ମୁମ୍ବାଇ,୨୩/୦୮: ଲୋକପ୍ରିୟ ବଲିଉଡ୍ ଅଭିନେତା ହିରୋ ନମ୍ବର ୱାନ୍ ଗୋବିନ୍ଦାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପତ୍ନୀ ସୁନୀତା ଆହୁଜାଙ୍କ ସହିତ ତାଙ୍କ ବିବାହ ବିଚ୍ଛେଦ ଖବର ଫ୍ୟାନ୍ଙ୍କୁ ଚକିତ କରିଛି । ୩୮ ବର୍ଷ ପରେ ଗୋବିନ୍ଦା ଓ ସୁନୀତଙ୍କ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ହେଉଛି । ସୁନୀତା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସେପଟେ ଛାଡ଼ପତ୍ର ଗୁଜବକୁ ଖଣ୍ଡନ କରିଛନ୍ତି ଗୋବିନ୍ଦାଙ୍କ ଓକିଲ । ଲୋକ ପୁରୁଣା ମାମଲାକୁ ସାମ୍ନାକୁ ଆଣୁଛନ୍ତି ବୋଲି କହିଛନ୍ତି ।
ଏକ ବ୍ଲଗ୍ରେ ସୁନୀତାଙ୍କ ଭାବପୂର୍ଣ୍ଣ ଝଲକ୍ ଭାଇରାଲ ହେବା ପରେ ଉଭୟଙ୍କ ବିଚ୍ଛେଦ ଖବର ସାମ୍ନାକୁ ଆସିଛି । ଏଥିରେ ସୁନୀତା ନିଜ ବୈବାହିକ ଜୀବନକୁ ନେଇ ଉଠିଥିବା ଗୁଜବ ବିଷୟରେ କହିଥିଲେ । ରିପୋର୍ଟ ଅନୁସାରେ, ସୁନୀତା ହିନ୍ଦୁ ବିବାହ ଅଧିନିୟମ ୧୯୫୫ର ଧାରା ୧(ଆଇ), (ଆଇଏ) ଓ (ଆଇବି) ଅନ୍ତର୍ଗତ କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଦୀର୍ଘ ୩୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ନିମନ୍ତେ ସେ ବ୍ୟଭିଚାର, ନିଷ୍ଠୁରତା ଓ କର୍ତ୍ତବ୍ୟରୁ ବିଚ୍ୟୁତ ହେବାକୁ ଆଧାର ରୂପେ ଦର୍ଶାଇଛନ୍ତି । ଗତ ମେ’ ୨୫ରେ କୋର୍ଟ ଗୋବିନ୍ଦାଙ୍କୁ ସମନ କରିଥିଲା । କିନ୍ତୁ ସେ କୌଣସି ଶୁଣାଣିରେ ହାଜର ହୋଇନଥିଲେ । ସୁନୀତା କିନ୍ତୁ ଗତ ଜୁନ୍ ମାସଠୁ ସମସ୍ତ ଶୁଣାଣି ଓ କୋର୍ଟଙ୍କ ଦ୍ୱାରା ନିର୍ଦ୍ଦେଶିତ ପରାମର୍ଶ ଅଧିବେଶନରେ ଯୋଗ ଦେଇଥିଲେ ।
ସଦ୍ୟ ବ୍ଲଗ୍ରେ ସୁନୀତା ମୁମ୍ବାଇର ମହାଲକ୍ଷ୍ମୀ ମନ୍ଦିର ଭ୍ରମଣରେ ଯାଇଥିବା ଦେଖିବାକୁ ମିଳିଥିଲା । ପୁରୋହିତଙ୍କ ସହ କଥା ହେବା ସମୟରେ ସେ କାନ୍ଦିଥିଲେ ଏବଂ ତାଙ୍କ ଜୀବନରେ ମନ୍ଦିରର ଭାବନାତ୍ମକ ଗୁରୁତ୍ୱ ବିଷୟରେ କହିଥିଲେ । ସେ କହିଥିଲେ ‘ମୁଁ ଯେତେବେଳେ ଗୋବିନ୍ଦାଙ୍କୁ ଭେଟିଲି, ତାଙ୍କୁ ବିବାହ କରିବାକୁ ଏବଂ ଏକ ଭଲ ଜୀବନ ପାଇଁ ମା’ଙ୍କୁ ପ୍ରାର୍ଥନା କଲି । ମା’ ମୋର ସମସ୍ତ ଇଚ୍ଛା ପୂରଣ କଲେ । ମୋତେ ଦୁଇଟି ସନ୍ତାନର ଆଶୀର୍ବାଦ ମଧ୍ୟ ଦେଲେ । କିନ୍ତୁ ଜୀବନରେ ସବୁ ସତ ସହଜ ନୁହେଁ । ସୁଖ-ଦୁଃଖ ସର୍ବଦା ରହିଛି । ମା’ଙ୍କ ଉପରେ ମୋର ଏତେ ବିଶ୍ୱାସ ଯେ ଆଜି ଯାହା କିଛି ମୁଁ ଦେଖୁଛି, ମୁଁ ଜାଣିଛି ଯେ ଯିଏ ମୋ ଘର ଭାଙ୍ଗିବାକୁ ଚେଷ୍ଟା କରୁଛି, ତା’ ପାଇଁ ମା’ କାଳୀ ଅଛନ୍ତି । ମା’ତାକୁ କେବେ କ୍ଷମା ଦେବେନି ।’
ଗତ ଫେବ୍ରୁଆରୀରେ ଗୋବିନ୍ଦାଙ୍କ ଟିମ୍ ସ୍ପଷ୍ଟ କରିଥିଲା ଯେ ସୁନୀତା ୬ ମାସ ତଳୁ ଛାଡ଼ପତ୍ର ଆବେଦନ କରିଥିଲେ । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ମାମଲାର ସମାଧାନ ହୋଇଥିବା ସେମାନେ କହିଥିଲେ । ଅନ୍ୟପକ୍ଷେ, ସୁନୀତାଙ୍କ ଟିମ୍ ଛାଡ଼ପତ୍ର ମାମଲାକୁ ପ୍ରଥମେ ଖଣ୍ଡନ କରିଥିଲେ ଏବଂ ସମସ୍ତ ସୂଚନାର ସତ୍ୟତା ସିଧାସଳଖ ସୁନୀତାଙ୍କଠୁ ଜାଣିବାକୁ ଅନୁରୋଧ କରିଥିଲେ । ଖବର ଅନୁସାରେ, ଜଣେ ୩୦ ବର୍ଷୀୟା ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ଘନିଷ୍ଠତା ଦମ୍ପତିଙ୍କ ବିଚ୍ଛେଦର କାରଣ ହୋଇଛି । କିନ୍ତୁ ଦମ୍ପତିଙ୍କର ଜଣେ ଘନିଷ୍ଠ ପାରିବାରିକ ବନ୍ଧୁ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ସର୍ବଦା ଏକାଠି ରହିବେ ବୋଲି ସେ କହିଛନ୍ତି ।