ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏନ୍‍ସିସି ମହାନିର୍ଦ୍ଦେଶକ, ଓଡ଼ିଶାରେ ହେବ ୩ କ୍ୟାଡେଟ୍‍ ଟ୍ରେନିଂ ସେଣ୍ଟର

Published By : Prameya | February 10, 2025 10:33 PM

ଭୁବନେଶ୍ୱର,୧୦।୨ ଏନ୍‍ସିସି ମହାନିର୍ଦ୍ଦେଶକ ଲେଫ୍‍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନସିସିର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଓଡ଼ିଶାରେ ଏନ୍‍.ସି.ସି.ର କାଡେଟ୍‍ ସଂଖ୍ୟା ୬୦ ହଜାର ରହିଛି । ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ । ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ,, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍‍.ସି.ସି. ଶାଖା ପ୍ରତିଷ୍ଠା କରାଯିବ ।  ରାଜ୍ୟରେ ଏନ୍‍.ସି.ସି. ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ତିନୋଟି ଟ୍ରେନିଙ୍ଗ୍ ସେଣ୍ଟର ପ୍ରତିଷ୍ଠା କରାଯିବ । କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍‍ଧ ଥିବାବେଳେ, ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦିଆଯିବ । 

ଏହା ସହିତ କୋରାପୁଟରେ ଏନ୍‍.ସି.ସି.ର ଗ୍ରୁପ୍‍ ହେଡ୍‍କ୍ୱାଟର୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯିବ । ଝାରସୁଗୁଡ଼ା ଏୟାରପୋର୍ଟରେ ଏନ୍‍.ସି.ସି. ପିଲାମାନଙ୍କୁ ବିମାନ ଉଡାଣ ପ୍ରଶିକ୍ଷଣ ଦେବାପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି । ଏଥିପାଇଁ ସେଠାରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

 ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏନ୍‍.ସି.ସି. ହେଉଛି ଦେଶର ଏକ ପ୍ରତିଷ୍ଠିତ ସଂସ୍ଥା । ଛାତ୍ର ଓ ଯୁବଶକ୍ତିର ସମ୍ଭାବନାକୁ ବିକଶିତ କରି ଦେଶର ସେବାରେ ନିୟୋଜିତ କରିବା କ୍ଷେତ୍ରରେ ଏହାର ତୁଳନା ନାହିଁ । ତେଣୁ ଓଡ଼ିଶାରେ ଏହି ସଂସ୍ଥାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 

ଏଥିପାଇଁ ଏନ୍‍.ସି.ସି. ପକ୍ଷରୁ ଡାଇରେକ୍ଟର କର୍ଣ୍ଣେଲ ସାଗର ମହାନ୍ତି ଓ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏନ୍‍.ସି.ସି. ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ନିଷ୍ପତ୍ତି ଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଏନ୍‍.ସି.ସି.ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.