ରାଜଗାଙ୍ଗପୁର, ୭/୭ : ପୂର୍ବ ଶତ୍ରୁତାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଗୋଟିଏ ସମ୍ପ୍ରଦାୟର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହଣାକଟା। ଦୁଇ ପକ୍ଷର ମୋଟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।
ସୂଚନାନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ଦିନ ୧୦ଟା ବେଳେ ଗୋଟିଏ ସମ୍ପ୍ରଦାୟର ଦୁଇ ଗୋଷ୍ଠି ମଧ୍ୟରେ ପ୍ରଥମେ ରାଜଗାଙ୍ଗପୁର ସହରର ରବାନୀ ଛକ ଓ ପରେ ସଙ୍ଗମମାର୍ଗରେ ଗଣ୍ଡଗୋଳ ହୋଇଥିଲା। ପରେ ଖଣ୍ଡା ଓ ଭୁଜାଲିରେ ଉଭୟ ଗୋଷ୍ଠି ପରସ୍ପରକୁ ଆକ୍ରମଣ କରିଥିଲେ। ଯାହାଫଳରେ ଦୁଇ ଗୋଷ୍ଠିଙ୍କ ମଧ୍ୟରୁ ୬ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବା ଜଣାପଡିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି। ରାଜଗାଙ୍ଗପୁର ସିଏଚସିରେ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।