ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାକୁମ୍ଭ ଦଳାଚକଟା ଘଟଣା, ଏଆଇ କ୍ୟାମେରାରେ୧୨୦ ସନ୍ଦିଗ୍ଧ ଚେହେରା ଚିହ୍ନଟ

Published By : Prameya | February 4, 2025 1:31 PM

ନୂଆଦିଲ୍ଲୀ ୦୪/୦୨: ମହାକୁମ୍ଭରେ ମୌନୀ ଅମାବାସ୍ୟା  ସ୍ନାନ ପୂର୍ବରୁ ଘଟିଥିବା ଦଳାଚକଟାର  ନୂଆ ଦିଗ ସାମ୍ନାକୁ ଆସୁଛି । ଏହି ଅଘଟଣରେ ଷଡ୍‌ଯନ୍ତ୍ରର ଆଶଙ୍କା  କରାଯାଉଛି । ଗଣମାଧ୍ୟମର ରିପୋର୍ଟ  ଅନୁସାରେ, ୟୁପି ଏସ୍‌ଟିଏଫ୍‌ ଓ  ମହାକୁମ୍ଭ ମେଳାର ପୁଲିସ ଅଘଟଣକୁ  ଷଡ୍‌ଯନ୍ତ୍ର ଦିଗରୁ ଯାଞ୍ଚ୍‌ କରୁଛି । 

ସୂତ୍ର  ଅନୁସାରେ, ଘଟଣା ସମୟରେ ଥିବା ୨ ଜଣ ଲୋକ କହିଛନ୍ତି,  ଗେରୁଆ ରଙ୍ଗର ପତାକା ଧରି  କିଛି ଲୋକ ହଠାତ୍‌ ଭିଡ଼ ଭିତରକୁ ପଶିଆସିଥିଲେ । ସେମାନଙ୍କ ଯୋଗୁ  ଦଳଚକଟା ଆରମ୍ଭ ହେଲା । ଏହି ଦାବିର ସତ୍ୟତା ଲାଗି  ସିସିଟିଭି ଫୁଟେଜ୍‌ର ଯାଞ୍ଚ୍‌ କରାଯାଉଛି । ସେହି ସମୟରେ ସକ୍ରିୟ ଥିବା କିଛି ମୋବାଇଲ  ଫୋନ୍‌ ଲଗାତାର ବନ୍ଦ ଥିବା ଏସ୍‌ଟିଏଫ୍‌ ଜାଣିବାକୁ  ପାଇଛି । ଏଥିରୁ ଷଡ୍‌ଯନ୍ତ୍ର ଆଶଙ୍କାକୁ ବଳ ମିଳୁଛି ।  ଏସ୍‌ଟିଏଫ୍‌ ସଙ୍ଗମ ନୋଜ୍‌ରେ ସକ୍ରିୟ ୧୬ ହଜାରରୁ  ଅଧିକ ମୋବାଇଲ ଫୋନ୍‌ର ଯାଞ୍ଚ୍‌ କରୁଛି । ତନ୍ମଧ୍ୟରେ  ୧୦୦ରୁ ଅଧିକ ନମ୍ବର ଉପରେ ୨୪ ଘଣ୍ଟା ନଜର  ରଖାଯାଇଛି । 

ସୂଚନାଯୋଗ୍ୟ, ମହାକୁମ୍ଭରେ ଗତ ୨୮  ତାରିଖ ବିଳମ୍ବିତ ରାତି ପ୍ରାୟ ୧.୩୦ରେ ସଙ୍ଗମ ନୋଜ୍‌  ଅଞ୍ଚଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ସରକାରୀ  ତଥ୍ୟ ଅନୁସାରେ, ଏଥିରେ ୩୦ ଜଣଙ୍କ ମୃତ୍ୟୁ ଓ ୬୦  ଲୋକ ଆହତ ହୋଇଛନ୍ତି । ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି, ଘଟଣାସ୍ଥଳରେ  ଲାଗିଥିବା କ୍ୟାମେରାଗୁଡ଼ିକର  ଫୁଟେଜ୍‌ର ଫରେନ୍‌ସିକ ଯାଞ୍ଚ୍‌  ଚାଲିଛି । ସୂତ୍ର ଅନୁସାରେ, ୧୨୦  ସନ୍ଦିଗ୍ଧ ଚେହେରାକୁ ଏଆଇ  ଟେକ୍ନୋଲୋଜିରେ ଚିହ୍ନଟ  କରାଯାଇଛି । ତେବେ ଅଦ୍ୟାବଧି  କାହାକୁ ଗିରଫ କରାଯାଇ ନାହିଁ ।  ଯେଉଁ ଭିଡିଓ ସାମ୍ନାକୁ ଆସିଛି,  ସେଗୁଡ଼ିକର ମଧ୍ୟ ଫରେନ୍‌ସିକ  ବିଶ୍ଳେଷଣ କରାଯାଉଛି ।  

ଏସ୍‌ଟିଏଫ୍‌ର ଏଡିଜି ଅମିତାଭ  ୟଶ ନିଜ ଟିମ୍‌ ସହ ଗତ ରବିବାର  ମହାକୁମ୍ଭ ପହଞ୍ଚିଥିଲେ । ସେ  ସଙ୍ଗମ ନୋଜ୍‌ର ସ୍ଥିତି ବୁଲି ଦେଖିଲେ । ବୋଟ୍‌ରେ  ସଙ୍ଗମର ବ୍ୟବସ୍ଥା ଦେଖିଲେ ଏବଂ ପୁଲିସ ଅଧିକାରୀଙ୍କ  ସହ କଥା ହେଲେ । ଦଳାଚକଟା ପରେ ମହାକୁମ୍ଭ ମେଳା  କିଛି ପରିମାଣରେ ଖାଲି ହୋଇଥିଲା । କିନ୍ତୁ ବସନ୍ତ  ପଞ୍ଚମୀର ଅମୃତ ସ୍ନାନ ପାଇଁ ପୁଣି ଶ୍ରଦ୍ଧାଳୁଙ୍କ ଭିଡ଼  ଜମିଲା । ଗତ ରବିବାର ୧ କୋଟିରୁ ଅଧିକ ଶ୍ରଦ୍ଧାଳୁ  ସଙ୍ଗମରେ ବୁଡ଼ ପକାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.