ଭୁବନେଶ୍ୱର,୦୯/୦୭: ଆଗାମୀ ଦିନରେ ସୁନାବେଶରେ ଲାଗିବ ନୂଆ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ସୂଚନା ଦେଇଛନ୍ତି ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରତ୍ନ ଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନାହିଁ । ଏନେଇ ସରକାର ବ୍ୟବସ୍ଥା କରିବେ । ଭକ୍ତଙ୍କୁ ସ୍ୱର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । ଶ୍ରୀଜିଉଙ୍କର କିଛି ଅଳଙ୍କାର ପତଳା ହୋଇଗଲାଣି । କିଛି ଅଳଙ୍କାର ଦବି ଯାଇଛି ବୋଲି ସେବାୟତମାନେ ଜଣାଇଛନ୍ତି । ନିକଟରେ ଛତିଶାନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କ ଲାଗି ଆଉ ଗୋଟିଏ ଅଳଙ୍କାର ସେଟ୍ ପାଇଁ ଅନୁରୋଧ କରାଯାଇଥିଲା । ଠାକୁରଙ୍କ ଇଚ୍ଛା ଥିଲେ ଏହା ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଶେଷ ହୋଇଛି । ଆସନ୍ତା ଅଗଷ୍ଟ ମାସରେ ଗଣତି ମଣତି ହେବାର ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଦୁଇ ଜଣ ବିଶେଷଜ୍ଞ ଦେବାକୁ ଆର୍ବିଆଇକୁ ଚିଠି ଲେଖାଯିବ । ଯେଉଁମାନଙ୍କର ସୋମନାଥ ମନ୍ଦିର ଓ ବିଭିନ୍ନ ବଡ଼ ମନ୍ଦିରରେ ଅଳଙ୍କାର ଗଣତିରେ ଅଭିଜ୍ଞତା ଥିବ ସେହିଭଳି ବିଶେଷଜ୍ଞଙ୍କୁ ସାମିଲ କରାଯିବ । ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ଶତାଧିକ ବର୍ଷ ସ୍ଥାୟିତ୍ୱ ରହିବା ଭଳି ରତ୍ନଭଣ୍ଡାରକୁ ମରାମତି କରାଯାଇଛି । ମରାମତି ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିସାରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ପୁରୀ ପାଇଁ ସରକାର ବଡ଼ ଯୋଜନା କରିଛନ୍ତି । ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଏକା ସାଙ୍ଗରେ ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ଯୋଜନା ହୋଇଛି । ମନ୍ତ୍ରୀ କହିଛନ୍ତି, ଚଳିତ ରଥଯାତ୍ରା ସମୟରେ ଲାକ୍ଷାଧିକ ଭକ୍ତଙ୍କ ସମାବେଶ ପରେ ଆସନ୍ତା ବର୍ଷମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି ।
ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା, କିନ୍ତୁ ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷମାନଙ୍କରେ ଏହି ସଂଖ୍ୟା ଆହୁରି ବଢ଼ିବ । ଆସନ୍ତା ୨୦ ବର୍ଷକୁ ଦୃଷ୍ଟିରେ ରଖି ଏହି ରୂପରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ପ୍ରଶସ୍ତୀକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା ହେଉଥିବା ମନ୍ତ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।