ନୂଆଦିଲ୍ଲୀ,୨୩।୬: ବିହାରରେ ସିବିଆଇ ଟିମ୍ ଉପରେ ଆକ୍ରମଣ। ୟୁଜିସି ନେଟ୍ ପେପର ଲିକ୍ ମାମଲାରେ ମୋବାଇଲ ଲୋକେସନ୍ ଆଧାରରେ ଯାଞ୍ଚ ପାଇଁ ଶନିବାର ଦିଲ୍ଲୀରୁ ବିହାର ଯାଇଥିଲା ସିବିଆଇ ଟିମ୍ । ସକାଳ ପ୍ରାୟ ୧୦ଟା ବେଳେ ବିହାରର ନଓ୍ବାଦ ଜିଲ୍ଲାର ରଜୌଲିରେ ଟିମ୍ ପହଁଞ୍ଚିଥିଲା। ଯାଞ୍ଚ ବେଳେ କାସିୟାଡିହ ଗାଁର ଲୋକ ସିବିଆଇକୁ ନକଲି ଭାବି ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ। ଗାଡି ଭଙ୍ଗାରୁଜା କରିଥିଲେ। ସିବିଆଇ ଟିମ୍ରେ ସ୍ଥାନୀୟ ପୋଲିସର ମହିଳା କନଷ୍ଟେବଳ ସହିତ ୪ ଜଣ ଅଧିକାରୀ ଥିଲେ।
ସିବିଆଇ ଅଧିକାରୀଙ୍କ ସହିତ ମାରପିଟ୍ର ସୂଚନା ଯେତେବେଳେ ରଜୌଲି ପୋଲିସକୁ ମିଳିଥିଲା ସେତେବେଳେ ସୂଚନା ମିଳିବା ପରେ ତୁରନ୍ତ ଥାନାଅ ଧିକାରୀ ଇନ୍ସପେକ୍ଟର ରାଜେଶ କୁମାରଙ୍କ ପୁରା ଟିମ୍ କାସିୟାଡିହ ଗାଁରେ ପହଁଞ୍ଚିଥିଲା। ଥାନା ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇ ଶାନ୍ତ କରିଥିଲେ। ତେବେ ମାରପିଟ୍ ଘଟଣା ପରେ ସିବିଆଇ ମୋବାଇଲ ନମ୍ବର ଲୋକେସନ୍ ଆଧାରରେ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ଓ ତାଙ୍କ ସହ ନେଇ ଯାଇଛି।
ସିବିଆଇ ଅଧିକାରୀ କହିଛନ୍ତି, ମୋବାଇଲ ନମ୍ବର ଆଧାରରେ ଯାଞ୍ଚ ପରେ ପେପର ଲିକ୍ ମାମଲାରେ ସାମିଲ ଲୋକଙ୍କୁ ମଧ୍ୟ ଗିରଫ କରି ନିଆଯିବ। ସିବିଆଇ ଟିମ୍କୁ ମାରପିଟ୍ ମାମଲାରେ ପୋଲିସ ଜଣେ ମହିଳା ସହ ୪ ଜଣଙ୍କୁ ଗିରଫ କରିଛି।