ନୂଆଦିଲ୍ଲୀ,୦୮/୦୧: ଭାରତରେ କ୍ଲାଉଡ୍ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବସାୟରେ ୩ ବିଲିୟନ ଡଲାର ବା ୨୫,୭୨୨ କୋଟି ଟଙ୍କା ନିବେଶ କରିବ ମାଇକ୍ରୋସଫ୍ଟ । ଆଗାମୀ ୨ ବର୍ଷରେ ଏହି ନିବେଶ କରାଯିବ ବୋଲି କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସତ୍ୟ ନାଦେଲା ଘୋଷଣା କରିଛନ୍ତି । ଏହାସହିତ ୨୦୩୦ ସୁଦ୍ଧା ଭାରତରେ ୧ କୋଟି ଲୋକଙ୍କୁ କମ୍ପାନି ଏଆଇ ତାଲିମ ଦେବ ବୋଲି ସେ ସୂଚନା ଦେଇଛନ୍ତି । ଗୁରୁବାର ବେଙ୍ଗାଲୁରୁରେ ଆୟୋଜିତ ‘ମାଇକ୍ରୋସଫ୍ଟ ଏଆଇ ଟୁର୍’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ନାଦେଲା ଏହି ସୂଚନା ଦେଇଛନ୍ତି । କ୍ଲାଉଡ୍ ସର୍ଭିସେସ୍ ଏବଂ ଏଆଇ ଭିତ୍ତିଭୂମିର ବର୍ଦ୍ଧିତ ଚାହିଦାକୁ ପୂରଣ କରିବାରେ ଏହି ନିବେଶ ସହାୟକ ହେବ । ଭାରତରେ ପରିବର୍ଦ୍ଧିତ ଏଆଇ ଇକୋସିଷ୍ଟମ୍ ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ନାଦେଲା । ସେ କହିଲେ ଯେ, ଦେଶରେ ୩୦,୫୦୦ରୁ ଊଦ୍ଧ୍ୱର୍ ଏଆଇ ପ୍ରକଳ୍ପର ବିକାଶ କାର୍ଯ୍ୟ ଚାଲିଛି ।
ନାଦେଲା ଆହୁରି କହିଲେ ଯେ, ଭାରତରେ ୧.୭ କୋଟି ଡେଭଲପର୍ ଅଛନ୍ତି । ୨୦୨୮ ସୁଦ୍ଧା ଏହା ଆହୁରି ବଢ଼ିଯିବ । ଦେଶରେ ଆଞ୍ଚଳିକ ସମ୍ପ୍ରସାରଣ ଯୋଜନା ଉପରେ ବିବରଣୀ ପ୍ରଦାନ କରିଛନ୍ତି ମାଇକ୍ରୋସଫ୍ଟ ସିଇଓ । ଏହା ମାଧ୍ୟମରେ କମ୍ପାନି ଏହାର ଉପସ୍ଥିତିକୁ ମଜଭୁତ କରୁଥିବା ସେ କହିଛନ୍ତି । ସତ୍ୟ ନାଦେଲ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ୍ ଲେଖି କହିଛନ୍ତି ଯେ, ଦେଶର ଏଆଇ ବିପ୍ଳବକୁ ଦ୍ରୁତ କରିବାରେ ସାହାଯ୍ୟ କରିବ ମାଇକ୍ରୋସଫ୍ଟ । ଭାରତରେ ଏଆଇ ଭିତ୍ତିଭୂମି ଏବଂ ସ୍କିଲିଂରେ ନୂଆ ନିବେଶ ଘୋଷଣା କରି କମ୍ପାନି ଅତ୍ୟନ୍ତ ଉତ୍ସାହିତ । ଭାରତକୁ ଏଆଇ-ଫାର୍ଷ୍ଟ ନେସନ୍ରେ ରୂପାନ୍ତର କରିବା ଲାଗି କମ୍ପାନିର ପ୍ରୟାସସ୍ୱରୂପ ଏହି ନିବେଶ ଘୋଷଣା କରାଯାଇଛି । ପୂର୍ବରୁ ନାଦେଲା କହିଥିଲେ ଯେ, ଭାରତରେ ଏଆଇର ଢେର ସମ୍ଭାବନା ଅଛି । ନାଦେଲା ଏହା ବି କହିଥିଲେ ଯେ, ସେ ଚାହାନ୍ତି ଅଗ୍ରଣୀ ସଫ୍ଟୱେର କମ୍ପାନି ମାଇକ୍ରୋସଫ୍ଟ ଦ୍ରୁତ ପ୍ରସାରିତ ଏଆଇ ଟେକ୍ନୋଲୋଜିର ଲାଭକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସହାୟକ ଭୂମିକା ଗ୍ରହଣ କରିବ । ସୋମବାର ସତ୍ୟ ନାଦେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ।
ଏହି ସାକ୍ଷାତ୍କାରର ଏକ ଫୋଟୋ ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ ଯେ, ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ଏହାସହିତ ସେ ଆହୁରି କହିଥିଲେ ଯେ, ଭାରତକୁ ଏଆଇ ଫାର୍ଷ୍ଟ ରାଷ୍ଟ୍ର ଭାବେ ନିର୍ମାଣ କରିବାରେ ମାଇକ୍ରୋସଫ୍ଟର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ଏବଂ ଦେଶରେ କମ୍ପାନିର ନିରନ୍ତର ସମ୍ପ୍ରସାରଣ କ୍ଷେତ୍ରରେ ଭାରତ ସରକାରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ନେଇ ଉତ୍ସାହିତ । ଏଆଇ ପ୍ଲାଟ୍ଫର୍ମର ଲାଭ ସମସ୍ତ ଭାରତୀୟଙ୍କୁ ଯେପରି ମିଳିବ ତାହାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ । ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିଜ ‘ଏକ୍ସ’ ପୋଷ୍ଟରେ ଲେଖିଥିଲେ ଯେ, ସତ୍ୟ ନାଦେଲାଙ୍କୁ ଭେଟି ସେ ଅତ୍ୟନ୍ତ ଖୁସି । ଭାରତରେ ମାଇକ୍ରୋସଫ୍ଟର ସମ୍ପ୍ରସାରଣ ଏବଂ ନିବେଶ ଯୋଜନା ବିଷୟରେ ଜାଣି ସେ ଉତ୍ସାହିତ । ସାକ୍ଷାତ୍କାର ବେଳେ ପ୍ରଯୁକ୍ତି, ନବସୃଜନ ଏବଂ ଏଆଇ ଆଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।