ଭୁବନେଶ୍ୱର,୦୮/୦୨: ଯୋଜନା ଲକ୍ଷ୍ୟଚ୍ୟୁତ । ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ସୁଫଳ ନେଉଛନ୍ତି ବାବୁମାନେ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ପ୍ରାୟ ୩୨ ପ୍ରତିଶତ ପାଣ୍ଠି ସରକାରୀ ବାବୁ, ଦଲାଲମାନେ ଲୁଟି ନେଉଛନ୍ତି । ଜାଲ ଓ ଭୂତ ଜବକାର୍ଡଧାରୀଙ୍କ ନାଁରେ ମଜୁରୀ ହଡ଼ପ କରୁଛନ୍ତି । ବର୍ଷ ବର୍ଷ ଧରି ଏମିତି ହରିଲୁଟ୍ ଚାଲୁଥିଲା ବେଳେ କାର୍ଯ୍ୟାନୁଷ୍ଠାନ କେବଳ ଧର୍ମକୁ ଆଖିଠାର । ଅନୁଧ୍ୟାନ ରିପୋର୍ଟ କହୁଛି ଓଡ଼ିଶାରେ ଚଳିତ ଆର୍ଥିକ ବର୍ଷରେ ୧୨୭୭ କୋଟି ଟଙ୍କା (ମୋଟ ଖର୍ଚ୍ଚର ୩୨%) ଲୁଟିଛନ୍ତି ସରକାରୀ ଅଧିକାରୀ । ମଜୁରୀ ଓ ସାମଗ୍ରୀ କିଣାବିକାରୁ ଏତିକି ଟଙ୍କା ବାବୁଙ୍କ ପେଟକୁ ଯାଇଛି । ମନରେଗା ଜାଲ ଜବକାର୍ଡ ଚିହ୍ନଟରେ ଦେଶର ୫ଟି ରାଜ୍ୟ ମଧ୍ୟରେ ଅଛି ଓଡ଼ିଶା ।
ପୋଖରୀ ଖୋଳା ହେଉ ଅବା ବନ୍ଧ ମରାମତି । ଖେଳ ପଡ଼ିଆ ନିର୍ମାଣରୁ କେନାଲ ମରାମତି ଓ ରାସ୍ତା ନିର୍ମାଣ । ମନରେଗା କାମରେ ଯୁଆଡ଼େ ଦେଖିଲେ ପୁଳା ପୁଳା ଦୁର୍ନୀତି । କେନ୍ଦ୍ର ସରକାରଙ୍କ ଏ ମହତ୍ ଯୋଜନା ଗରିବ ଶ୍ରମିକ ପରିବାରକୁ କାମଧନ୍ଦା ଯୋଗାଇବାରେ ଯେତିକି ସଫଳ ହେଉନି, ସରକାରୀ ବାବୁଙ୍କୁ କୋଟିପତି କରିପାରେ ଅଧିକ ସଫଳ ହେଉଛି । ସରକାରୀ ସୂଚନା କହୁଛି, ଚଳିତ ଆର୍ଥିକ ବର୍ଷରେ ମନରେଗାରେ ୩୯୯୩ କୋଟି ୫୬ ଲକ୍ଷ ଟଙ୍କା ଏଯାଏଁ ଖର୍ଚ୍ଚ ହୋଇଛି । ଏଥିରୁ ୨୫୮୦ କୋଟି ଟଙ୍କା ମଜୁରୀ ଏବଂ ସାମଗ୍ରୀ କିଣା ସହ କୁଶଳୀ ଶ୍ରମିକଙ୍କ ମଜୁରୀ ବାବଦରେ ୧୩୩୬ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୧୨ ଲକ୍ଷ ୮୨ ହଜାର ପ୍ରକଳ୍ପ କାମ ହାତକୁ ନିଆଯାଇ ୬ ଲକ୍ଷ ୯ ହଜାର କାମ ଶେଷ ହୋଇଛି । ତେବେ ଏହି ମନରେଗା କାମରେ ବର୍ଷ ବର୍ଷ ଧରି ବଡ଼ ଧରଣର ଦୁର୍ନୀତି ଲାଗି ରହିଛି ।
ଚଳିତ ଆର୍ଥିକ ବର୍ଷରେ ଏଯାଏଁ ଖର୍ଚ୍ଚ ଅର୍ଥରୁ ପ୍ରାୟ ୩୨ ପ୍ରତିଶତ ସରକାରୀ କର୍ମଚାରୀ ଓ ଦଲାଲମାନେ ଲୁଟିଛନ୍ତି ବୋଲି ନରେଗା ସଂଘର୍ଷ ମୋର୍ଚ୍ଚାର ଅନୁଧ୍ୟାନ ରିପୋର୍ଟ କହୁଛି । କେନ୍ଦ୍ର ସରକାର ୨୦୨୩ରେ ଏ ଦୁର୍ନୀତିରେ ତାଲା ମାରିବାକୁ ଡିଜିଟାଲ ପ୍ରକ୍ରିୟାରେ ଶ୍ରମିକଙ୍କ ଉପସ୍ଥାନ ନେଲେ । ନରେଗା ମୋବାଇଲ ମନିଟରିଂ ସିଷ୍ଟମ୍ (ଏନ୍ଏମ୍ଏମ୍ଏସ୍)ରେ ଏ ଉପସ୍ଥାନ ଗ୍ରହଣରେ ବ୍ୟବସ୍ଥା ରହିଲା ଯେ, ଶ୍ରମିକମାନେ କାମ କରୁଥିବା ବେଳର ଦୁଇଟି ଫଟୋ (ସକାଳେ ଓ ସନ୍ଧ୍ୟାରେ) ଏହି ଏନ୍ଏମ୍ଏମଏସ୍ ଆପ୍ରେ ଅପଲୋଡ଼ ହେବ । ଏହି ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟରେ ଏଯାଏଁ ୨ ଲକ୍ଷ ୧ ହଜାର ଜାଲ ଜବକାର୍ଡଧାରୀଙ୍କ କାର୍ଡ ଚିହ୍ନଟ ସହ ବାଦ୍ ଦିଆଯାଇଛି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଓ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ପଡ଼ିବା ପରେ ମନରେଗା ଶ୍ରମିକଙ୍କ ବ୍ୟାଙ୍କ ପାସ୍ବୁକକୁ ମାଧ୍ୟମ କରି କିଭଳି ପୁଳା ପୁଳା ଟଙ୍କା ଆୟ କରିଥିଲେ ତାହା ପଦାକୁ ଆସିଛି । ଗତ କିଛି ବର୍ଷ ହେବ ରାଜ୍ୟର ବହୁ ବ୍ଲକରେ ନରେଗା ଦୁର୍ନୀତିର ବହୁ ଅଭିଯୋଗ ଆସିଛି । ମାତ୍ର ଆଖିଦୃଶିଆ ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇନି । ପରିସଂଖ୍ୟାନ କହୁଛି, ରାଜ୍ୟରେ ୬୦ ଲକ୍ଷ ୯୯ ହଜାର ପରିବାରକୁ ଜବକାର୍ଡ ମିଳିଛି । ଏଥିରେ ୧ କୋଟି ୧ ଲକ୍ଷ ଶ୍ରମିକ ସାମିଲ ଥିଲା ବେଳେ ମାତ୍ର ୪୫ ଲକ୍ଷ ଜବକାର୍ଡରେ ୬୮ ଲକ୍ଷ ୮୪ ହଜାର ଶ୍ରମିକ ସକ୍ରିୟ ଅଛନ୍ତି । ଜାଲ ଓ ଭୂତ କାର୍ଡକୁ ମାଧ୍ୟମ କରି ବର୍ଷ ବର୍ଷ ଧରି ସରକାରୀ ବାବୁ-ଦଲାଲଙ୍କ ଅସାଧୁ ମେଣ୍ଟ ଏହି ଯୋଜନାକୁ ବାଟବଣା କରିଛି ।
କେଉଁଠି ଗୋଟିଏ ପ୍ରକଳ୍ପକୁ ଦୁଇ ଥର ବିଲ୍ କରାଯାଉଛି । ଆଉ କେଉଁଠି କାମ ନକରି ବିଲ୍ ତ ଅନ୍ୟଠି ଅତି ନିମ୍ନମାନର କାମରେ ବିଲ୍ ହେଉଛି । ସାମଗ୍ରୀ କିଣାରେ ମଧ୍ୟ ଆଖିବୁଜା ଦୁର୍ନୀତି ଅଭିଯୋଗ ହେଉଛି । ଏପରିକି ବହୁ ଜବକାର୍ଡଧାରୀ କାମ କରୁନାହାନ୍ତି । ତାଙ୍କୁ ମଷ୍ଟରରୋଲରେ ସାମିଲ କରି ମଜୁରୀ ଉଠାଯାଉଛି । ସେମାନଙ୍କ ବ୍ୟାଙ୍କ ପାସବୁକ୍ ସରକାରୀବାବୁଙ୍କ ପାଖରେ ରହୁଛି । ସାଧାରଣତଃ ମଷ୍ଟରରୋଲରେ ଶ୍ରମିକଙ୍କ ନାଁ ଏଣ୍ଟ୍ରି କରିବା କାର୍ଯ୍ୟ ଜିଆରଏସ୍ଙ୍କର । ଏହାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ମଞ୍ଜୁର କରିବା ପରେ ବିଲ୍ ଉଠିଥାଏ । କାମକୁ କନିଷ୍ଠ ଯନ୍ତ୍ରୀ ତଦାରଖ କରନ୍ତି । ମାତ୍ର ତାଳୁରୁ ତଳିପା ଯାଏଁ ସମସ୍ତେ ଏ ହରିଲୁଟରେ ସାମିଲ ହୋଇ ବିପୁଳ ପାଣ୍ଠି ହଡ଼ପ କରୁଛନ୍ତି । ଜାଲ ଜବକାର୍ଡ ଚିହ୍ନଟରେ ଦେଶର ୫ ରାଜ୍ୟ ମଧ୍ୟରେ ଅଛି ଓଡ଼ିଶା । ତାମିଲନାଡୁ, ବିହାର, ଛତିଶଗଡ଼, ଆସାମ ପରେ ଓଡ଼ିଶାରେ ସର୍ବାଧିକ ଜାଲ କାର୍ଡ ହଟାଯାଇଛି ।