ନୂଆଦିଲ୍ଲୀ,୧୩/୦୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବା ପରେ ବର୍ତ୍ତମାନ ଭାରତୀୟ ଜନତାପାର୍ଟିର ନଜର ବିହାର ନିର୍ବାଚନ ଉପରେ ରହିଛି । ଚଳିତ ବର୍ଷ ଶେଷ ହେବା ଭିତରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆଉ ଏହାରି ମଧ୍ୟରେ ଆର୍ଜେଡ଼ିର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀ ନିର୍ବାଚନକୁ ନେଇ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଥିବା ଭିତରେ ବିଜେପି କିପରି ବିହାରରେ ସରକାର ବନେଇବ?
ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ , ଦିଲ୍ଲୀ ନିର୍ବାଚନ ଫଳାଫଳର ପ୍ରଭାବ ବିହାର ବିଧାନସଭା ନିର୍ବାଚନରେ ପଡିବ କି ? ଏହାର ଉତ୍ତରରେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ଆରଜେଡି ସୁପ୍ରିମୋ କହିଛନ୍ତି ଯେ ଏହାର କୌଣସି ପ୍ରଭାବ ପଡିବନି । ଏବେ ଭାଜପା ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି , ବିହାରରେ ବିଜେପି କିପରି ସରକାର ବନେଇବ । ଜନତା ବିଜେପିକୁ ଚିହ୍ନି ସାରିଲାଣି । ପ୍ରକାଶ ଥାଉକି, ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି) ୭୦ଟି ଆସନରୁ ୪୮ଟିରେ ବିପୁଳ ବିଜୟ ହାସଲ କରି ଆମ ଆଦମୀ ପାର୍ଟି (ଆପ)କୁ କ୍ଷମତାରୁ ହଟାଇ ଦେଇଛି। ଆପ ୨୨ ଟି ଆସନକୁ ଥସିଥିବା ବେଳେ କଂଗ୍ରେସ ତାର ଖାତା ମଧ୍ୟ ଖୋଲିପାରିଲା ନାହିଁ। ଦିଲ୍ଲୀ ବିଜୟରେ ଉତ୍ସାହିତ ହୋଇ ବିଜେପି ଏବେ ବିହାର ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ବିହାରରେ ବିଜେପି ଏବଂ ନୀତିଶ କୁମାରଙ୍କ ଦଳ ଜେଡିୟୁ ମଧ୍ୟରେ ମେଣ୍ଟ ଅଛି। ଉଭୟ ଦଳ ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ। ବରିଷ୍ଠ ବିଜେପି ନେତାମାନେ ଘୋଷଣା କରିସାରିଛନ୍ତି ଯେ ଏଥର ନୀତିଶ କୁମାରଙ୍କ ନେତୃତ୍ୱରେ NDA ବିଧାନସଭା ନିର୍ବାଚନ ଲଢ଼ିବ। ତଥାପି, ଲାଲୁ ଯାଦବ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନର ବିହାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।