ଭୁବନେଶ୍ୱର, ୧୨/୦୨: ମଣିଷଙ୍କ ଭଳି ଗାଈଙ୍କ ଲାଗି ମଧ୍ୟ ବାହାରିଲାଣି ସ୍ମାର୍ଟ ୱାଚ୍ । ହୃଦ୍-ସ୍ପନ୍ଦନ ହେଉ କି ଜିଓ ଲୋକେସନ୍, ଋତୁଚକ୍ର କିମ୍ବା କୌଣସୀ ରୋଗବ୍ୟାଧୀ ସବୁର ସଠିକ୍ ଟ୍ରାକ୍ ରଖିବ ଏହି ସ୍ମାର୍ଟ ୱାଚ୍ । ନ୍ୟାସନାଲ ଡିଜିଟାଲ୍ ଲାଇଭ୍ଷ୍ଟକ୍ ମିଶନ (ଏନଡିଏଲଏମ୍) ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ୍ରୁ ଅନୁପ୍ରାଣିତ ହୋଇ ଏହି ସ୍ମାର୍ଟ ୱାଚ୍ ପ୍ରସ୍ତୁତ କରିଛି ‘କାଓବିଟ୍’ ନାମକ ଏକ ସଂସ୍ଥା । ଏହା ସିଧାସଳଖ ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ଉତ୍ପାଦନ ଓ ଗୋପାଳକଙ୍କ ରୋଜଗାର ବୃଦ୍ଧିରେ ସହାୟକ ହେବ । ବର୍ତ୍ତମାନ ଓୟୁଏଟି ଏବଂ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ସହ ସଂସ୍ଥାର ବୁଝାମଣା ହୋଇଥିବାବେଳେ ସ୍ମାର୍ଟ ୱାଚ୍ର ବଜାର ପରୀକ୍ଷଣ ଚାଲିଛି ।
ମଣିଷଙ୍କ ଭଳି ଗାଈଙ୍କର ମଧ୍ୟ ସ୍ତ୍ରୀ ରୋଗ ଏବଂ ପ୍ରସବ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଥାଏ । ସାଧାରଣତଃ ଏଭଳି ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଚାଷୀ ଠାବ କରିପାରି ନ ଥାଏ । ଗାଈର ମିଳନ ସମୟକୁ ଚିହ୍ନଟ କରି ଠିକ୍ ସମୟରେ ସେମାନଙ୍କୁ ପ୍ରଜନନ ପ୍ରକ୍ରିୟା ଲାଗି ପ୍ରେରିତ କରିବା ଦିଗରେ ପ୍ରଚଳିତ ପାରମ୍ପରିକ ପଦ୍ଧତି ମଧ୍ୟ ଅନେକ ସମୟରେ ବିଫଳ ହୋଇଥାଏ । ଗାଈର ଗୋଟିଏ ଗର୍ଭଧାରଣ ହାତଛଡ଼ା ହେଲେ, ଚାଷୀକୁ କ୍ଷତି ସହିବାକୁ ପଡ଼େ । ଏ ସମ୍ପର୍କରେ ସ୍ମାର୍ଟ ୱାଚ୍ ଦେବ ସଠିକ୍ ତଥ୍ୟ । ଗାଈର ପ୍ରଜନନ ସମୟର ନୋଟିଫିକେସନ୍ ସହ ଗର୍ଭଧାରଣ ସମସ୍ୟା, ସ୍ତନ ସଂକ୍ରମଣ ବିଷୟରେ ତଥ୍ୟ ପ୍ରଦାନ କରିବ । ଫଳରେ ଗାଈର କୌଣସି ଗର୍ଭଧାରଣଚକ୍ର ହାତଛଡା ହେବ ନାହିଁ । ସ୍ମାର୍ଟ ୱାଚ୍ ଜରିଆରେ ଗାଈଙ୍କୁ ଟ୍ରାକ୍ ମଧ୍ୟ କରିପାରିବେ ଚାଷୀ । ଗାଈର ହୃଦ୍ ସ୍ପନ୍ଦନ, ଶରୀର ତାପମାତ୍ରା, ଲୋକେସନ ଜାଣି ହେବ । ଗାଈଙ୍କୁ ଠିକ୍ ସମୟରେ ପଶୁ ଚିକିତ୍ସକଙ୍କ ନିକଟକୁ ନେବା ଲାଗି ମନେ ପକାଇଦେବ ଏହି ୱାଚ । ଉନ୍ନତମାନର ଦିଗନିରୂପଣ ସେବା ଲାଗି ଆଗକୁ ଇସ୍ରୋ ସହଭାଗିତାରେ ସେମାନଙ୍କ ଜିପିଏସ୍ ପ୍ରଣାଳୀକୁ ଉପଯୋଗ କରିବା ପାଇଁ ଆଲୋଚନା ଚାଲିଛି ।
ଏହି ସ୍ମାର୍ଟ ୱାଚ୍ ଗାଈ ବେକରେ ଲାଗିବ । ଆପଣ ଯେକୌଣସି ସହରରେ ଥାଇ ମଧ୍ୟ ଗାଁରେ ଥିବା ଗାଈଗୋରୁଙ୍କ ଟିକାକରଣଠାରୁ ନେଇ ସମସ୍ତ ସ୍ୱାସ୍ଥ୍ୟା ସମସ୍ୟା ଆପ୍ ମାଧ୍ୟମରେ ଜାଣିପାରିବେ ଏବଂ ପରିଚାଳନା କରିପାରିବେ । ଆବଶ୍ୟକତା ଅନୁଯାୟୀ ଅନଲାଇନ୍ ମାଧ୍ୟମରେ ଡାକ୍ତରଙ୍କଠାରୁ ପରାମର୍ଶ ମଧ୍ୟ ନେଇପାରିବେ । ସରକାରୀ ବୀମା, ଯୋଜନାଗୁଡ଼ିକର ଲାଭ ଏହି ଆପ୍ ମାଧ୍ୟମରେ ମିଳିପାରିବ । ଆପ୍ ମାଧ୍ୟମରେ ଉନ୍ନତମାନର ଗାଈଗୋରୁ ଚିହ୍ନଟ କରି କିଣାବିକା ହୋଇପାରିବ । ପଶୁ ଆଧାର କାର୍ଡ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ୍ରୁ ଅନୁପ୍ରାଣିତ ହୋଇ ଏହି ଇନୋଭେସନ କରିଛୁ ବୋଲି କହିଛନ୍ତି କାଓବିଟ୍ର ସହପ୍ରତିଷ୍ଠାତା ଆନନ୍ଦ ମିଶ୍ର । ସେ କହିଛନ୍ତି, ଏହି ସ୍ମାର୍ଟ ୱାଚ୍ର ସିଓପି (କଷ୍ଟ ଅଫ୍ ପ୍ରଡକ୍ସସନ) ବାବଦକୁ ମାତ୍ର ୨୫୦୦ଟଙ୍କାରୁ ୪ ହଜାର ଟଙ୍କା ପଡ଼ିବ । ଏଥିରେ ସରକାରଙ୍କ ସବ୍ସିଡି ମିଳିଲେ, ଦୁଗ୍ଧଚାଷ ଶସ୍ତାରେ ହୋଇପାରିବ । କାମଧେନୁ ଯୋଜନାରେ ଏହି ଡିଜିଟାଲ୍ ଅଗ୍ରଗତିକୁ ଆପଣାଇପାରିଲେ ଆମେ ଦୁଗ୍ଧ ଚାଷ ଓ ଗୋପାଳନରେ ଯଥେଷ୍ଟ ଲାଭ ପାଇବା । ଏହି ସ୍ମାର୍ଟ ୱାଚ୍ ଜରିଆରେ ଭାରତୀୟ ଦୁଗ୍ଧଚାଷୀଙ୍କ ବାର୍ଷିକ ୫୫୦୦ ମିଲିୟନ୍ ଟଙ୍କା କ୍ଷତି ରୋକିହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଇଣ୍ଟରନେଟ୍ ଅଫ୍ ଥିଙ୍କ୍ସ୍(ଆଇଓଟି) ଟେକ୍ନୋଲୋଜି ଆଧାରରେ ପ୍ରସ୍ତୁତ ଏହି ସ୍ମାର୍ଟ ୱାଚ୍ କୃଷି ପ୍ରଣାଳୀକୁ ସମୃଦ୍ଧ କରିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି କରିବ । ଓୟୁଏଟି, ପ୍ରାଣୀଚିକିତ୍ସା ବିଜ୍ଞାନ ଓ ପଶୁପାଳନ ମହାବିଦ୍ୟାଳୟ ଡିନ୍ ପ୍ରଫେସର୍ ସୁସେନ୍ କୁମାର ପଣ୍ଡା କହିଛନ୍ତି, ଏହି ସ୍ମାର୍ଟ ୱାଚ୍ ଦ୍ୱାରା ଉତ୍ପାଦନ ଖର୍ଚ୍ଚ କମିବ । ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରିବ । ଯାହା ମଣିଷ କରିପାରିବନି, ଡିଜିଟାଲ ମାଧ୍ୟମରେ ତାହା କମ୍ ଖର୍ଚ୍ଚରେ ହେବ । ଖୁବଶୀଘ୍ର ଏହାର ପରୀକ୍ଷଣ ଆରମ୍ଭ ହେବାକୁଯାଉଛି ।