ଧରାକୋଟ/ଭଞ୍ଜନଗର,୧୮/୩ ; ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ । ବାପା-ପୁଅ ସମେତ ୩ ମୃତ। ବଡଗଡ ଥାନା ଅନ୍ତର୍ଗତ ଧରାକୋଟ ବ୍ଳକର ବାହାରପୁର ପଂଚାୟତର ଖାରିପଲ୍ଲୀ ଗାଁରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ବାପା ଖଦାଳ ବେହେରା, ପୁଅ ରତ୍ନାକର ବେହେରା ଏବଂ ରମେଶ ବେହେରା ।
ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଖାରିପଲ୍ଲୀ ଗ୍ରାମରେ ଗୁଣିଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା l ମଙ୍ଗଳବାର ସନ୍ଧ୍ୟା ସମୟରେ ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଏହି ପାଟିତୁଣ୍ଡରୁ କଥା ହଣାହଣୀ ପର୍ଯ୍ୟନ୍ତ ପହଞ୍ଚିଥିଲା l ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ଗାଁ ଦାଣ୍ଡରେ ବାପା ଖଦାଳ ବେହେରା ଓ ପୁଅ ରତ୍ନାକର ବେହେରାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବାପା-ପୁଅଙ୍କୁ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଅରୁଣ ବେହେରା, ଭିକାରି ବେହେରା, ଜଗନ୍ନାଥ ବେହେରା, ରମେଶ ବେହେରା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା l ଡାକ୍ତରଖାନାରେ ରମେଶ ବେହେରାଙ୍କ ମୃତ୍ୟ ହୋଇଥିଲା। ଗୁରୁତର ଅବସ୍ଥାରେ ଅରୁଣ ବେହେରା, ଭିକାରି ବେହେରା, ଜଗନ୍ନାଥ ବେହେରା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନସ୍ତରିତ କରାଯାଇଛି l ଘଟଣା ସ୍ଥଳରେ ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ସମେତ ପୋଲିସ ଫୋର୍ସ ପହଂଚି ତଦନ୍ତ ଚଳାଇଛନ୍ତି l