ଭୁବନେଶ୍ୱର,୧୫/୦୨: ଶେଷରେ ଜେଲ୍ ଗଲେ କୋଟପାଡର କୋଟିପତି ADEO ଏସ୍ ପାର୍ଥ ସାରଥୀ ବିଶୋୟୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଚଢାଉ କରିଥିଲା ଭିଜିଲାନ୍ସ । ଏହି ମାମଲାରେ ଶୁକ୍ରବାର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ତାଙ୍କ ପାଖରୁ ୩ଟି କୋଠା, ୭୩ ଲକ୍ଷ ୮୭ ହଜାର ଟଙ୍କା ମୂଲ୍ୟର ୧୬ଟି ପ୍ଲଟ୍, ବୋରିଗୁମ୍ମା ଚମ୍ପିଆରେ ୮୫୦୦ ବର୍ଗଫୁଟର କାଜୁ ପ୍ରୋସେସିଂ ୟୁନିଟ ସହ ୨୮୫ ଗ୍ରାମ୍ ସୁନା, ୭୦୬ ଗ୍ରାମ ରୂପା ଅଳଙ୍କାର, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨ଟି କଂକ୍ରିଟ ମିକ୍ସଚର ମେସିନ, ୨ଟି ଧାନକଟା ମେସିନ୍, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ୩ଟି ଦୁଇ ଚକିଆ ଯାନ, ୧୯ ଲକ୍ଷ ଟଙ୍କାର ବୀମା, ବ୍ୟାଙ୍କ ଜମା ଜବତ ହୋଇଥିବା ନେଇ ଏସପି କହିଛନ୍ତି । ଏସବୁ ସମ୍ପତ୍ତି ହିସାବ କଲେ ତାଙ୍କର ଆୟର ୩୦୦ ଗୁଣା ଅଧିକ ହେଉଛି । ଏ ସବୁ ସମ୍ପତ୍ତି ସେ କେଉଁଠାରୁ ଆଣିଛନ୍ତି, ଏହାର ସନ୍ତୋଷଜନକ ଉତ୍ତର ସେ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା ।
କହିରଖୁ କି, ଗୁରୁବାର ସକାଳୁ କୋଟପାଡ ବ୍ଳକ ବତାସନା ଜି.ପି. ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ଏସ୍ ପାର୍ଥ ସାରଥୀ ବିଶୋୟୀଙ୍କ ଘରେ ପଶି ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଜୟପୁର ଭିଜିଲାନ୍ସ ଟିମ୍ । ଏନେଇ ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ୨ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୬ ଜଣ ଇନସ୍ପେକ୍ଟର, ୬ ଜଣ ଏଏସ୍ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା ।