ନୂଆଦିଲ୍ଲୀ,୦୭/୦୨: ବେଆଇନ ଭାବେ ବିଦେଶକୁ ଯାଇ ସେଠାରେ କାମ କରୁଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ବିଚାର କରୁଛନ୍ତି । ଓଭରସିଜ୍ ମୋବିଲିଟି (ଫାସିଲିଟେସନ ଆଣ୍ଡ ୱେଲଫେୟାର) ବିଲ୍ ୨୦୨୪ ନାମରେ ପରିଚିତ ଏହି ଆଇନରେ ପ୍ରବାସୀ ଭାରତୀୟଙ୍କ ବିଦେଶ ଯାତ୍ରାର ରୂପରେଖ ପ୍ରସ୍ତୁତ କରାଯିବ । ଯେଉଁଥିରେ ଆଇନଗତ ବିଦେଶ ଯାତ୍ରା, ସଙ୍ଗଠିତ କାର୍ଯ୍ୟ ପରିବେଶ, ସୁରକ୍ଷା ଆଦିକୁ ପ୍ରାଥମିକତା ଦିଆଯିବ ।
କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ସୋମବାର ତାର ରିପୋର୍ଟ ଲୋକସଭାରେ ଆଗତ କରିଛି । ସେଥିରେ ବିଦେଶ ଯାଉଥିବା ଭାରତୀୟଙ୍କ ପାଇଁ ଏକ ନୂଆ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ଇମିଗ୍ରେସନ ଆକ୍ଟ-୧୯୮୩ ସ୍ଥାନରେ ଏହି ନୂଆ ଆଇନ କାର୍ଯ୍ୟକାରୀ ହେବ । ଯାହାଫଳରେ ବିଦେଶରେ ଭାରତୀୟଙ୍କ ନିଯୁକ୍ତିକୁ ସୁରକ୍ଷିତ ତଥା ସୁନିଶ୍ଚିତ କରାଯାଇପାରିବ । ଏ ସଂକ୍ରାନ୍ତ ଚିଠା ବିଲ୍ ସବୁ ମନ୍ତ୍ରଣାଳୟକୁ ପଠାଯାଇଛି ଏବଂ ସେଠାରେ ତା ଉପରେ ତର୍ଜମା ଚାଲିଛି । ଆଗାମୀ ୧୫ରୁ ୩୦ ଦିନ ଭିତରେ ଏହା ଉପରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯିବ । ତା ପରେ ଉକ୍ତ ବିଲ୍କୁ ମନ୍ତ୍ରିସ୍ତରୀୟ ବୈଠକରେ ଚୂଡାନ୍ତ କରାଯିବ।