ଭୁବନେଶ୍ବର,୧୮।୩ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପରିବାର ସଦସ୍ୟ । ଆସନ୍ତା କାଲି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପରିବାର । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ସମୟ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଥିଲେ ନବଙ୍କ ପରିବାର ଲୋକେ।
ମାର୍ଚ୍ଚ ୧୧ ତାରିଖରେ ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଥିଲେ। ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଥିଲେ ମିନତୀ ।
ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ତାଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ମଙ୍ଗଳବାର ପହଞ୍ଚିଥିଲେ। ନୂଆ ତଦନ୍ତ ଅଧିକାରୀ ଏଏସପି ବିଜୟ ମଲ୍ଲିକ ଏବଂ ଡିଏସପି ଦିପ୍ତୀମୟୀ ମଲ୍ଲିକ ନବଙ୍କ ଘରେ ପହଞ୍ଚିଥିଲେ। ନବଙ୍କ ପୁଅ ବିଶାଳ, ଝିଅ ଦୀପାଳି ଏବଂ ସ୍ତ୍ରୀ ମୀନତିଙ୍କର ବୟାନ ରେକର୍ଡ କରିଥିଲେ। ଦୀର୍ଘ ୭ ଘଣ୍ଟା ଧରି ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ ରହିଥିଲା। ।
ଅନ୍ୟପକ୍ଷରେ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ବିଶାଲ ଦାସ। ମୁଖ୍ୟମନ୍ତ୍ରୀ ସମୟ ଦେଲେ ତାଙ୍କୁ ଦେଖା କରି ଆଲୋଚନା କରିବୁ ବୋଲି କହିଥିଲେ।
ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରି ସାରିଛି। ଏହି ମାମଲା ଏବେ ବିଚାରଧୀନ ଥିବାବେଳେ ୩୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେଲାଣି। ଯଦି ଏହି ମାମଲାରେ କୌଣସି ଅଧିକ ତଥ୍ୟ ମିଳେ ତେବେ ସେନେଇ ତଦନ୍ତ କରି ଆଡିସନାଲ ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ଵ ଦିଆଯାଇଥିଲା। ସେହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ନୋଟିସ ଜାରି କରିଥିଲା। ଯଦି ତାଙ୍କ ପାଖରେ କୌଣସି ନୂଆ ଆପତ୍ତି ବା ତଥ୍ୟ ଅଛି ତାହା ଜଣାଇବାକୁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ ବିଶାଳ ଏବଂ ଦୀପାଳି ସମୟ ମାଗିବା ସହ ଘରେ ବୟାନ ରେକର୍ଡ କରିବା ପାଇଁ କହିଥିଲେ। ତେଣୁ ମଙ୍ଗଳବାର ଏକ ଟିମ୍ ନବଙ୍କ ସରବାହାଲ ସ୍ଥିତ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି।