ସାଲେପୁର, ୨୮/୧୦: ପ୍ରହରାଜପୁର ଗ୍ରାମର ପ୍ରସିଦ୍ଧ ଦରଘା-ଏ-ଗୌସ୍-ଏ-ଆଜମ୍ଙ୍କ ହୁଣ୍ଡି ଭାଙ୍ଗି ଲୁଟ୍ । ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । କଟକ ଜିଲ୍ଲା କିଶନ ନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସୋମବାର ସକାଳେ ପୀଠକୁ ଆସିଥିବା ଜଣେ ଶ୍ରଦ୍ଧାଳୁ ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ଦରଗାର କର୍ମକର୍ତ୍ତାଙ୍କୁ ଖବର ଦେଇଥିଲେ । ଖବର ପାଇ କର୍ମକର୍ତ୍ତା ପୋଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ କିଶନ ନଗର ଥାନା ପୋଲିସ ଏକ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ହୁଣ୍ଡି ଭାଙ୍ଗିବା ପାଇଁ ଦୁର୍ବୃତ୍ତ ବ୍ୟବହାର କରିଥିବା ପେଚକସ୍, ପ୍ଲାସ୍ ଆଦିକୁ ସାଇଣ୍ଟିଫିକ ଟିମ୍ ଜବତ କରିଛି ।
ତେବେ ସପ୍ତାହେ ତଳେ ଦରଘାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇ ହୁଣ୍ଡିରେ ଦାନ ଅର୍ଥ ପକାଇଥିଲେ । ଏହାକୁ ଦୁର୍ବୃତ୍ତ ଲୁଟି ନେଇଥିବା ଜଣାପଡ଼ିଛି । ଅନ୍ୟପଟେ, ଦୁଇମାସ ଭିତରେ ଏହି ଅଞ୍ଚଳର ପ୍ରାୟ ୮ଟି ସ୍ଥାନରୁ ଚୋରି ହୋଇଥିଲେ ମଧ୍ୟ ପୋଲିସକୁ ସଫଳତା ମିଳିନଥିବା ଜଣାପଡ଼ିଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ପୋଲିସ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛ।