ମାହାଙ୍ଗା ୨୪/୧୦: ବାତ୍ୟା ସମୟରେ ଚଢା ଦର କିମ୍ବା କଳାବଜାରୀ କଲେ ଗିରଫ ହେବେ ଅସାଧୁ ବ୍ୟବସାୟୀ। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲ୍ଲା ସମେତ ବିଶେଷ କରି କଟକ ଜିଲ୍ଲାର ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି, କଟକ ସଦର ଓ ନିଆଳି ବ୍ଲକକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆଜି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନଙ୍କ ସହିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକର କଲ୍ୟାଣପୁର, କୁହୁଣ୍ଡା, ଭେଡା ଆଦି ବାତ୍ୟା ଆଶ୍ରୟସ୍ଥଳ ବୁଲିବା ସମୟରେ ଏହା କହିଛନ୍ତି ମାନ୍ୟବର ମନ୍ତ୍ରୀ। ଏହା ପରେ ମାହାଙ୍ଗା ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ । ଭେଡା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସମୟରେ ଠିକ୍ ସମୟରେ ଲୋକ ମାନଙ୍କ ପାଇଁ ରନ୍ଧା ଖାଦ୍ୟ ନହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ ବିଧାୟକ ସାରଦା ପ୍ରଧାନ ଏବଂ ଦୁଇ ଦିନ ପର୍ଯ୍ୟନ୍ତ ଲୋକ ମାନଙ୍କୁ ଠିକ୍ ସମୟରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ପାଇଁ ମାହାଙ୍ଗାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ମନ୍ତ୍ରୀ,ତାଙ୍କ ସହ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ,ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ, ମାହାଙ୍ଗା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।