ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଫେବ୍ରୁଆରୀ ୧୯ରୁ ଚାମ୍ପିଅନ୍ସ ଟ୍ରଫି: ସରିନି ଷ୍ଟାଡିୟମ ମରାମତି, ଜାନୁଆରୀ ୨୫ ରହିଛି ଡେଡ୍‌ଲାଇନ୍

Published By : Prameya | January 11, 2025 1:51 PM

ନୂଆଦିଲ୍ଲୀ,୧୧/୦୧: ଫେବ୍ରୁଆରୀ ୧୯ ତାରିଖରୁ ପାକିସ୍ତାନ ଓ ୟୁଏଇରେ ଆୟୋଜିତ ହେବ ଆଇସିସି ଚାମ୍ପିଅନ୍ସ  ଟ୍ରଫି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)  ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି । ନ୍ୟାସନାଲ ଷ୍ଟାଡିୟମ କରାଚି, ଗଦ୍ଦାଫି  ଷ୍ଟାଡିୟମ ଲାହୋର ଏବଂ ରାୱଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ହାଇବ୍ରିଡ୍‌ ମଡେଲରେ ଭାରତ ତା’ର ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିବାର ସୂଚୀ ଚୂଡ଼ାନ୍ତ ହୋଇଛି।ଅନ୍ତର୍ଜାତୀୟ ଗଣମାଧ୍ୟମର  ରିପୋର୍ଟ ଅନୁସାରେ, କୌଣସି ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇ ନାହିଁ ।  ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ ହେଲା ଭଳି ମନେ ହେଉ ନାହିଁ । ତେଣୁ ସେହି ସବୁ ଷ୍ଟାଡିୟମରେ କେମିତି  ମ୍ୟାଚ୍‌ ଖେଳାଯିବ ବୋଲି ପ୍ରଶ୍ନ ଉଠିଛି । 

ପିସିବି ଏହି ରିପୋର୍ଟକୁ ଖଣ୍ଡନ କରିଛି ।  ଜଣେ ଅଧିକାରୀ କହିଛନ୍ତି, ‘ନିର୍ଦ୍ଧାରିତ  ସମୟ ପୂର୍ବରୁ କାର୍ଯ୍ୟ ଶେଷ ହେବ ।  ଯେଉଁ ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ  ପ୍ରକାଶ ପାଇଛି ତାହା ମିଥ୍ୟା । ସେଥିରେ  କୌଣସି ସତ୍ୟତା ନାହିଁ ।’ ଷ୍ଟାଡିୟମ  ନିକଟରେ ବିଭିନ୍ନ କାର୍ଯ୍ୟ ଚାଲିଥିବାର କିଛି  ଫଟୋ ସୋସିଆଲ ମିଡିଆରେ ଭାଇରାଲ  ହେବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ  ଏହାକୁ ନେଇ ରିପୋର୍ଟ ପ୍ରକାଶ ପାଇଥିଲା । 

ଆଇସିସିର ୬ ଜଣିଆ ପ୍ରତିନିଧି  ଦଳ ଏବେ ପାକିସ୍ତାନ ଗସ୍ତରେ ରହିଛନ୍ତି ।  ସେମାନେ ବିଭିନ୍ନ ଷ୍ଟାଡିୟମର କାର୍ଯ୍ୟ  ତଦାରଖ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ  ସେମାନେ କରାଚିରେ ପହଞ୍ଚିଛନ୍ତି । ଯାହା  ସୂଚନା ରହିଛି, ଆସନ୍ତା ୨୫ ତାରିଖ  ସୁଦ୍ଧା ବିଭିନ୍ନ ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାର ଡେଡ୍‌ଲାଇନ  ରହିଛି । ଯଦି ସୋସିଆଲ ମିଡିଆରେ  ଭାଇରାଲ ହୋଇଥିବା ଫଟୋ ଓ  ଭିଡିଓ ସତ ହୋଇଥାଏ ତାହା ହେଲେ  ଡେଡ୍‌ଲାଇନ ପୂର୍ବରୁ କାର୍ଯ୍ୟ ଶେଷ  ହେବା ସମ୍ଭବ ନୁହେଁ । ପିସିବି ପକ୍ଷରୁ  ଦାବି କରାଯାଇଛି ଯେ, ୩ଟି ଷ୍ଟାଡିୟମର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୨ ବିଲିୟନ  ପାକିସ୍ତାନ ଟଙ୍କା ବିନିଯୋଗ କରାଯାଇଛି ।  

୨ଟି ଗ୍ରୁପ୍‌ରେ ୮ଟି ଦଳ ଚାମ୍ପିଅନ୍ସ  ଟ୍ରଫିରେ ସାମିଲ ରହିଛନ୍ତି । ଗ୍ରୁପ୍‌  ଏ’ରେ ଭାରତ, ବାଂଲାଦେଶ, ପାକିସ୍ତାନ  ଓ ନ୍ୟୁଜିଲାଣ୍ଡ ଏବଂ ଗ୍ରୁପ୍‌ ବି’ରେ  ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ  ଦକ୍ଷିଣ ଆଫ୍ରିକା ରହିଛନ୍ତି । ଫେବ୍ରୁଆରୀ  ୧୯ ତାରିଖରେ ଉଦ୍‌ଘାଟନୀ ମ୍ୟାଚ୍‌ କରାଚୀରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ  ମଧ୍ୟରେ ଖେଳାଯିବ । ଆଫଗାନିସ୍ତାନକୁ ବିରୋଧ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନକୁ  ବୟକଟ୍‌ କରାଯାଉ ବୋଲି ଇଂଲଣ୍ଡ ଓ  ଦକ୍ଷିଣ ଆଫ୍ରିକାରେ ସ୍ୱର ଉଠିଛି । ପ୍ରଥମେ  ଇଂଲଣ୍ଡର ଜଣେ ରାଜନେତା ଏ ସ୍ୱର  ଉଠାଇଥିଲେ । ଆଜି ଦକ୍ଷିଣ ଆଫ୍ରିକା କ୍ରୀଡ଼ାମନ୍ତ୍ରୀ ଗାୟଟନ ମ୍ୟାକକେଞ୍ଜିଏ  ସମାନ ସ୍ୱର ଉଠାଇଛନ୍ତି । 

ସେ କହିଛନ୍ତି,  ‘ଆଫଗାନିସ୍ତାନରେ ତାଲିବାନ ସରକାର  ମହିଳାଙ୍କ ଅଧିକାର ଏବଂ ସ୍ୱାଧୀନତାକୁ  ସଙ୍କୁଚିତ କରିଛନ୍ତି । ପୁରୁଷ ଭଳି  ମହିଳାଙ୍କୁ ମଧ୍ୟ ସମାନ ଅଧିକାର  ମିଳିବା ଦରକାର । କିନ୍ତୁ ତାଲିବାନ ସରକାର ମହିଳା କ୍ରିକେଟ୍‌ ପ୍ରତି ଆଦୌ  ଦୃଷ୍ଟି ଦେଉ ନାହାନ୍ତି । ତେଣୁ ଏହି ଦୃଷ୍ଟିରୁ  ଆଫଗାନିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ  ବୟକଟ୍‌ କରାଯିବା ଉଚିତ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.