ପୁରୀ,୦୭/୦୭: ଦ୍ୱାଦଶୀରେ ଶ୍ରୀମନ୍ଦିରରେ ଶ୍ରୀଗରୁଡ଼ ଶୟନ ନୀତି ହେବ । ଗରୁଡ଼ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା କରାଯିବ । ପର୍ବଯାତ୍ରା ଯୋଗାଣିଆ ଦେବେ ମହାସ୍ନାନ ସାମଗ୍ରୀ । ଶୁଦ୍ଧସୁଆର ପୂଜା ଠା କରିବା ପରେ ପୂଜାପଣ୍ଡା ସାମନ୍ତ ଗରୁଡ଼ଙ୍କ ମହାସ୍ନାନ ନୀତି ବଢ଼ାଇବେ । ଶୀତଳ ଭୋଗ ସହ ଆଳତି ଓ ବନ୍ଦାପନା କରାଯିବ । ନୀତିରେ ପ୍ରମୁଖ ଭୂମିକା ନେବେ ଚୂନରା ସେବକ । ପୂର୍ବ ଦିନରୁ ‘ହରିଙ୍କ ଶୟନ’ ନୀତି ହୋଇଥିଲା । ଆଜି ପ୍ରଭୁଙ୍କ ପଲଙ୍କ ନିମ୍ନରେ ଶୋଇବା ପାଇଁ ଗରୁଡ଼ଙ୍କୁ ପ୍ରାର୍ଥନା କରାଯିବ ।
ଶ୍ରୀମନ୍ଦିରରେ ରବିବାର ବିଳମ୍ବିତ ରାତିରେ ରଥ ଉପରେ ଓ ଶ୍ରୀମନ୍ଦିରରେ ହରିଶୟନ ନୀତି ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ଠାକୁରଙ୍କ ଶୟନ ସମୟରେ ମାଙ୍ଗଳିକ କାର୍ଯ୍ୟ ନିଷେଧ । କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ । ଶୟନ ଠାକୁର ଉଠିଲେ ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ହେବାରବିଧି ରହିଛି ।
ଶ୍ରୀବିଗ୍ରହଙ୍କ ସୁନାବେଶ ଉଲାଗି ପରେ ବଡ଼ସିଂହାର ଭୋଗ ବଢ଼ି ମହାସ୍ନାନ ପୂଜାଠା ହେଲା । ଏହି ସମୟରେ ତିନି ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ ଉପରକୁ ଆଣିଥିଲେ । ଶ୍ରୀବଳଭଦ୍ରଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ(ଶୟନଠାକୁର)ଙ୍କୁ ବିଜେ ହୋଇଥିଲେ । ଶୟନ ଠାକୁର ରଥାରୂଢ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ହେଲା ପରେ ମହାସ୍ନାନ ନୀତି ବଢ଼ିଲା । ସର୍ବାଙ୍ଗ ଲାଗି, ନୂଆ ପତନି ଲୁଗା ଲାଗି ଓ ମାଳଫୁଲ ଲାଗି ହେଲା । ପୂଜାପଣ୍ଡା ସାମନ୍ତ ଷୋଡ଼ଶ ଉପଚାରେ ବଲ୍ଲଭ ବଡ଼ସିଂହାର ଭୋଗ ପୂଜା ସାରି କର୍ପୂର ଆଳତି କଲେ । ଏହାପରେ ଶୟନ ଠାକୁରଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରେ ପହଞ୍ଚିଥିଲେ । ସେଠାରେ ବିଧି ମୁତାବକ ହରିଶୟନ ନୀତି ଅନୁଷ୍ଠିତ ହୋଇଥିଲା ।