ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୪୦ କୋଟିରୁ ଅଧିକ ଭକ୍ତ ମହାକୁମ୍ଭ ମେଳାକୁ ଆସି ଅମୃତ ସ୍ନାନ କରିସାରିଲେଣି। ଅତ୍ୟଧିକ ଭକ୍ତଙ୍କ ଆଗମନ ଯୋଗୁଁ ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ରାସ୍ତାମାନଙ୍କରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ଦେଖାଯାଇଛି। ଏହି ସମସ୍ୟା ଅନେକ ଦିନ ଧରି ଚାଲୁ ରହିଛି। ଏହି ପରିପ୍ରେକ୍ଷିରେ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଆମେରିକୀୟ ସଂସ୍ଥା ମ୍ୟାକ୍ସର ସହଯୋଗିତାରେ କୃତ୍ରିମ ଉପଗ୍ରହ(ସାଟେଲାଇଟ) ଦ୍ୱାରା କେତେକ ଫଟୋ ଉତ୍ତୋଳନ କରିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି।
ଗତ ଫେବୃଆରୀ ୬ ତାରିଖରେ ଉତ୍ତୋଳନ କରାଯାଇଥିବା ସାଟେଲାଇଟ୍ ଫଟୋଗୁଡ଼ିକରେ ପ୍ରୟାଗରାଜରେ ଅନେକ ରାସ୍ତା କାର ଏବଂ ବସ୍ ଦ୍ୱାରା ଜାମ୍ ହୋଇ ପଡିଥିବା ନଜରକୁ ଆସିଥିଲା। ଗତ ସପ୍ତାହ ଶେଷରେ ସହର ଏବଂ ଜାତୀୟ ରାଜପଥର ରାସ୍ତାଗୁଡ଼ିକରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଲାଗି ରହିଥିବା ଟ୍ରାଫିକ୍ ଜାମ୍ ଯୋଗୁଁ ହଜାର ହଜାର ଲୋକ ସେମାନଙ୍କ ଯାନରେ ଫସି ରହିଥିଲେ। ରିପୋର୍ଟ ଅନୁଯାୟୀ ଅନେକ ଲୋକ ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପାଇବା ପାଇଁ ସଂଘର୍ଷ ମଧ୍ୟ କରିଥିଲେ ବୋଲି ଜଣାପଡିଛି।
ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବୃଆରୀ ୮ ତାରିଖ ଦିନ ପ୍ରୟାଗରାଜରେ ପ୍ରାୟ ୧.୨୨ କୋଟି ଲୋକ ଗଙ୍ଗାରେ ପବିତ୍ର ବୁଡ଼ ପକାଇଥିଲେ। ରବିବାର ଦିନ ଏଥିରେ ବୃଦ୍ଧି ଘଟି ଏହି ସଂଖ୍ୟା ୧.୪୭ କୋଟିରେ ପହଞ୍ଚିଥିଲା। ତେବେ ଏହାପରେ ଗତ ସୋମବାର ଦିନ ପରିସ୍ଥିତିରେ ଟିକିଏ ସୁଧାର ଆସିଥିଲା। ଫେବୃଆରୀ ୧୦ ତାରିଖ ଦିନ ପ୍ରାୟ ୯୯.୮ ଲକ୍ଷ ଲୋକ ପ୍ରୟାଗରାଜରେ ପବିତ୍ର ବୁଡ ପକାଇଥିଲେ। ଯାହାଫଳରେ ରାସ୍ତାରେ ଅଟକିଥିବା ଟ୍ରାଫିକ ଜାମ୍ ଟିକିଏ କମିଥିଲା।
ଅମୃତ ସ୍ନାନର ଯୋଗ ପଡିବା ସହ ସପ୍ତାହନ୍ତ ଥିବାରୁ ଲକ୍ଷଲକ୍ଷ ଭକ୍ତ ପ୍ରାୟାଗରାଜରେ ବୁଡ ପକାଇବାକୁ ଧାଇଁ ଆସିଥିଲେ। ଯାହା ଟ୍ରାଫିକ ଜାମର ପ୍ରମୁଖ କାରଣ ବୋଲି ମହାକୁମ୍ଭର ଡିଆଇଜି ବୈଭବ କ୍ରିଷ୍ଣା ସୂଚନା ଦେଇଛନ୍ତି।
ନିଆଯାଇଥିବା ସାଟେଲାଇଟ୍ ଫଟୋରୁ ଜଣାପଡୁଛି ଯେ ଜାନୁଆରୀ ୨୯ ତାରିଖରେ ହୋଇଥିବା ଦଳାଚକଟା ଦିନ କୁମ୍ଭ ଅଞ୍ଚଳରେ ଥିବା ସଙ୍ଗମ ପାଖରେ ଥିବା ଯେଉଁ ଅଞ୍ଚଳକୁ ବନ୍ଦ କରାଯାଇଥିଲା ତାହାକୁ ଏବେ ଖୋଲି ଦିଆଯାଇଛି। ଅନେକ ଲୋକ ଆଖଡ଼ାର ସଦସ୍ୟମାନଙ୍କ ପାଇଁ ସମର୍ପିତ ଏହି ଅଞ୍ଚଳକୁ ଦଳାଚକଟାର ପରିସ୍ଥିତି ସୃଷ୍ଟି ହେବାର ପ୍ରମୁଖ କାରଣଭାବେ ଦାୟୀ କରିଛନ୍ତି। ତେବେ ଆପଣଙ୍କୁ ଜଣାଇରଖୁକି ଏହି ଦଳାଚକାଟାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା।