କଟକ,୦୯/୦୩: କଟକ ସହରରେ ଗତ ବର୍ଷ ଦୋଳରେ ପ୍ରଥମ ଥର ସୁନାର ବିମାନ ତିଆରି କରି ରାଜ୍ୟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା କାଠଗଡ଼ା ସାହି ଏଥର ବି ଆକର୍ଷଣ ସାଜିବ । ଗତ ବର୍ଷ ୪ କିଲୋ ସୁନାରେ ତିଆରି ହୋଇଥିବା ଠାକୁରଙ୍କ ବିମାନରେ ଖଞ୍ଜାଯାଇଛି ୪ଟି ସୁନାର ଫୁଲ । ଯାହା ପାଖାପାଖି ୬୦୦ ଗ୍ରାମ୍ର ବୋଲି ସୂଚନା ମିଳିଛି । ସେହିପରି ରବିବାରରୁ କାଠଗଡ଼ା ସାହିର ବିମାନ ୫ଦିନିଆ ପରିକ୍ରମାରେ ବାହାରିବ । ଶନିବାର ସାଂସଦ ଭର୍ତ୍ତୃହରି ମହତାବ କାଠଗଡା଼ ସାହି ପରିଦର୍ଶନ କରି ସୁନାର ବିମାନ ବୁଲି ଦେଖିଛନ୍ତି ।
ଗତ କିଛି ବର୍ଷ ମଧ୍ୟରେ କଟକ ସହରରେ ଅନେକ ପୂଜା କମିଟି ପକ୍ଷରୁ ଚାନ୍ଦି ବିମାନ ତିଆରି କରାଯାଇଛି । ଚୌଧୁରୀବଜାର, କାଠଗଡ଼ା ସାହି, ଝୋଲାସାହି, ତେଲେଙ୍ଗାବଜାର, ସାଆନ୍ତ ସାହି, ପିଠାପୁର ସମେତ ଆହୁରି ଅନେକ କମିଟି ଚାନ୍ଦିବିମାନ ଧାରାରେ ସାମିଲ୍ ହୋଇଛନ୍ତି। ଗତ ବର୍ଷ ପ୍ରଥମ ଥର କାଠଗଡ଼ା ସାହି ଶ୍ରୀ ଶ୍ରୀ ମଦନମୋହନ ଜୀଉ ଦୁର୍ଗା କମିଟି ପକ୍ଷରୁ ସୁନାର ବିମାନ ନିର୍ମାଣ କରାଯାଇଥିଲା । ପୂର୍ବରୁ ଚାନ୍ଦିବିମାନକୁ ନେଇ ମେଳଣରେ ସାମିଲ୍ ହେଉଥିବା ଏହି କମିଟି ୨୦୨୪ମସିହା ଦୋଳ ସମୟରେ ୪କିଲୋ ସୁନାରେ ତିଆରି ସୁନାବିମାନ ତିଆରି କରି ମେଳଣକୁ ଓହ୍ଲାଇଥିଲା । ଅଢେଇ କିଲୋ ଓଜନରେ ବିମାନର ପ୍ରାୟ ୭୦ ଭାଗ କାମ ଶେଷ ହୋଇଥିଲାବେଳେ ଏଥର ଆଉ ୬ଶହ ଗ୍ରାମର ସୁନାରେ ୪ଟି ଆକର୍ଷଣୀୟ ଫୁଲ ତିଆରି କରି ଖଞ୍ଜାଯାଇଛି । ଏହାକୁ ଅଲିଶା ବଜାରର କାରିଗର ପ୍ରଦୀପ ପୃଷ୍ଟି ତିଆରି କରିଛନ୍ତି ।
ଗତ ବର୍ଷ ଭଳି ଏଥର ମଧ୍ୟ ଆର୍ମ ଫୋର୍ସଙ୍କ ଉପସ୍ଥିତିରେ ସୁନା ବିମାନ ମେଳଣକୁ ଯିବ । ତେବେ ରବିବାରରୁ ୫ଦିନିଆ ପରିକ୍ରମାରେ ବାହାରିବ ବିମାନ । ପ୍ରଥମ ଦୁଇ ଦିନ ୨୨ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀ ଓ ପରବର୍ତ୍ତୀ ଦୁଇ ଦିନ ୨୫ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳୀରେ ସାମିଲ୍ ହେବେ । ଶେଷ ଦିନ କାଠଗଡ଼ା ସାହିରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ମେଲଣରେ ସାମିଲ୍ ହେବେ ବୋଲି କମିଟି ପକ୍ଷରୁ କୁହାଯାଇଛି । ଆଜି ସାଂସଦଙ୍କ ପରିଦର୍ଶନ ସମୟରେ କାଠଗଡ଼ା ସାହି ଅଧିକାରୀ ବିରଞ୍ଚି ନାରାୟଣ ମହାରଣା, କର୍ପୋରେଟର ତଥା କାଠଗଡ଼ା ସାହି ଯୁବକସଂଘ ସମ୍ପାଦକ ଗଗନ ଓଝା, ସଭାପତି ବିଜନ ସିହ୍ନା, ସମ୍ପାଦକ ସଦାଶିବ ଓଝା ପ୍ରମୁଖ ଉପସ୍ଥିତ ରହିଥିଲେ ।