ଭୁବନେଶ୍ୱର,୧୧/୦୨ : ରାଜ୍ୟରେ ସରକାର ବଦଳିବା ପରେ ରାଜନୀତିର ଦିଶା ପଲଟିଛି । ବିଧାନସଭାରେ ବିରୋଧୀ ଦଳ ଏଯାଏଁ ନୂଆ ସରକାରଙ୍କୁ ହରଡ଼ ଘଣାରେ ପକାଇ ପାରିନାହାଁନ୍ତି । ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ବୁମେରାଂ ହୋଇଛି । ୨୪ ବର୍ଷର ଶାସନ କଥା କହି ପାଲଟା ଆକ୍ରମଣ କରିଛନ୍ତି ସରକାର ଓ ସରକାରୀ ଦଳ । ଏବେ ନଜର ବିଧାନସଭାର ବଜେଟ ଅଧିବେଶନ ଉପରେ । ବହୁ ତତଲା ପ୍ରସଙ୍ଗ ଥିବାରୁ ଏ ଲମ୍ବା ଅଧିବେଶନରେ ବିରୋଧୀଶାସକ ମୁହାଁମୁହିଁ ହେବାକୁ ଅସ୍ତ୍ର ସଜାଡ଼ୁଛନ୍ତି । ବାରବାଟୀ ଷ୍ଟାଡିୟମ ଫ୍ଲଡ ଲାଇଟ୍ ବିଭ୍ରାଟରୁ ନେଇ କଣାସ ଝାଡ଼ାବାନ୍ତି ପର୍ଯ୍ୟନ୍ତ ଟାଣୁଆ ପ୍ରସଙ୍ଗର ତାଲିକା ଧରି ବସିଛନ୍ତି ବିରୋଧୀ ଦଳ । ବିଜେପି ସରକାରଙ୍କୁ ଘେରାବନ୍ଦୀ ପାଇଁ ଯୋଜନା କରୁଛନ୍ତି । ମାତ୍ର ଏ ଆକ୍ରମଣ କେତେ ଶାଣିତ ରହିବ, ତାହା ସମୟ କହିବ ।
ବିଧାନସଭା ପାଇଁ ସରକାର ଓ ସରକାରୀ ଦଳ ବି ପ୍ରସ୍ତୁତ । ସୁଭଦ୍ରା ଯୋଜନାର ସଫଳତା, ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା, ଉତ୍କର୍ଷ ଓଡ଼ିଶାରେ ନିବେଶ ବର୍ଷା, ଆୟୁଷ୍ମାନ ଓ ନିଯୁକ୍ତି ପର୍ବ ଏବେ ସରକାରଙ୍କ ପାଇଁ ବଳ । ତା’ସାଙ୍ଗକୁ ୨୪ ବର୍ଷର ସରକାର କାର୍ଯ୍ୟକାଳର ବିଭିନ୍ନ ବିଫଳତା ନେଇ ପାଲଟା ଆକ୍ରମଣ କରିବେ ବିରୋଧୀ ଦଳ । ୧୩ରୁ ଆରମ୍ଭ ହେଉଛି ବଜେଟ ଅଧିବେଶନ । ବିଜେଡି ସୂତ୍ର ଅନୁସାରେ ବାରବାଟୀ ବିଭ୍ରାଟ ସହ କଣାସ ଝାଡ଼ାବାନ୍ତି ମୃତ୍ୟୁ ଏବଂ ଆଇନଶୃଙ୍ଖଳା ପ୍ରସଙ୍ଗକୁ ବିଜେଡି ଜୋରଦାର ଭାବେ ବିଧାନସଭାରେ ଉଠାଇବ । କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଣଦେଖା, ଦରବୃଦ୍ଧି, ସ୍ୱତନ୍ତ୍ର ପାହ୍ୟା, ପୋଲାଭରମ୍, ମହାନଦୀ ପ୍ରସଙ୍ଗ ନେଇ ବିଜେଡି ସ୍ୱରକୁ ଟାଣୁଆ କରିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ରାଜଧାନୀର ରାସ୍ତା ମଝିରେ ପୁଲିସ ମିତ୍ରଙ୍କୁ ହତ୍ୟା, ଭୁବନେଶ୍ୱରରେ ବାରମ୍ବାର ଚୋରି ଭଳି ପ୍ରସଙ୍ଗ ଉଠାଇବ । ବିରୋଧୀ ଦଳ ଭୂମିକାରେ ଏଯାଏଁ ତଗଡ଼ା ପ୍ରଦର୍ଶନ ଦେଖାଇ ପାରିନି ବିଜେଡି । କୌଣସି ପ୍ରସଙ୍ଗକୁ ଲମ୍ବା ଟାଣିପାରିନି ଦଳ ।
ଭିତିରି ସୂତ୍ର ଅନୁସାରେ ଦଳର କିଛି ହାତଗଣତି ବିଧାୟକଙ୍କୁ ଛାଡ଼ିଦେଲେ ଅନେକ ପାଟିରେ ତାଲା ମାରୁଛନ୍ତି । ଏଥର କିନ୍ତୁ ଦଳ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇପାରେ । କଂଗ୍ରେସ ହାତରେ ବି ଢେର ଲମ୍ବା ତାଲିକା ରହିଛି । ଦଳୀୟ ସୂତ୍ର ଅନୁସାରେ ଧାନ ମଣ୍ଡି ସମସ୍ୟା, କଟ୍ନି ଛଟ୍ନି, ମିଲର୍ସଙ୍କ ମନମାନି, ବାରବାଟୀ ବିଭ୍ରାଟ, ଇ-କେୱାଇସି ଯନ୍ତ୍ରଣା ସହ ରାଜ୍ୟରେ ଆଇନଶୃଙ୍ଖଳାକୁ ଦଳ ବଡ଼ ପ୍ରସଙ୍ଗ କରିବ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦିନ ରାଜଧାନୀ ରାସ୍ତାରେ ମୁଣ୍ଡ କାଟି ହତ୍ୟା ଭଳି ସଙ୍ଗୀନ ଅପରାଧ କଥାକୁ ଦଳ ଜୋରଦାର ଭାବେ ଉଠାଇବ । ବିଧାନସଭାରେ ୧୪ ବିଧାୟକଙ୍କ ଭିତରେ ସମନ୍ୱୟ ହିଁ ଦଳ ପାଇଁ ବଡ଼ ଆହ୍ୱାନ । ପିସିସି ସଭାପତି ନଥିବାରୁ ଦଳ ନେତୃତ୍ୱହୀନ ଦଳ କେତେ ଭଲ ପ୍ରଦର୍ଶନ କରିବ, ତାହା ଆଗାମୀ ଅଧିବେଶନରୁ ଜଣାପଡ଼ିବ । ଇତିମଧ୍ୟରେ ସରକାରଙ୍କୁ ୮ ମାସ ପୂରିଗଲାଣି । ଆଉ ପୂର୍ବ ସରକାରଙ୍କୁ ଦୋଷାରୋପ କରି ଖସି ପାରିବେନି । ଏବେ ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ । ସରକାର ବିରୋଧୀଙ୍କୁ ଜବାବ ଦେବା ସହ ନିଜ ସଫଳତା ବଖାଣିବେ ।
ସୁଭଦ୍ରା ଯୋଜନାରେ ଏଯାବତ୍ ୯୮ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିବା, ଧାନର ଇନପୁଟ ସବ୍ସିଡି ବାବଦକୁ ୮ଶହ ଟଙ୍କା ପ୍ରଦାନ କରିବା ସହ ଧାନ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି, ନିଯୁକ୍ତି ସୁଯୋଗ ବୃଦ୍ଧି ଆଦି ସରକାରଙ୍କ ପାଇଁ ବଡ଼ ବଳ ହେବ ବିଧାନସଭାରେ । ଏହାବାଦ୍ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, କେନ୍ଦ୍ର ରେଳ ବଜେଟ ଅନୁଦାନ ବୃଦ୍ଧି, ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ କୋଟିର ନିବେଶ ପ୍ରସ୍ତାବ, ପ୍ରବାସୀ ଭାରତୀୟ ସମାବେଶର ସଫଳତା ନେଇ ସରକାର ଓ ସରକାରୀ ଦଳ ବିଧାନସଭାରେ କହିବେ । ଆସନ୍ତା ୧୨ରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ଗୃହ କାର୍ଯ୍ୟ ସ୍ୱାଭାବିକ ରଖିବାକୁ ସହଯୋଗ ଲୋଡ଼ିବେ । ୧୨ ତାରିଖରେ ହିଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛନ୍ତି । ମଙ୍ଗଳବାର ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି ନବୀନ ନିବାସରେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ଉପନେତା, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ପ୍ରମୁଖ ଏକାଠି ବସି ଆଲୋଚନା କରି ସମ୍ଭାବ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ନିଷ୍ପତ୍ତି ଅନୁସାରେ ୧୨ ତାରିଖ ବିଧାୟକ ଦଳ ବୈଠକରେ ଆଲୋଚନା କରି ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ ।
ଏହି ଖବରଟିକୁ ପଢନ୍ତୁ-ପାନୀୟ ଜଳ ପାଇଁ ହନ୍ତସନ୍ତ ପୁଟୁକୁଳିଆ ବାସିନ୍ଦା,ଜାତୀୟ ରାଜପଥ ଦେଇ ଅଙ୍ଗନବାଡ଼ି କେନ୍ଦ୍ରରୁ ଆଣୁଛନ୍ତି ପାଣି