ଭୁବନେଶ୍ୱର,୧୪/୦୪: ମା’ ହତ୍ୟାର ପ୍ରତିଶୋଧ ନେଲା ପୁଅ। ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ଯାଇଥିଲା ଜେଲ । ଜେଲ ଫେରନ୍ତା ବାପାକୁ ହତ୍ୟା କଲା ପୁଅ । ମୃତକ କ୍ରାନ୍ତି ବର୍ମା ବୋଲି ଜଣାପଡ଼ିଛି । ହତ୍ୟାକାରୀ ପୁଅ ବିଷ୍ଣୁ ବର୍ମାକୁ ଗିରଫ କରି ତଦନ୍ତ କରୁଛି ବ୍ରାହ୍ମଣୀତରଙ୍ଗ ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପତ୍ର ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ମୃତକ କ୍ରାନ୍ତି ବର୍ମା ନିଜ ସ୍ତ୍ରୀକୁ ହତ୍ୟା କରିଥିଲେ । ଯାହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଉ ଏବେ ଜେଲ୍ରୁ ଫେରିଥିଲେ କ୍ରାନ୍ତି ବର୍ମା । ହେଲେ ପୁଅ ମନରୁ ଲିଭିନଥିଲା ପ୍ରତିଶୋଧର ନିଆଁ । ମାଆକୁ ହତ୍ୟା କରିଥିବା ରାଗ ପୁଅ ମନରେ କୁହୁଳୁଥିଲା । ଯାହାର ପରିଣତି ହେଉଛି, ଏବେ ଜେଲ୍ ଫେରନ୍ତା ବାପାକୁ ହତ୍ୟା କରିଛି ପୁଅ । ହତ୍ୟା ପରେ ଅଭିଯୁକ୍ତ ପୁଅ ବିଷ୍ଣୁ ବର୍ମାଙ୍କୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ । ଏହାପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ପରେ ହତ୍ୟା ନେଇ କିଛି ତଥ୍ୟ ମିଳିବାର ଆଶା ରଖିଛି ପୋଲିସ । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ବି ସହଯୋଗ ନେଇପାରେ ପୋଲିସ ।