ଭୁବନେଶ୍ୱର,୨୫/୦୩: ରାଜ୍ୟ ପ୍ରସଙ୍ଗରେ ଆଲୋଚନା ଶୂନ । ନିର୍ବାଚନ ମଣ୍ଡଳୀ ସମସ୍ୟା ବି ଲୁଚି ଯାଉଛି। ବିରୋଧୀଙ୍କ ହୋହଲ୍ଲା ହଙ୍ଗାମାରେ ଧୋଇଗଲା ପ୍ରଶ୍ନକାଳ। ଗୃହରେ ଶୁଭୁଛି କେବଳ ଘଣ୍ଟ ଓ ଗିନି ମାଡ଼ । ତୂରୀ ଓ ବଂଶୀ ସ୍ୱରରେ ମଧ୍ୟ ଗୃହ କମ୍ପିଲା । ହୋହଲ୍ଲା, ହଙ୍ଗାମା, ତାଳିମାଡ଼ ଓ ହୁଇସିଲ୍ ଶବ୍ଦରେ କାନ ତାବ୍ଦା ହୋଇଗଲା । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଦିନ ସାଢ଼େ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ମାଡ଼ି ଆସିଲା କଂଗ୍ରେସ । କଂଗ୍ରେସ ବିଧାୟକମାନେ ଘଣ୍ଟ ମାଡ଼ ସହ ତୂରୀ ଫୁଙ୍କିଲେ । ଗିନି ମଧ୍ୟ ବଜାଇଲେ । ସ୍ଲୋଗାନ ଛାଡ଼ିଲେ, ନାରୀ ସୁରକ୍ଷା ଆମର ଦାବି । ଗୃହ କମିଟି ଗଠନ ଆମର ଦାବି । କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟରେ ଜୋରଦାର ସ୍ଲୋଗାନ ଛାଡ଼ିବା ସହ ଘଣ୍ଟମାଡ଼ କରୁଛନ୍ତି।
ସେହିଭଳି ବିଜେଡି ସଭ୍ୟମାନେ ମଧ୍ୟ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସି ସ୍ଲୋଗାନ ଦେଲେ, ଜାତିଗତ ଜନଗଣନା ଆମର ଦାବି । ଓବିସିଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ସଂରକ୍ଷଣ ଆମର ଦାବି। ନାରାବାଜି ସହ ହୋହାଲ୍ଲା କରିଥିଲେ ଉଭୟ ବିରୋଧୀ ଦଳ । ଏହି ସମୟରେ ବାଚସ୍ପତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସଦସ୍ୟଙ୍କୁ ନିଜ ନିଜ ସିଟ୍ରେ ବସିବାକୁ ଅନୁରୋଧ କରିଥିଲେ । ହେଲେ ଉଭୟ ବିରୋଧୀ ଦଳର ସଦସ୍ୟମାନେ ବାଚସ୍ପତିଙ୍କ କଥାକୁ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ସାଢ଼େ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ଅନ୍ୟପଟେ ବିଧାନସଭା ମୁଲତବୀ ପରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଥିବା ବେଳେ ବାହାରେ ବିଜେଡି ପକ୍ଷରୁ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ଅନ୍ୟପଟେ ବିଧାନସଭା ମୁଲତବୀ ପରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଥିବା ବେଳେ ବାହାରେ ବିଜେଡି ପକ୍ଷରୁ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।