ନୂଆଦିଲ୍ଲୀ, ୧୭/୦୨: ପ୍ରତିଦିନ ସମାନ ନଥାଏ । କେବେ କେବେ ଦିନ ଖରାପ ଯାଏ । ବସ୍ ହୁଅନ୍ତୁ କି ସିନିୟରଙ୍କଠୁ କାମରେ ଭୁଲ ନେଇ ଗାଳି ପଡିଥାଏ । ଅଫିସରେ ସିନିୟର ଓ ଜୁନିୟର କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ସମୟରେ ତିକ୍ତତା ଆସିଥିବା ଦେଖିବାକୁ ମିଳେ । କାମରେ ଭୁଲ କଲେ ସିନିୟର ଜୁନିୟରଙ୍କୁ ଗାଳି ଦେଇଥାନ୍ତି । କଣ ଅଫିସରେ ସିନିୟର ଜୁନିୟରଙ୍କୁ ଗାଳି ଦେବା ଅପରାଧ କି ? ନିକଟରେ ସୁପ୍ରିମକୋର୍ଟ ଅଫିସରେ ସିନିୟର ଓ ଜୁନିୟରଙ୍କ ମଧ୍ୟରେ ହୋଇଥିବା ଏକା ମାମଲାର ରାୟ ଶୁଣାଇଛନ୍ତି । ଆସନ୍ତୁ ଜାଣିବା ।
୨୦୨୨ ମସିହାର ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି , ଯଦି ଜଣେ ଜୁନିୟରଙ୍କୁ ଅଫିସ କାମରେ ଭୁଲକୁ ନେଇ ଗାଳି ଦିଅନ୍ତି ଅବା ରାଗି କରି କିଛି କୁହନ୍ତି ତେବେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ କିମ୍ବା କୌଣସି ଆକ୍ସନ ନିଆଯିବ ନାହିଁ । ଅଫିସର ଜଣେ ବରିଷ୍ଠ ଅଧିକାରୀ ଗାଳି ଦେଲେ ବା ଚେତାବନୀ ଦେବାକୁ ଅପରାଧ କୁହାଯିବ ନାହିଁ । ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ।
କଣ ରାୟ ଦେଲେ କୋର୍ଟ ? ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୟ କରୋଲ ଏବଂ ସନ୍ଦୀପ ମେହତାଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି, ''ଏପରି ମାମଲାରେ ଲୋକଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଲଗାଇବାକୁ ଅନୁମତି ଦେବା ଏବଂ ଆକ୍ସନ ନେବା ଫଳରେ ପରିଣାମ ଖରାପ ହୋଇଥାଏ । ଏମିତି କରିବା ଫଳରେ ଅଫିସର ଅନୁଶାସନରେ ଆଞ୍ଚ ଆସିବ । ଅଫିସରେ ଅନୁଶାସନାତ୍ମକ ମାହୋଲ ବିଗିଡିଯାଏ । ଅଫିସ ସିନିୟର କେବଳ ରାଗି କରି କିଛି କହିଲେ ବା ଅସଭ୍ୟ ଭାଷା ବ୍ୟବହାର କଲେ ଧାରା ୫୦୪ ଅଧୀନରେ 'ଉଦ୍ଦେଶ୍ୟମୂଳକ ଅପମାନ' ଅନ୍ତର୍ଭୁକ୍ତ ନୁହେଁ ।''
କଣ ସେକ୍ସନ ୫୦୪ ? ଯଦି ଜାଣିଶୁଣି କାହାକୁ ଅପମାନ କରାଯାଏ ତେବେ ତାଙ୍କୁ ଦଣ୍ଡିତ କରାଯାଏ । ମାତ୍ର ଆଇପିସି ଧାରା ୫୦୪ରେ ଯଦି କେହି ବ୍ୟକ୍ତି ଶାନ୍ତି ବିଗାଡିବା ଉଦ୍ଦେଶ୍ୟରେ ଜାଣିଶୁଣି ଅପମାନ କରନ୍ତି ତେବେ ଏପରି ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୁଏ । ଜୁଲାଇ ୨୦୨୪ରେ ପ୍ରଭାବୀ ଭାରତୀୟ ନ୍ୟାସ ସଂହିତା (ବିଏନଏସ) ଅଧୀନରେ ଆଇପିସି ଧାରା ୫୦୪ରୁ ଧାରା ୩୫୨କୁ ବଦଳାଇ ଦିଆଯାଇଛି ।
କଣ ପୂରା ମାମଲା ? ୨୦୨୨ରେ ଏକ ମାମଲା କୋର୍ଟକୁ ଆସିଥିଲା । ଯାହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରୀୟ ମାନସିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥାନର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ଉପରେ ଜଣେ ଅସିଷ୍ଟଣ୍ଡ ପ୍ରଫେସର ଅପମାନ କରିଥିବା ଅଭିଯୋଗ ଆଣିଥିଲେ । ଅନ୍ୟ କର୍ମଚାରୀଙ୍କ ଆଗରେ ତାଙ୍କୁ ଗାଳି ଦେଇଥିବା ଅଭିଯୋଗ କରିଥିଲେ । ମାମଲାର ଶୁଣାଣି କରି ଏହା ଆଇପିସି ଧାରା ୫୦୪ ଅଧୀନରେ ଏହା 'ଉଦ୍ଦେଶ୍ୟମୂଳକ ଅପମାନ' ନୁହେଁ ବୋଲି କହିଥିଲେ ସୁପ୍ରିମକୋର୍ଟ ।