କଟକ, ୧୦/୦୩: କାଠଯୋଡ଼ି ରିଂବନ୍ଧ ନିର୍ମାଣକୁ ୪୦ ବର୍ଷ ବିତିଲାଣି । ଧିରେ ଧିରେ ଏହା ଦୁର୍ବଳ ହେବାରେ ଲାଗିଲାଣି । ଯଦିଓ ବର୍ଷର ୮ ମାସ କାଠଯୋଡ଼ିରେ ପାଣି ରହୁନି, ତଥାପି ନଦୀବନ୍ଧକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି । ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ ରହିଥିବା ବୈଷୟିକ ପରାମର୍ଶଦାତା କମିଟି କାଠଯୋଡ଼ି ନଦୀବନ୍ଧକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଛି । ନଦୀ ଭିତରେ ପଥର ପ୍ୟାକିଂ ବୁରୁଜ ନିର୍ମାଣ କରାନଗଲେ କାଠଯୋଡ଼ି ବନ୍ଧକୁ ବିପଦ ରହିଥିବା କୁହାଯାଉଛି । ତେଣୁ କମିଟିର ସୁପାରିସ କ୍ରମେ ଏଠାରେ ୪ଟି ବୁରୁଜ ନିର୍ମାଣ କରାଯିବ । ଜଳସମ୍ପଦ ବିଭାଗ ତରଫରୁ ଏ ଯୋଜନାକୁ ଅନୁମୋଦନ ମିଳିଛି ।
କଟକ ସହରକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ୪୦ ବର୍ଷ ତଳେ କାଠଯୋଡ଼ି ରିଂ ବନ୍ଧର ପରିକଳ୍ପନା କରାଯାଇଥିଲା । ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ଅମଳରେ ୧୯୮୫ ମସିହା ବେଳକୁ ରିଂବନ୍ଧ ନିର୍ମାଣ କରାଯାଇଥିଲା । ଯାହାଫଳରେ ନଦୀକୂଳ ସାହିବସ୍ତିଗୁଡିକ ବନ୍ୟା ଦାଉରୁ ରକ୍ଷା ପାଇଯାଇଥିଲା । କଂଗ୍ରେସ ସରକାର ଅମଳରେ କଟକ ସହରକୁ ଏହା ସବୁଠାରୁ ବଡ଼ ଅବଦାନ ବୋଲି କୁହାଯାଏ । କିନ୍ତୁ କାଳକ୍ରମେ କାଠଯୋଡ଼ି ନଦୀ ବନ୍ଧର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଉପରନ୍ତୁ କାଠଯୋଡ଼ି ନଦୀରେ ଏକାଧିକ ବାଲିଘାଟ ପରିଚାଳନା ଏବଂ ଭାରୀଯାନ ଚଳାଚଳ କରାଗଲା । ଯାହାଫଳରେ ନଦୀବନ୍ଧ ଏବେ ଅସୁରକ୍ଷିତ ହୋଇପଡିଛି ।
କାଠଯୋଡ଼ି ନଦୀ ବନ୍ଧ ନରାଜଠାରୁ ଆରମ୍ଭ ହୋଇ ନୂଆପଡ଼ା ଯାଏ ଲମ୍ବିଛି । ନଦୀ ବନ୍ଧ ପାଶ୍ୱର୍ରେ ପଥର ପ୍ୟାକିଂ କରାଯାଇଥିବାରୁ ଏହା ଦୀର୍ଘସ୍ଥାୟୀ ବୋଲି ଆକଳନ କରାଯାଉଛି । କିନ୍ତୁ ନଦୀବନ୍ଧର କିଛି ସ୍ଥାନ ଏବେ ଦୁର୍ବଳ ପଡ଼ିଲାଣି । ତିନିମାସ ପୂର୍ବରୁ ଜଳସମ୍ପଦ ବିଭାଗର ଏକ ଅନୁଧ୍ୟାନ କମିଟି କାଠଯୋଡ଼ି ନଦୀବନ୍ଧର ବିଭିନ୍ନ ସ୍ଥାନ ଯାଞ୍ଚ୍ କରିଥିଲା । ଏହାପରେ ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଏ ବାବଦରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାଠଯୋଡ଼ିର ବାମପାଶ୍ୱର୍ ବନ୍ଧର କୂଳକୁ ସୁରକ୍ଷା ଦେବାକୁ ଆଲୋଚନା ହେବା ପରେ ଏଥିରେ ୪ଟି ବୁରୁଜ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଏ ବାବଦରେ ୯ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ କାଠଯୋଡ଼ି ନଦୀବନ୍ଧ ଦୁର୍ବଳ ହେବା ନେଇ ସମୀକ୍ଷା ହେବା ଜରୁରି ବୋଲି ମତ ପ୍ରକାଶ ପାଇଛି । କାଠଯୋଡ଼ିରେ ବାଲିଘାଟ ନିଲାମ ନେଇଥିବା ବାଲି ବ୍ୟବସାୟୀମାନେ ଏଥିପାଇଁ କାହିଁକି ଉତ୍ତରଦାୟୀ ରହିବେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । କାଠଯୋଡ଼ିରେ ପ୍ରାୟ ୫ଟି ବାଲିଘାଟ ଏବେ ପରିଚାଳିତ ହେଉଛି । ନଦୀରୁ ବାଲି ଉଠାଇ ଏମାନେ ଭାରୀଯାନରେ ଚାଲାଣ କରୁଛନ୍ତି । ଦିନରାତି କାଠଯୋଡ଼ିକୁ ଭାରୀଯାନ ଗଡୁଛି ଏବଂ ନଦୀରୁ ଉଠୁଛି । ଏହାର ପ୍ରଭାବ ବି ନଦୀବନ୍ଧ ଉପରେ ପଡୁଥିବା ଆଶଙ୍କା ରହିଛି । ତେଣୁ ବାଲିଘାଟ ବ୍ୟବସାୟୀମାନଙ୍କୁ ନଦୀ ବନ୍ଧ ଦୁର୍ବଳ ହେବା ପାଇଁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ କରିବାକୁ ମତ ପ୍ରକାଶ ପାଉଛି ।