ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫକୁ ସମାଲୋଚନା କରି ଏବେ ଅଡ଼ୁଆରେ ଆମେରିକାର ପୂର୍ବତନ ସୁରକ୍ଷା ପରାମର୍ଶଦାତା । ପୂର୍ବତନ ଏନଏସ୍ଏ ଜନ ବୋଲ୍ଟନଙ୍କ ଘରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇ ଚଢ଼ାଉ କରିଛି । ଗୋପନୀୟ କାଗଜପତ୍ର ରଖିଥିବା ଅଭିଯୋଗରେ ତାଙ୍କ ଘରେ ଏଫବିଆଇ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି । ଏହି ମାମଲାରେ ବୋଲ୍ଟନ ଏବଂ ହ୍ୱାଇଟ୍ ହାଉସ୍ ମୁଖପାତ୍ରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବୋଲ୍ଟନଙ୍କ ଓକିଲ ମଧ୍ୟ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ଟ୍ରମ୍ପଙ୍କ ପୂର୍ବ ପ୍ରଶାସନ ସମୟରେ ବୋଲ୍ଟନ୍ ୧୭ ମାସ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲେ । ଇରାନ, ଆଫଗାନିସ୍ତାନ ଏବଂ ଉତ୍ତର କୋରିଆକୁ ନେଇ ତାଙ୍କର ଏବଂ ଟ୍ରମ୍ପଙ୍କ ମଧ୍ୟରେ ମତଭେଦ ଥିଲା । ଟ୍ରମ୍ପଙ୍କ ପୂର୍ବ ପ୍ରଶାସନ ବୋଲ୍ଟନଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ପ୍ରକାଶନକୁ ରୋକିବାକୁ ବିଫଳ ହୋଇଥିଲା । ଯେଉଁଥିରେ ଗୋପନୀୟ ସୂଚନା ଥିବା ଅଭିଯୋଗ ହୋଇଥିଲା । ଚଳିତ ବର୍ଷ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ, ଟ୍ରମ୍ପ ବୋଲ୍ଟନଙ୍କ ସମେତ ଚାରି ଡଜନରୁ ଅଧିକ ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରିଥିଲେ।
ଏହି ବର୍ଷ ଆରମ୍ଭରେ ଟ୍ରମ୍ପଙ୍କ ଦ୍ୱାରା ସୁରକ୍ଷା କ୍ଲିୟରାନ୍ସ ପ୍ରତ୍ୟାହାର କରାଯାଇଥିବା ତିନି ପୂର୍ବତନ ଅଧିକାରୀଙ୍କ ମଧ୍ୟରେ ବୋଲ୍ଟନ ଥିଲେ । ନିକଟରେ ଜନ୍ ବୋଲ୍ଟନ, ଭାରତରେ ଲାଗୁ ହୋଇଥିବା ଟାରିଫକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ପ୍ରତି ଟ୍ରମ୍ପଙ୍କ ନରମ ମନୋଭାବ ଏବଂ ଭାରତ ବିରୋଧରେ ଶୁଳ୍କ ସମ୍ପର୍କରେ ତାଙ୍କର କଠୋର ମନ୍ତବ୍ୟର "ରଣନୈତିକ ପରିବର୍ତ୍ତନ" ସହିତ କୌଣସି ସମ୍ପର୍କ ନାହିଁ । ଭାରତ ଏବଂ ପାକିସ୍ତାନ ସହିତ ଆମେରିକାର ସମ୍ପର୍କରେ ପରିବର୍ତ୍ତନ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ଜିତିବାର ଆକାଂକ୍ଷା ସହିତ ଜଡିତ ।
ବୋଲ୍ଟନ୍ ଏକ୍ସରେ ଏକ ପୋଷ୍ଟରେ ଲେଖିଥିଲେ, ‘ଟ୍ରମ୍ପ୍ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇଛନ୍ତି । କିନ୍ତୁ ଚୀନ୍ ଉପରେ ନୁହେଁ । ଏହା ହିଁ ଭାରତ ରୁଷ-ଚୀନ୍ର ନିକଟତର ହେବାର କାରଣ ହୋଇପାରେ । ଏଥିପ୍ରତି ଧ୍ୟାନ ନଦେବା ଟ୍ରମ୍ପ ପ୍ରଶାସନରଏକ ଅନିଚ୍ଛାକୃତ ଭୁଲ ହୋଇପାରେ।’
ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସାକ୍ଷାତକାରରେ ବୋଲ୍ଟନ୍ କହିଥିଲେ ଯେ, ଟ୍ରମ୍ପଙ୍କୁ ଭାରତ ସହିତ ସମ୍ପର୍କକୁ ସମ୍ଭାଳିବା ଆବଶ୍ୟକ । ସମ୍ପର୍କରେ ହେଉଥିବା କ୍ଷତି ଉପରେ ଧ୍ୟାନ ଦେବା ଉଚିତ। ଆମେ ଭାରତ ସହିତ ସମ୍ପର୍କକୁ ଯଥାଶୀଘ୍ର କିପରି ସଜାଡ଼ି ହେବ ସେ ବିଷୟରେ ଚିନ୍ତା କରିବା ଦରକାର । ଭାରତ-ଆମେରିକା ସମ୍ପର୍କ ଖରାପ ଅବସ୍ଥାରେ ଅଛି । ଏହା ଭାରତକୁ ଚୀନ୍ ଏବଂ ରୁଷର ନିକଟତର କରୁଛି । ଭବିଷ୍ୟତରେ ଏହା ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିପାରେ।