ନୂଆଦିଲ୍ଲୀ, ୨୩/୦୮ : ଟ୍ରମ୍ପଙ୍କ ଟାରିଫ୍ ଆଟାକ୍କୁ ନେଇ ଏବେ ଚର୍ଚ୍ଚାରେ ଭାରତ-ଆମେରିକା ସମ୍ପର୍କ। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ନେଇ ଆଲୋଚନା ହେଉଛି। ଏହି ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା ସହ ବାଣିଜ୍ୟ ଡିଲ୍ ନେଇ ଆଲୋଚନା ଜାରି ରହିଛି। ଏହା ପିଲା ଖେଳ ନୁହେଁ ଯେ, କଟି ପଡ଼ିଯିବ। ତେବେ ଭାରତର କିଛି ରେଡ୍ ଲାଇନ୍ ରହିଛି। ବିଶେଷ କରି କୃଷକ ଓ ଛୋଟ ଛୋଟ ଉତ୍ପାଦକଙ୍କ ହିତକୁ ସରକାର ଗୁରୁତ୍ଵ ଦେଉଛନ୍ତି। ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍-୨୦୨୫ରେ ଜୟଶଙ୍କର ଏଭଳି କହିଛନ୍ତି।
ଭାରତ-ଆମେରିକା ବ୍ୟାପାର ଆଲୋଚନା କେତେ ବାଟ ଗଲାଣି ବୋଲି ଜୟଶଙ୍କରଙ୍କୁ ପ୍ରଶ୍ନ କରିବାରୁ ସେ ସ୍ପଷ୍ଟ କରିଛନ୍ତି ଯେ, ଏବେ ଆଲୋଚନା ଜାରି ରହିଛି। ସରକାର କୃଷକ ଓ ଛୋଟ ଛୋଟ ଉତ୍ପାଦକଙ୍କ ହିତ ସହ କୌଣସି ସାଲିସ୍ କରିବେ ନାହିଁ। ଆଲୋଚନା ବନ୍ଦ ହୋଇଯାଇଛି ବୋଲି କେହି କହି ନାହାଁନ୍ତି। ଆମର କିଛି ରେଡ୍ ଲାଇନ୍ସ ରହିଛି। ଯାହାର ପାଳନ କରାଯିବା ଉଚିତ୍। ଆମେରିକାର ଏକ ପ୍ରତିନିଧିମଣ୍ଡଳୀଙ୍କ ଭାରତ ଯାତ୍ରା ରଦ୍ଦ ହୋଇଥିବା ଚର୍ଚ୍ଚା ଆଲୋଚନା ଭିତରେ ଜୟଶଙ୍କର ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି।
କିଛି ସପ୍ତାହ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ ଠାରୁ ତେଲ କିଣିବା ନେଇ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଥିଲେ। ଭାରତ ତେଲ କିଣିବା ବନ୍ଦ ନକଲେ ଅଗଷ୍ଟ ୨୭ ସୁଦ୍ଧା ଟାରିଫ୍ ଦୁଇ ଗୁଣା କରିବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ଜୟଶଙ୍କର ଟ୍ରମ୍ପଙ୍କ ବୈଦେଶିକ ନୀତି ଶୈଳୀ ଉପରେ ଟିପ୍ପଣୀ କରିଥିଲେ। ସେ କହିଥିଲେ ଯେ, ମୁଁ ଏପର୍ଯ୍ୟନ୍ତ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ଏଭଳି ସାର୍ବଜନୀନ ବୈଦେଶିକ ନୀତି ଦେଖି ନାହିଁ। ଟ୍ରମ୍ପଙ୍କ ଏଭଳି ଟାରିଫ୍ ନୀତି କେବଳ ଭାରତ ଯାଏଁ ସୀମିତ ନାହିଁ।