ଭୁବନେଶ୍ୱର,୧୨/୦୨ : ଦିନକ ପରେ ବିଧାନସଭା ଅଧିବେଶନ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏହାସହ ବିଧାନସଭା ଚାରିପାଖ ରାସ୍ତାକୁ ସିଲ୍ କରାଯିବ । ବିଧାନସଭା ଓ ଲୋୟର ପିଏମ୍ଜିକୁ ପୁଲିସ ଛାଉଣି କରାଯିବ। ଏନେଇ କମିଶନରେଟ୍ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି । ବିଧାନସଭା ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି । ବିଧାନସଭାର ପ୍ରଥମ ପ୍ରର୍ଯ୍ୟାୟଟି ଆସନ୍ତା ୧୩ ତାରିଖରୁ ୨୧ ତାରିଖ ଯାଏ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାସ ୭ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଜାରି ରହିବ । ପୂର୍ବ ସରକାର ବେଳେ ପୁଲିସ ପାଇଁ ଟେନସନ ସାଜିଥିବା ଆନ୍ଦୋଳନକାରୀଙ୍କ ଆତ୍ମାହୂତି ଉଦ୍ୟମ ଏଥର ପୁଲିସ ପାଇଁ କାଳ ସାଜିପାରେ । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟ୍କୁ ଡାଇଭର୍ଟ କରାଯାଇଛି ।
ବିଧାନସଭା ଚାରିପାଖ ରାସ୍ତା ଓ ଲୋୟର ପିଏମ୍ଜି ଆଖପାଖରେ ସାଦା ପୋଷାକଧାରୀ ପୁଲିସ ସନ୍ଦିଗ୍ଧ ଗତିବିଧିକୁ ନଜର ରଖିବ । ପୁଲିସ ଜାରି କରିଥିବା କଟକଣା ଅନୁସାରେ, ଏଜି ଛକରୁ କେଶରୀ ଟକିଜ୍, ୧୨୦ ବାଟାଲିୟନ ଛକଠାରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ କରିପାରିବେନି । ଏଜି ଛକ ପଟୁ ଆସିଲେ, ଜୟଦେବ ଭବନ ନିକଟରେ ଡାହାଣ ପାଶ୍ୱର୍ ଦେଇ ଇନ୍ଦିରା ଗାନ୍ଧୀ ପାର୍କ ଗଳି ରାସ୍ତା ଦେଇ ପଛ ପଟେ ବାହାରି ପାରିବେ । ମାଷ୍ଟରକ୍ୟାଣ୍ଟିନ ପଛପାଶ୍ୱର୍ରୁ ଆସୁଥିବା ଗାଡି଼ କଂଗ୍ରେସ ଭବନ ନିକଟ ଲୋୟର ପିଏମ୍ଜିରୁ ବାମପାଶ୍ୱର୍ କିମ୍ବା ଡାହାଣ ପାଶ୍ୱର୍ ଦେଇ ଯାଇପାରିବେ । ରାଜଭବନ ଛକ ପଟୁ ଏମ୍ଏଲ୍ଏ କଲୋନୀ କିମ୍ବା ରବିନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହିଁଲେ, ଶାସ୍ତ୍ରୀ ନଗର ଦେଇ ଯାଇପାରିବେ । ଛୁଟିଦିନକୁ ଛାଡି଼ ଏହି କଟକଣା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ବିଧାନସୌଧର ଭିତର ଓ ବାହାରେ ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଉଛି । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍ଜି, ରବୀନ୍ଦ୍ର ମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଉଛି । ଆସନ୍ତାକାଲି ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।
ଏହି ଖବରଟିକୁ ପଢନ୍ତୁ-୧୩ରୁ ବିଧାନସଭା ଅଧିବେଶନ, ବାରବାଟୀ ଫ୍ଲଡ ଲାଇଟ୍ ବିଭ୍ରାଟ ଏବଂ କଣାସ ଝାଡ଼ାବାନ୍ତି ପ୍ରସଙ୍ଗରେ ଘେରିବ ବିରୋଧୀ