ନେପିତ,୩୦/୦୩: ଶୁକ୍ରବାର ଆସିଥିବା ୭.୭ ତୀବ୍ରତାର ଭୟାବହ ଭୂକମ୍ପ ଥରାଇ ଦେଇଛି ମ୍ୟାଁମାରକୁ । ପ୍ରକୃତିର ଏହି ତାଣ୍ଡବ ଯୋଗୁ ଦେଶରେ ବହୁ ମୂଲ୍ୟବାନ ଜୀବନଦୀପ ଲିଭିଯାଇଛି । ଏବେ ସବୁଠି ଧ୍ୱଂସସ୍ତୂପ । ଧ୍ୱଂସସ୍ତୂପ ତଳେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ଚାଲିଛି ପ୍ରାଣମୂର୍ଚ୍ଛା ସଙ୍ଘର୍ଷ । ସବୁଠି ଚିତ୍କାର । ହାହାକାର । ମ୍ୟାଁମାରରେ ମୃତ୍ୟୁସଂଖ୍ୟା ୧,୬୪୪କୁ ବୃଦ୍ଧି ପାଇଥିଲା ବେଳେ ୩,୪୦୮ରୁ ଅଧିକ ଆହତ ହୋଇଛନ୍ତି । ଶତାଧିକ ଲୋକ ନିଖୋଜ ଅଛନ୍ତି । ସେଠାରେ ୧୫୦୦ରୁ ଅଧିକ ଅଟ୍ଟାଳିକା ଭାଙ୍ଗି ପଡ଼ିଥିବା ବେଳେ ୭ଟି ପୋଲ ଭୁଶୁଡ଼ି ପଡ଼ିଛି ।
ଗୃହଯୁଦ୍ଧରେ ଫସିଥିବା ମ୍ୟାଁମାରରେ ଭୂକମ୍ପ ଯୋଗୁ ଚାରିଆଡ଼ୁ ବିପଦ ମାଡ଼ିଆସିଛି । ଉଦ୍ଧାରକାରୀ ଦଳ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଭଗ୍ନାବଶେଷରୁ ବାହାର କରୁଛନ୍ତି । କିନ୍ତୁ ଏ କ୍ଷେତ୍ରରେ ଭାରୀ ମେସିନ୍ର ଘୋର ଅଭାବ ସେମାନଙ୍କ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ମେସିନ୍ର ଅଭାବ ଯୋଗୁ କିଛି ଉଦ୍ଧାରକାରୀ ଟିମ୍ ନିଜ ହାତକୁ ବାରିସି କରିଛନ୍ତି । ଧ୍ୱଂସାବଶେଷକୁ ଖାଲି ହାତରେ ହଟାଇ ସେମାନେ ଲୋକଙ୍କୁ ଯଥାଶୀଘ୍ର ବାହାର କରୁଛନ୍ତି । ଇତିମଧ୍ୟରେ ଉଦ୍ଧାରକାରୀ ଦଳ ଖାଲି ହାତରେ ଧ୍ୱଂସାବେଶେଷ ଖୋଳି ଅନେକ ଜୀବନ ବଞ୍ଚାଇ ସାରିଲେଣି । ଭାରତ ଭଳି ଅନ୍ୟ କେତେକ ଦେଶ ସେମାନଙ୍କୁ ସହାୟତା ପୂର୍ବକ ବିଭିନ୍ନ ମେସିନ୍ ଯୋଗାଉଛନ୍ତି । ତଥାପି ଭୂକମ୍ପର ଭୟାବହ ପ୍ରଭାବ ଦୃଷ୍ଟିରୁ ତାହା ଯଥେଷ୍ଟ ହେଉନାହିଁ ।
ମ୍ୟାଁମାରରେ ଭୂକମ୍ପ ଯୋଗୁ ଅଧିକ ପ୍ରଭାବିତ ହୋଇଥିବା ମଣ୍ଡଲୟ ସହର ଅମାରପୁରାରେ ଜଣେ ଉଦ୍ଧାରକାରୀ କହିଛନ୍ତି, ଧ୍ୱସ୍ତ ହୋଇପଡି଼ଥିବା ଏକ ଅଟ୍ଟାଳିକା ତଳେ ଫସିରହିଥିବା ୧୪୦ ବୌଦ୍ଧ ଭିକ୍ଷୁଙ୍କ ନିକଟରେ ସେମାନେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନଙ୍କ ନିକଟରେ ଧ୍ୱଂସାବଶେଷ ହଟାଇବାକୁ ଯଥେଷ୍ଟ ଲୋକବଳ ଓ ଭାରୀ ମେସିନ୍ ନଥିବାରୁ ବୌଦ୍ଧ ଭିକ୍ଷୁଙ୍କ ନିକଟରେ କୌଣସି ପ୍ରକାର ସହାୟତା ପହଞ୍ଚିପାରୁ ନାହିଁ । ତଥାପି ସେମାନଙ୍କର କାର୍ଯ୍ୟ ଜାରି ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।
ଭୂକମ୍ପରୁ ରକ୍ଷା ପାଇଯାଇଥିବା ମଣ୍ଡଲୟର ଜଣେ ବାସିନ୍ଦା ହେଟ୍ ମିନ୍ ଓ କହିଛନ୍ତି, ତାଙ୍କର କିଛି ପରିଜନ ଭୁଶୁଡି ପଡିଥିବା ଏକ ବିଲ୍ଡିଂ ମଧ୍ୟରେ ଫସିରହିଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚି ନଥିବାବେଳେ ସେ ନିଜେ ହାତରେ ଖୋଳି ସେମାନଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରଖିଛନ୍ତି । ମଣ୍ଡଲୟରେ ଥିବା ୱିଜଡମ୍ ଭିଲା ଘରୋଇ ହାଇସ୍କୁଲ କୋଠା ଭୁଶୁଡ଼ି ପଡ଼ିଛି । ଭଗ୍ନାବଶେଷ ତଳେ ଅନେକ ଛାତ୍ରଛାତ୍ରୀ ଫସିରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ କିଛି ଛାତ୍ରଛାତ୍ରୀଙ୍କ ନାମ ନେଇ ଡାକିଥିଲେ। କିନ୍ତୁ କୌଣସି ଜବାବ ମିଳିନାହିଁ ।
ଇତିମଧ୍ୟରେ ବିଜୁଳିର ଅଭାବ ମଧ୍ୟ ଉଦ୍ଧାର ଲାଗି ଏକ ବଡ଼ ସମସ୍ୟା ପାଲଟିଛି । ରେଡ୍ କ୍ରସ୍ ପକ୍ଷରୁ କୁହାଯାଇଛି ଯେ, ବିଜୁଳି ଅଭାବ ଯୋଗୁ ମଣ୍ଡଲୟ, ସାଗାଇଙ୍ଗରେ ପୀଡ଼ିତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ କରୁଥିବା ସଂସ୍ଥାର ଟିମ୍କୁ ସଫଳତା ମିଳୁନାହିଁ ।
ମଣ୍ଡଲୟ ଓ ୟାଙ୍ଗୁନ୍ରେ ବିଜୁଳି ନଥିବାବେଳେ ଟେଲିଫୋନ୍ ସେବା ମଧ୍ୟ ଠପ୍ ହୋଇପଡ଼ିଛି । ମଣ୍ଡଲୟରେ କ୍ଷୟକ୍ଷତିର ପରିମାଣ ବହୁ ଅଧିକ ହୋଇଥିବାରୁ ସେଠାରେ ବିଜୁଳି ସମସ୍ୟା ଆଉ କିଛି ଦିନ ରହିପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ବିଧ୍ୱଂସକାରୀ ପ୍ରାକୃତିକ ଦୁର୍ବିପାକର ଦୃଢ଼ ମୁକାବିଲା ଲାଗି ମ୍ୟାଁମାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହିଁ । ୨୦୨୧ରୁ ଦେଶରେ ଗୃହଯୁଦ୍ଧ ଲାଗି ରହିଛି ।