ନୂଆଦିଲ୍ଲୀ, ୧୧/୦୧ : ପ୍ରତିଶୃତିରୁ ଆରମ୍ଭ ପ୍ରତାରଣାରେ ଶେଷ। ଆଉ ଏକ ଲିଭ୍-ଇନ୍ ପ୍ରେମର ଛାତିଥରା ଅନ୍ତ। ବାହା ହେବାକୁ ଜିଦି ଧରିଲା ବୋଲି ପ୍ରେମିକାକୁ ମାରି ଫ୍ରିଜ୍ରେ ବନ୍ଦ କରିଦେଲା ପ୍ରେମିକ। ଅସହ୍ୟ ଦୁର୍ଗନ୍ଧ ହେବାରୁ ସାମ୍ନାକୁ ଆସିଲା ସତ। ୬ ମାସ ପରେ ଭଡ଼ା ଘରୁ ମିଳିଲା ଗଳିତ ମୃତଦେହ। ମଧ୍ୟପ୍ରଦେଶ ଦେବାସର ବୃନ୍ଦାବନ ଧାମରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ। ହତ୍ୟାକାରୀ ପ୍ରେମିକକୁ ପୋଲିସ ଗିରଫ କରିଛି। ପୋଲିସ ଆଗରେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିଛି।
ସୂଚନାନୁଯାୟୀ, ବୃନ୍ଦାବନ ଧାମର ଜଣେ ବ୍ୟବସାୟୀ ଧୀରେନ୍ଦ୍ର ଶ୍ରୀବାସ୍ତବ ତାଙ୍କ ଘର ଭଡ଼ାରେ ଦେଇଛନ୍ତି। ସେ ୬ ମାସ ହେଲା ଦୁବାଇରେ ରହୁଛନ୍ତି। ସଞ୍ଜୟ ପଟିଦାର ନାମକ ଜଣେ ବ୍ୟକ୍ତି ଧୀରେନ୍ଦ୍ରଙ୍କ ଘର ଭଡ଼ାକୁ ନେଇଥିଲେ। ସେଠାରେ ସେ ତାଙ୍କ ପ୍ରେମିକା ପ୍ରତିଭା ପ୍ରଜାପତିଙ୍କ ସହ ଲିଭ୍-ଇନ୍ରେ ରହୁଥିଲେ। ଗତ ବର୍ଷ ଜୁନ୍ ମାସରେ ସଞ୍ଜୟ ଘର ଛାଡ଼ି ଦେଇଥିଲେ। ହେଲେ ସେ ଫ୍ରିଜ୍ ସମେତ ଆଉ କିଛି ଜିନିଷ ଛାଡ଼ି ଯାଇଥିଲେ। ଖୁବ୍ ଶୀଘ୍ର ଜିନିଷ ନେଇଯିବେ ବୋଲି ଘର ମାଲିକଙ୍କୁ ଫୋନ୍ରେ କହୁଥିଲେ। ତେବେ ସଞ୍ଜୟ ଘର ଛାଡ଼ିବା ପରେ ଜୁଲାଇ ମାସରେ ବଲବୀର ରାଜପୁତ ନାମକ ଆଉ ଜଣେ ବ୍ୟକ୍ତି ଉକ୍ତ ଘର ଭଡ଼ାକୁ ନେଇଥିଲେ। ତେବେ ସଞ୍ଜୟ ରହୁଥିବା ଘରେ ତାଲା ପଡ଼ିଥିବାରୁ ସେ ସେହି ଘରକୁ ବ୍ୟବହାର କରିପାରୁ ନଥିଲେ। ସେପଟେ ସଞ୍ଜୟ ତାଙ୍କ ଜିନିଷ ନନେବାରୁ ଘର ମାଲିକ ବଲବୀରଙ୍କୁ ତାଲା ଭାଙ୍ଗି ଘର ବ୍ୟବହାର କରିବାକୁ କହିଥିଲେ।
ଶେଷରେ ଗୁରୁବାର ଦିନ ସନ୍ଧ୍ୟାରେ ବଲବୀର ତାଲା ଭାଙ୍ଗି ଘର ଦେଖିଥିଲେ। ରୁମ୍ ଭିତରେ ଏକ ଫ୍ରିଜ୍ ଅନ୍ ଥିବା ଦେଖି ସେ ସ୍ଵିଚ୍ ଅଫ୍ କରି ଦେଇଥିଲେ। ପରଦିନ ଆସି ରୁମ୍ ସଫା କରିବେ ବୋଲି ଭାବିଥିଲେ। ହେଲେ ଶୁକ୍ରବାର ସକାଳୁ ରୁମ୍ ଭିତରୁ ଅସହ୍ୟ ଦୁର୍ଗନ୍ଧ ବାହାରିଥିଲା। ଏନେଇ ବଲବୀର ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଫ୍ରିଜ୍ ଖୋଲିବାରୁ ଏକ ଗଳିତ ମୃତଦେହ ବାହାରିଥିଲା। ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବାରୁ ପୂର୍ବ ଭଡ଼ାଟିଆ ସଞ୍ଜୟ ପଟିଦାରର ନାଁ ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ସଞ୍ଜୟ ପଟିଦାରଙ୍କୁ ଗିରଫ କରିଛି।
ପଚରାଉଚରା ବେଳେ ସଞ୍ଜୟ ନିଜ ଦୋଷ ସ୍ଵୀକାର କରିଛି। ସଞ୍ଜୟର କହିବା ଅନୁଯାୟୀ, ସେ ପ୍ରତିଭା ପ୍ରଜାପତିଙ୍କ ସହ ଗତ ୫ ବର୍ଷ ହେଲା ଲିଭ୍-ଇନ୍ ରିଲେସନସିପ୍ରେ ଥିଲେ। ଏହା ପୂର୍ବରୁ ସେମାନେ ୩ ବର୍ଷ ଉଜ୍ଜୈନରେ ରହିଥିଲେ। ଦୁଇ ବର୍ଷ ହେଲା ଦେବାସରେ ରହୁଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ହେଲେ ପ୍ରତିଭା ତାଙ୍କ ଉପରେ ବାରମ୍ବାର ବିବାହ ପାଇଁ ଚାପ ପକାଉଥିଲେ। ହତ୍ୟା କରିବା ଦିନ ପ୍ରତିଭା ବିବାହ ପାଇଁ ଜିଦି ଧରି ବସିଥିଲେ। ତେଣୁ ସଞ୍ଜୟ ପ୍ରତିଭାକୁ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଫ୍ରିଜ୍କୁ ହାଇମୋଡ୍ କରି ମୃତଦେହକୁ ଫ୍ରିଜ୍ରେ ଲୁଚାଇ ଦେଇଥିଲା। ଏଥିରେ ତାଙ୍କ ବନ୍ଧୁ ବିନୋଦ ଦେବ ସାହାଯ୍ୟ କରିଥିଲା। ତେବେ ବିନୋଦ ଏବେ ଅନ୍ୟ ଏକ ଅପରାଧିକ ମାମଲାରେ ରାଜସ୍ଥାନର ଏକ ଜେଲ୍ରେ ଅଛି। ପୋଲିସ ଖୁବ୍ଶୀଘ୍ର ବିନୋଦକୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।