ପୁରୀ, ୨୩/୧୦ : ପୁରୀରେ ଯୋଗାଣ ବିଭାଗର ଧରପଗଡ ଜାରି । ବାତ୍ୟା ସମୟରେ ଯେପରି ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର କଳାବଜାର ନ ହୁଏ ଓ ଖାଉଟି ହଇରାଣ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗାଣ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ କିଛି ଅସାଧୁ ବ୍ୟବସାୟୀ ଲାଭ ଖୋର ମନୋବୃତ୍ତି ନେଇ କଳାବଜାର କରିବା ସହ କୃତ୍ରିମ ଅଭାବ ସୃଷ୍ଟି କରି ସାଧାରଣ ଖାଉଟିଙ୍କୁ ଶୋଷଣ କରିଥାନ୍ତି ।
ଆବଶ୍ୟକଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରିଥାନ୍ତି । ଏହାକୁ ପ୍ରତିହତ କରିବା ସହ ସଠିକ ମୂଲ୍ୟରେ ଖାଉଟି ସାମଗ୍ରୀକୁ ଯୋଗାଣ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରପଗଡ ଜାରି ରହିଛି । ସମସ୍ତ ବ୍ୟବସାୟୀମାନଙ୍କୁ ଉଚିତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ପରାମର୍ଶ ଦିଆଯାଇଛି । ତାହାର ଅନୁଧ୍ୟାନ ପାଇଁ ଧରପଗଡ ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସୂଚନା ଦେବା ସହ ଉଲ୍ଲଘଂନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି ।