ନୂଆଦିଲ୍ଲୀ ୨୦/୦୮: ଭାରତୀୟ ସିନେମାର ସବୁଠୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଆଟ୍ଲି । ଏବେ ଫିଲ୍ମର ଟାଇଟଲ୍ ‘ଏଏ ୨୨ଙ୍ଘଏ୬’ ରହିଛି । ବଡ଼ ବଜେଟ୍ରେ ଫିଲ୍ମଟି ପ୍ରସ୍ତୁତ ହେଉଛି । ଆକ୍ସନ୍ ସିକ୍ୱେନ୍ସ ଓ ଭିଜୁଆଲ ଇଫେକ୍ଟ ପାଇଁ ଅନ୍ତର୍ଜାତୀୟ ଟିମ୍ଙ୍କୁ ନିୟୋଜିତ କରାଯାଇଛି । ଫିଲ୍ମରେ ଅଲ୍ଲୁଙ୍କ ସହିତ ମୁଖ୍ୟ ଭୂମିକାରେ ଅଛନ୍ତି ଦୀପିକା ପାଦୁକୋନ, ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର । ମୃଣାଳ ଠାକୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
ସଦ୍ୟ ରିପୋର୍ଟ ଅନୁସାରେ, ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦୀପିକା । ଆସନ୍ତା ନଭେମ୍ବରରେ ସୁଟିଂ ପାଇଁ ସେ ଅଲ୍ଲୁଙ୍କ ସହ ଫିଲ୍ମ ସେଟ୍ରେ ଯୋଗ ଦେବେ । ଫିଲ୍ମର ସୁଟିଂ ପାଇଁ ସେ ୧୦୦ ଦିନ ନିର୍ଦ୍ଧାରିତ କରିଛନ୍ତି । ଅଲ୍ଲୁଙ୍କ ସହ ଏହା ଦୀପିକାଙ୍କର ପ୍ରଥମ ପ୍ରୋଜେକ୍ଟ । ଦୀପିକାଙ୍କ ଚରିତ୍ର ପାଇଁ ଫିଲ୍ମ ଟିମ୍ ଜଣେ ଯୋଦ୍ଧାର ସ୍ୱତନ୍ତ୍ର ଲୁକ୍ ଡିଜାଇନ୍ କରିଛନ୍ତି । ତାଙ୍କ ପାଇଁ ସ୍ୱତନ୍ତ୍ର ଅସ୍ତ୍ର ମଧ୍ୟ ଡିଜାଇନ୍ କରାଯାଇଛି । ଫିଲ୍ମରେ ୩ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ ଅଲ୍ଲୁ । ପ୍ରତ୍ୟେକ ଭୂମିକାରେ ତାଙ୍କର ଲୁକ୍ ଭିନ୍ନ ରହିବ । ରିପୋର୍ଟ ଅନୁସାରେ, ଆଟ୍ଲିଙ୍କର ଏହି ଫିଲ୍ମ ଟେକ୍ନୋଲୋଜି କ୍ଷେତ୍ରରେ ଭାରତୀୟ ସିନେମାର ସବୁଠୁ ଉନ୍ନତ ପ୍ରୋଜେକ୍ଟ ହେବ । ୨୦୨୬, ସେପ୍ଟେମ୍ବର ପର୍ଯ୍ୟନ୍ତ ଫିଲ୍ମର ସୁଟିଂ ଜାରି ରହିବ । ୨୦୨୭, ଦ୍ୱିତୀୟାର୍ଦ୍ଧରେ ଫିଲ୍ମ ରିଲିଜ୍ ପାଇଁ ଲକ୍ଷ୍ୟ ରହିଛି ।