୦୩ ଗାଁରେ ଶତ ପ୍ରତିଶତ ପାଇପ୍‌ ପାଣି ସଂଯୋଗ ହୋଇଛି । ୨୪,୪୫୯ ଗାଁ କୁ ଜଳ ଯୋଗାଣ ପାଇଁ ପ୍ରକଳ୍ପ କାମ ଚାଲୁ ରହିଛି । ୩୬୯ ଗାଁକୁ ଜଳ ଯୋଗାଣ ପାଇଁ ପ୍ରକଳ୍ପ କାମ ଆରମ୍ଭ ହୋଇନି । ଅପେକ୍ଷାକୃତ ପଛୁଆ ଜିଲ୍ଲାରେ ୮୭% ରୁ ୯୯% ପରିବାର ପାଇପ୍‌ ପାଣି ପାଉଛନ୍ତି । ଏଗୁଡ଼ିକ ହେଲା କେନ୍ଦୁଝର, ନୂଆପଡ଼ା, ଭଦ୍ରକ, ବୌଦ୍ଧ, ଦେବଗଡ଼, ରାୟଗଡ଼ା । ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଜଗତସିଂହପୁରରେ ଏହା ୬୨% ରୁ ୭୫% ମଧ୍ୟରେ ରହିଛି । ମାଲକାନଗିରିର ସଫଳତା ସବୁଠୁ କମ୍‌ ୫୪% ଥିଲା ବେଳେ ତା ଉପରକୁ ଅଛି ବଲାଙ୍ଗୀର ଜିଲ୍ଲା (୫୭%) । 

ଠିକାଦାରଙ୍କ ମନମାନି, ଲବଣାକ୍ତ ଜଳ, ପାହାଡ଼ିଆ ଅଞ୍ଚଳ ଓ ଭୌଗୋଳିକ ସ୍ଥିତି ଆଦି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବଡ଼ ପ୍ରତିବନ୍ଧକ ସାଜୁଛି । କିଛି ସ୍ଥାନରେ ସୌର ପ୍ରକଳ୍ପ ଦ୍ୱାରା ଜଳ ଯୋଗାଣର ଲକ୍ଷ୍ୟ ରଖି ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ଖଣି ଅଞ୍ଚଳରେ ଓମ୍ବାଡସି ପାଣ୍ଠିରେ ମଧ୍ୟ ପ୍ରକଳ୍ପ କାମ ଚାଲିଛି ।  ଯେଉଁଭଳି ଘୁଷୁରି ଘୁଷୁରି ପ୍ରକଳ୍ପ କାମ ଚାଲିଛି ଲୋକଙ୍କ ଶୋଷ ମେଣ୍ଟିବାକୁ ଆହୁରି କିଛି ବର୍ଷ ଯେ ଲାଗିବ ତାହା ନିଃସନ୍ଦେହ । ଏହାକୁ ହୃଦୟଙ୍ଗମ କରି ସଂସଦୀୟ ଷ୍ଟାଣ୍ଡିଂ କମିଟି ପଛୁଆ ଥିବା ରାଜ୍ୟକୁ କେନ୍ଦ୍ର ସହଯୋଗ କରିବାକୁ ପରାମର୍ଶ ଦେଇଛି । ରାଜ୍ୟ ସରକାରମାନେ ମଧ୍ୟ ଅଧିକ ନିଷ୍ଠା ଓ ତତ୍ପରତା ଦେଖାଇବା ଉପରେ ଷ୍ଟାଣ୍ଡିଂ କମିଟି ଜୋର ଦେଇଛି ।


ଏହି ଖବରଟିକୁ ପଢନ୍ତୁ-ଦିନକ ପରେ ବିଧାନସଭା ଅଧିବେଶନ, ସୁରକ୍ଷା ତଦାରଖ କରିବେ ଡିଜିପି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.