ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୩ ଦିନରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ, ୭ ଏସି କୋଚ୍‌ ଚଳାଚଳ ସାମୟିକ ବାତିଲ…

Published By : Prameya | March 27, 2025 11:06 PM

ଜୟପୁର,୨୭/୩ : ଘରୋଇ ବସ୍‌ ମାଲିକଙ୍କ ଚାପରେ ସରକାର ଚେପା। ଆରମ୍ଭର ମାତ୍ର ୩ ଦିନ ପରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ ହୋଇଯାଇଛି। ଗତ ସୋମବାରରୁ ଜୟପୁରରୁ ଚଳାଚଳ କରୁଥିବା ସମସ୍ତ ୭ ଏସି ବସ୍‌ ଚଳାଚଳ ଉପରେ ରୋକ୍‌ ଲଗାଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବସ୍‌ ଚଳାଚଳ ସାମୟିକ ବନ୍ଦ କରାଯାଇଛି। ସ୍ଥାନୀୟ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ପୁରୁଣା ବସ୍‌ଷ୍ଟାଣ୍ଡରେ ବସ୍‌ ଗୁଡିକ ରହିଛି । ପୂର୍ବରୁ ‘ଲକ୍ଷ୍ମୀ’ ଭାବେ ପରିଚିତ ଉପରୋକ୍ତ ଏସି ବସ୍‌ ଗୁଡ଼ିକ ସେମିଳିଗୁଡ଼ା ସରକାରୀ ବସ୍‌ଷ୍ଟାଣ୍ଡରେ ପଡ଼ି ରହିଥିଲା। ମୁଖ୍ୟମନ୍ତ୍ରୀ ବସ୍‌ ସେବା ଭାବେ ପରିବର୍ତ୍ତିତ ପରେ ଆରମ୍ଭ ହୋଇଥିଲା ଗାଡ଼ି ଚଳାଚଳ। ଗତ ୨୪ ତାରିଖରେ ସ୍ଥାନୀୟ ନୂଆ ସରକାରୀ ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ଜିଲ୍ଲାକୁ ଗଡ଼ିଥିଲା ବସ୍‌ । ନୂଆ ରୁଟ୍‌ ଗୁଡ଼ିକ ଥିଲା ଜୟପୁର-ଗୁଣପୁର ପ୍ରଥମ, ଦ୍ୱିତୀୟ, ଜୟପୁର-କାଶୀପୁର ଭାୟା ଲକ୍ଷ୍ମୀପୁର, ଜୟପୁର-ମାଲକାନଗିରି, ଜୟପୁର-କୋଟିଆ ଭାୟା କୋଟା ଛକ, ଲମତାପୁଟ, ନନ୍ଦପୁର, ଜୟପୁର-ଭବାନୀପାଟଣା ଏବଂ ଜୟପୁର-କଳାହାଣ୍ଡିର କୋଟଗାଁ ଭାୟା ଆମପାଣି । ଶୀତତାପ ନିୟନ୍ତ୍ରିତ, ଆରାମଦାୟକ ଯାତ୍ରା, ଟାଇମିଂ ଲାଗି ମାତ୍ର ୩ ଦିନରେ ବସ୍‌ ଗୁଡ଼ିକୁ ଯାତ୍ରୀ ପସନ୍ଦ କରିଥିଲେ । 

ପ୍ରଥମ ଦିନ ଅପେକ୍ଷା ଦ୍ୱିତୀୟ ଏବଂ ତୃତୀୟ ଦିନରେ ଆଦାୟ ଅପେକ୍ଷାକୃତ ବଢିଥିଲା । ଆଜି ଚତୁର୍ଥ ଦିନରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଚର୍ଚ୍ଚା ହେଉଛି, ଓଏସ୍‌ଆରଟିସି ଗାଡ଼ି ଚଳାଚଳକୁ ପସନ୍ଦ କରିନଥିଲେ ଘରୋଇ ବସ୍‌ ମାଲିକ । ଚାପ ପ୍ରୟୋଗ କରିଥିଲେ। ବୁଧବାର ଅର୍ଥାତ ୨୬ ତାରିଖ ରାତିରେ ଏସ୍‌ଟିଏରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ପରବର୍ତ୍ତି ନର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ୨୭ ତାରିଖରୁ ମୁଖ୍ୟମନ୍ତ୍ରୀ ଏସି ବସ୍‌ ସେବା ବନ୍ଦ ଲାଗି ନର୍ଦ୍ଦେଶ ଆସିଥିଲା। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣରେ ନାପସନ୍ଦ କରାଯାଇଛି। ଘରୋଇ ବସ୍‌ ମାଲିକଙ୍କ ଚାପରେ ନପଡ଼ି ତୁରନ୍ତ ବସ୍‌ ସେବା ଆରମ୍ଭ ଲାଗି ବୁଦ୍ଧିଜୀବୀ ଦାବି କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଓଏସ୍‌ଆରଟିସି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.