ବଲାଙ୍ଗିର,୧୦/୦୪: ଲାଠୋର ଶିଶୁବିକ୍ରି ଘଟଣାକୁ ୬ମାସ ନ ପୂରୁଣୁ ବଲାଙ୍ଗିରରେ ଏହାର ପୁନରାବୃତ୍ତି ଘଟିଛି । ସ୍ଥାନୀୟ ମାଲପଡ଼ା ଅଞ୍ଚଳର ଏକ ଭଡ଼ାଘରେ ରହୁଥିବା ଜଣେ ମହିଳା ନବଜାତ ଶିଶୁପୁତ୍ରକୁ ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଅଭାବ ଅନଟନ ଯୋଗୁଁ ଲାଳନପାଳନ କରି ନ ପାରି ମଧ୍ୟସ୍ଥି ଜରିଆରେ ଟିଟିଲାଗଡ଼ର ଜଣକୁ ବେଆଇନ ଭାବେ ଶିଶୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଘଟଣା ସାମ୍ନାକୁ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଟାଉନ୍ ଥାନା ପୁଲିସ୍, ଶିଶୁ ମଙ୍ଗଳ ସମିତି ଏବଂ ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ତଦନ୍ତ ଆରମ୍ଭ କରିଛନ୍ତି ।
ମହିଳାଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ ଟିଟିଲାଗଡ଼ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି । ମହିଳା ଜଣକ କୌଣସି ସରକାରୀ ଯୋଜନାରେ ସାମିଲ ନାହାନ୍ତି ଓ ଦାରିଦ୍ର୍ୟ କାରଣରୁ ସେ ଏପରି କରିଥିବା ଅଭିଯୋଗ ହୋଇଛି ।
ମହିଳାଙ୍କର ସ୍ୱାମୀ ନାହାନ୍ତି । ଦୀର୍ଘମାସ ହେଲା ସେ ମାଳପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି । ଗତ ୬ତାରିଖରେ ସେ ଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରସବ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଶିଶୁ ନିଖୋଜ ଥିଲା । ତାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା ।
ସିଡବ୍ଲ୍ୟୁସି କର୍ମକର୍ତ୍ତାମାନେ ପ୍ରସୂତିଙ୍କୁ ପଚରାଉଚରା କରିଥିଲେ । ପ୍ରଥମରୁ ସେ ଏହାକୁ ଅସ୍ୱୀକାର କରିଥିଲେ । ହେଲେ ବୁଝାସୁଝା କରିବା ପରେ ସେ ସତ ସ୍ୱୀକାର କରିଥିଲେ । ଶିଶିପୁତ୍ରକୁ ଟିଟିଲାଗଡ଼ ସହର ହାଇସ୍କୁଲ ପଡ଼ିଆ ଅଞ୍ଚଳର କୁନି ପଶାୟତଙ୍କୁ ଦେଇଥିବା ମାନିଥିଲେ । ଏଥିପାଇଁ ୨୦ ହଜାରରେ କଥା ଛିଣ୍ଡିଥିଲା । ଶିଶୁପୁତ୍ରକୁ ନେଇଥିବା ମହିଳାଜଣକ ଅଳ୍ପ କିଛି ଟଙ୍କା ଦେଇଥିବା ପ୍ରସୂତି କହିଛନ୍ତି । ମହିଳାଙ୍କଠୁ ସମ୍ପୃକ୍ତ ଦଲାଲଙ୍କ ନାମ, ଠିକଣା ଏବଂ ମୋବାଇଲ ନମ୍ବର ନେଇ ଶିଶୁକୁ ଉଦ୍ଧାର ପାଇଁ ପୁଲିସ୍ ଟିଟିଲାଗଡ଼ ଯାଇଛି । କେଉଁ ଉଦ୍ଦେଶ୍ୟରେ ଶିଶୁ ହସ୍ତାନ୍ତର ହେଲା, ଅସଲରେ କିଏ ନେଲା, କେତେ ଟଙ୍କା ଦେଣନେଣ ହୋଇଛି, ମହିଳାଜଣକ ସରକାରୀ ସୁବିଧା ପାଇଛନ୍ତି କି ନାହିଁ ଏସବୁର ତଦନ୍ତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ଲାଠୋର ଅଞ୍ଚଳରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଏକ ନବଜାତକଙ୍କୁ ବିକ୍ରି କରାଯାଇଥିଲା । ପରିବାରରେ ଅଭାବ ଅନଟନ ଯୋଗୁଁ ଶିଶୁର ଲାଳନପାଳନରେ ଅସମର୍ଥ ପରିବାର ଜଣେ ଔଷଧ ଦୋକାନୀଙ୍କ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ଜଣାପଡ଼ିଥିଲା । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା ।