ଭୁବନେଶ୍ୱର, ୧୬।୨: ସହଦେବ ନାୟକ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ରମା ନାୟକଙ୍କ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି । ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ରମା ନାୟକଙ୍କୁ ପୋଲିସ୍ କହୁଛି ଗିରଫ କରି ଅଣାଯାଇଛି । ସହଦେବ ନାୟକଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର କରିଛି ରମା ନାୟକ । ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସହ ଅଧିକ ସୂଚନା ଦେଉଛନ୍ତି ଆମ ରିପୋର୍ଟର ପ୍ରିୟରଞ୍ଜନ ନାୟକ ।
ସୂଚନାନୁଯାୟୀ, କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବିଏମ୍ସି ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ସେ କିଛି ମାସ ଧରି ପଳାଶୁଣୀର ଏକ ଭଡ଼ାଘରେ ରହୁଥିଲେ । ଜାନୁଆରୀ ୯ ତାରିଖ ସକାଳ ୮ଟା ବେଳେ ଝିଅକୁ ସ୍କୁଲରେ ଛାଡି଼ ଏକ ନାଲି ରଙ୍ଗ ସ୍କୁଟିରେ ଭଡ଼ାଘରକୁ ଫେରୁଥିଲେ। ସ୍କୁଲ ନିକଟରୁ ୪ ଅଭିଯୁକ୍ତ ୨ଟି ବାଇକ୍ରେ ତାଙ୍କୁ ପିଛା କରୁଥିଲେ । ସହଦେବ ବାଣୀବିହାର ଛକ ପାର ହେବା ପରେ ୪ଜଣ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । କିନ୍ତୁ ସହଦେବ ସ୍କୁଟିର ବେଗ ବଢ଼ାଇ ଦ୍ରୁତଗତିରେ ଆଗକୁ ମାଡି଼ ଚାଲିଲେ ।
ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ ଜଣେ ସ୍କୁଟିକୁ ଗୋଇଠା ମାରିବାରୁ ସହଦେବ ତଳେ ପଡି଼ଗଲେ । ୪ ଅଭିଯୁକ୍ତ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଘେରିଯାଇଥିଲେ । ସହଦେବ ତାଙ୍କ ବାହୁରେ ୨ଜଣଙ୍କୁ କାବୁ କରିନେଲେ । ଉଭୟେ ମୁକୁଳିପାରିଲେନି । ଲିପିକା ବ୍ୟାଗ୍ରେ ଆଣିଥିବା ଖଣ୍ଡାକୁ ଲକ୍ଷ୍ମୀଧରକୁ ଧରାଇଥିଲେ । ଲକ୍ଷ୍ମୀଧର ଖଣ୍ଡାରେ ତାଙ୍କ ବେକକୁ ଏକ ଶକ୍ତ ଚୋଟ ମାରିଥିଲେ । ଖଣ୍ଡା ଚୋଟ ଖାଇବା ପରେ ସହଦେବ ଘାଇଲା ହୋଇ ତଳେ ପଡି଼ଗଲେ । ୩ ଅଭିଯୁକ୍ତ ତାଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ପରେ ଚୋଟ ମାରି ଚାଲିଲେ । ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଲିପିକା ଏକ ବ୍ୟାଗ୍ରେ ପୁରାଇ ଲକ୍ଷ୍ମୀଧରଙ୍କ ବାଇକ୍ (ଓଆର୍୧୯ଜେ ୭୦୨୮)ରେ ବସି ରସୁଲଗଡ଼ ଆଡ଼େ ଚମ୍ପଟ ମାରିଥିଲେ।