ନୂଆଦିଲ୍ଲୀ, ୨୦।୨: ସାମ୍ୱାଦିକଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ ମିଡିଆକୁ କୌଣସି ବୟାନ, ସମାଚାର ପ୍ରକାଶିତ କରିବା ପୂର୍ବରୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ୍ । ବେପରୁଆ ସାମ୍ବାଦିକତା ସମାଜ ପାଇଁ ଭୟାବହ ଏବଂ ଏହାର ଦୀର୍ଘକାଳୀନ ପାରିଣାମ ପଡ଼ିପାରେ । ଖଣ୍ଡପୀଠରେ କହିଛନ୍ତି 'ଖଣ୍ଡା ଅପେକ୍ଷା କଲମ ଅଧିକ ଶକ୍ତିଶାଳୀ' ।
ଦେଶର ସମସ୍ତ ସାମ୍ୱାଦିକଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ସାମ୍ୱାଦିକମାନେ କୌଣସି ବିବୃତ୍ତି, ଖବର କିମ୍ବା ମତ ପ୍ରକାଶ କରିବା ପୂର୍ବରୁ ସର୍ବାଧିକ ସତର୍କତା ଏବଂ ଦାୟିତ୍ୱ ଅବଲମ୍ବନ କରିବା ଉଚିତ୍ । ବୁଧବାର ଏକ ମାମଲାର ଶୁଣାଣିକରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି ସୁପ୍ରିମକୋର୍ଟ । ୨୦୧୪ ଜୁନ୍ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ ନେଇ ଜାତୀୟ ସ୍ତରୀୟ ଖବରକାଗଜ ଟାଇମ୍ସ ଇଣ୍ଡିଆର ସମ୍ପାଦକୀୟରେ ଅପମାନଜନକ ଲେଖା ପ୍ରକାଶିତ କରାଯାଇଥିବା ଅଭିଯୋଗକରି ଖବରକାଗଜର ସମ୍ପାଦକୀୟ ନିର୍ଦ୍ଦେଶକ ଜୟଦୀପ ବୋଷ ଏବଂ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା । ବୁଧବାର ସୁପ୍ରିମକୋର୍ଟ ଉକ୍ତ ମାନହାନି ମାମଲାକୁ ଖାରଜ କରିଦେଇଛନ୍ତି । ଶୁଣାଣି ବେଳେ ଷ୍ଟିସ୍ ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍ ଜେ.ବି. ଆର୍ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଜନତାଙ୍କର ମତକୁ ଆକାର ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ତେଣୁ ବେପରୁଆ ସାମ୍ବାଦିକତା ସମାଜ ପାଇଁ ଭୟାବହ ଏବଂ ଏହାର ଦୀର୍ଘକାଳୀନ ପାରିଣାମ ପଡ଼ିପାରେ । ସେ କହିଛନ୍ତି, ଖବରଦାତାମାନଙ୍କୁ କୌଣସି ଖବର କିମ୍ବା ମନ୍ତବ୍ୟ ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଆବଶ୍ୟକ । ଇଂରାଜୀ ଲେଖକ ବଲୱର୍ ଲିଟନ୍ ଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ଖଣ୍ଡପୀଠ କହିଛନ୍ତି, ଖଣ୍ଡା ଅପେକ୍ଷା କଲମ ଅଧିକ ଶକ୍ତିଶାଳୀ ।