ବ୍ୟାଙ୍କକ୍,୩୧/୦୩: ଭାରତର ପଡ଼ୋଶୀ ଦେଶ ମ୍ୟାଁମାରରେ ମୃତ୍ୟୁ ବିଭୀଷିକା ଦେଖିବାକୁ ମିଳିଛି । ଭୟଙ୍କର ଭୂକମ୍ପରେ ଛାରଖାର ହୋଇଥିବା ମ୍ୟାଁମାରରେ ମୃତ୍ୟୁର କରାଳ ରୂପ ଦେଖିବାକୁ ମିଳିଛି । ଶକ୍ତିଶାଳୀ ଭୂକମ୍ପରେ ଥରହର ମ୍ୟାଁମାରରେ ଏବେ ଆର୍ତ୍ତ ଚିତ୍କାର । ସମୟ ଗଡ଼ିବା ସାଙ୍ଗକୁ ଭଗ୍ନାବଶେଷ ତଳୁ ମୃତଦେହ ବାହାରୁଛି । ମୃତ୍ୟୁସଂଖ୍ୟା ୧୭୦୦ ପାର୍ କରିଛି । ୩,୪୦୦ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।
ଭୂକମ୍ପକୁ ଦୁଇଦିନ ବିତିଥିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରୁଛି । ଏହାରି ମଧ୍ୟରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ମଧ୍ୟରୁ ଜୀବନ ଖୋଜିବାରେ ଲାଗି ପଡିଛନ୍ତି । ଶ୍ମଶାନ ପାଲଟିଛି ମଣ୍ଡଲୟ ସହର । ଦିନ ଗଡ଼ିବା ସାଙ୍ଗକୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ୧୭ ଶହ ପାର୍ କରିଛି ମୃତ୍ୟୁସଂଖ୍ୟା । ୩,୪୦୦ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି ପାଖାପାଖି ୩୦୦ ନିଖୋଜ ଅଛନ୍ତି । ମ୍ୟାଁମାରରେ ଆସିଥିବା ଭୂକମ୍ପରେ ମଣ୍ଡଲୟ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଶ୍ମଶାନ ପାଲଟିଛି ମଣ୍ଡଲୟ । ବଡ଼ ଅଟ୍ଟାଳିକା, ପୋଲ, ରାଜପଥ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଛାରଖାର ହୋଇଯାଇଛି । ଭଗ୍ନାବଶେଷ ତଳେ ଏବେ ବି ଜୀବନ ଚାପି ହୋଇ ରହିଛି । ଉଦ୍ଧାରକାରୀ ଦଳ ପ୍ରାଣମୂର୍ଚ୍ଛା ଉଦ୍ଧାର ଅଭିଯାନ ଚଳାଇଛନ୍ତି ।
ସ୍ଥିତି ଅଣାୟତ- ମ୍ୟାଁମାର ଭୟଙ୍କର ଗୃହ ଯୁଦ୍ଧ ଭିତରେ ଏହି ପ୍ରାକୃତିକ ଦୁର୍ବିପାକ ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଛି । ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ହସ୍ପିଟାଲରେ ଜାଗା ନାହିଁ । ଶଯ୍ୟା ବି ଖାଲି ନାହିଁ । ଲୋକମାନେ ରାସ୍ତାଘାଟରେ ପଡ଼ି ପ୍ରାଣ ହରାଉଛନ୍ତି । ସେମାନଙ୍କ ପାଇଁ କିଛି କରି ପାରୁନାହୁଁ । ଜନତାଙ୍କ ଖର୍ଚ୍ଚରେ ଉଦ୍ଧାର ଅଭିଯାନ ଚାଲିଥିବା କହିଛନ୍ତି କ୍ୟାଥୋଲିକ୍ ରିଲିଫ୍ ସର୍ଭିସେସର ମ୍ୟାଁମାର ପ୍ରବନ୍ଧକ କାରା ବ୍ରାଗ୍ ।
ଅଧିକ ପଢନ୍ତୁ...ମିଆଁମାରରେ ହୋଇଥିବା ଭୂକମ୍ପ ୩୩୪ଟି ପରମାଣୁ ବୋମା ଠାରୁ ନିର୍ଗତ ଶକ୍ତି ସହ ସମାନ: ଭୂବିଜ୍ଞାନୀ
କହି ରଖୁଛି କି, ଗତ ଶୁକ୍ରବାର ୭.୭ ତୀବ୍ରତାର ଭୂକମ୍ପ ମ୍ୟାଁମାର ଓ ଥାଇଲାଣ୍ଡକୁ ଦୋହଲାଇ ଦେଇଥିଲା । ମ୍ୟାଁମାର ଉପରେ ଭୂକମ୍ପର ପ୍ରଚଣ୍ଡ ପ୍ରହାର ଦେଇଥିଲା । ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ସେହିପରି ଥାଇଲାଣ୍ଡରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୨ଜଣ ଆହତ ହୋଇଛନ୍ତି । ଏକ ୩୩ ମହଲା କୋଠା ଭୁଶୁଡ଼ିବା ଯୋଗୁଁ ଏହାତଳେ ଚାପି ହୋଇ ୮୩ ଜଣ ନିଖୋଜ ଅଛନ୍ତି । ଗତକାଲି (ରବିବାର) ମଧ୍ୟ ମ୍ୟାଁମାରରେ ଆଉ ଏକ ଭୂକମ୍ପ ଅନୂଭୁତ ହୋଇଥିଲା । ୫.୧ ତୀବ୍ରତା ଥିଲା ।