ଭୁବନେଶ୍ବର,୧୦।୩ : ହୋଲି ଉତ୍ସବ ସମୟରେ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ଚଳାଚଳ କରିବ। ଚେରଲାପାଲ୍ଲୀ (ହାଇଦ୍ରାବାଦ), କୋଲକାତା ଏବଂ ବେଙ୍ଗାଲୁରୁକୁ ଏହି ଟ୍ରେନ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି । ଏଥିସହ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଅଛି ।
ପର୍ବପର୍ବାଣି ସମୟରେ ଭାରତୀୟ ରେଳବାଇ ଅଧିକ ସଂଖ୍ୟକ ଟିକେଟ୍ ବୁକିଂର ନଜର ରହିଛି । ଯାହା ଫଳରେ ନିୟମିତ ଟ୍ରେନରେ ଟିକେଟର ଲମ୍ବା ପ୍ରତୀକ୍ଷା ତାଲିକା ଦେଖିବାକୁ ମିଳୁଛି । ଭାରତୀୟ ରେଳବାଇର ଯାତ୍ରୀ ପ୍ରୋଫାଇଲ୍ ମ୍ୟାନେଜମେଣ୍ଟ ୟୁନିଟ୍ ଯାତ୍ରୀଙ୍କ ଯାତ୍ରା ଅସୁବିଧାକୁ ଦୂର କରିବା ପାଇଁ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଉପରେ ନଜର ରଖିଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି ।
ହୋଲି ସମୟରେ ଯାତ୍ରୀମାନେ ନିୟମିତ ଟ୍ରେନରେ ପ୍ରତୀକ୍ଷା ତାଲିକା ସ୍ଥିତି ପାଉଛନ୍ତି, ତେବେ ସେମାନେ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚଳାଚଳ ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ଟ୍ରେନ୍ ଟିକେଟ ବୁକ୍ କରିପାରିବେ । ସ୍ୱତନ୍ତ୍ର ଟ୍ରେନ ନମ୍ବର "0" (ଶୂନ୍ୟ) ସହିତ ଆରମ୍ଭ ହୁଏ ଏବଂ ଯାତ୍ରୀମାନେ ଅନଲାଇନ୍ ଟିକେଟ ପାଇଁ ଆଇଆରସିଟିସି ୱେବ ସାଇଟ ମାଧ୍ୟମରେ କିମ୍ବା କାଉଣ୍ଟର ଟିକେଟ ପାଇଁ ପିଆରଏସ କାଉଣ୍ଟର ଯାଇ ଟିକେଟ ବୁକ କରିପାରିବ ସହ ଟ୍ରେନ ସମ୍ବନ୍ଧରେ ଜାଣିବା ପାଇଁ ଜାତୀୟ ଟ୍ରେନ୍ ସୂଚନା ପ୍ରଣାଳୀ (ଏନଟିଇଏସ) ରୁ ସହଜରେ ପାଇପାରିବେ ।
ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ଚଲାଇ ଏବଂ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରୁଅଛି । ଯାତ୍ରୀମାନେ ଆଇଆରସିଟିସି ୱେବସାଇଟ୍ ଅନୁସରଣ କରି କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରି କିମ୍ବା ପିଆରଏସ କାଉଣ୍ଟରରୁ ଟିକେଟ ବୁକ୍ କରିବା ସହ ଅନଲାଇନରେ ସେମାନଙ୍କର ଟିକେଟ ବୁକ୍ କରିପାରିବେ । ପୂର୍ବତଟ ରେଳପଥ ମଧ୍ୟ ସମ୍ପ୍ରତି ସ୍ୱତନ୍ତ୍ର ଟ୍ରେନ୍ ଚଲାଇବା ବିଷୟରେ ସୂଚନା ଦେଇଛି । ଯାତ୍ରୀମାନେ ପୂର୍ବତଟ ରେଳପଥ ଫେସବୁକ୍ ପେଜ୍ @EASTCOASTRailway ଏବଂ ଟ୍ୱିଟର୍ ଆକାଉଣ୍ଟ @EastCoastRail କୁ ଅନୁସରଣ କରି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଜାଣିପାରିବେ ।
ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ) ହୋଲି ସ୍ପେଶାଲ୍:
୦୮୪୭୯/୦୮୪୮୦ ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ)-ଭୁବନେଶ୍ୱର ହୋଲି ସ୍ପେଶାଲ୍ ୧୦ ମାର୍ଚ୍ଚରୁ ୨୪ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ସୋମବାର ମଧ୍ୟାହ୍ନ ୧୨ଘ.୧୦ମି.ରେ ଭୁବନେଶ୍ୱରରୁ ଛାଡିବ । ଫେରିବା ମାର୍ଗରେ ଚେରଲାପାଲି-ଭୁବନେଶ୍ୱର ହୋଲି ସ୍ପେଶାଲ୍ ୧୧ ମାର୍ଚ୍ଚରୁ ୨୫ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ମଙ୍ଗଳବାର ପୂର୍ବାହ୍ନ ୯ଟା.୫୦ମି.ରେ ଚେରଲାପାଲିରୁ ଛାଡି ଭୁବନେଶ୍ୱର ଯାତ୍ରା କରିବ ।
ପୁରୀ-କୋଲକାତା ହୋଲି ସ୍ପେଶାଲ୍:
୦୩୧୦୧/୦୩୧୦୨ କୋଲକାତା-ପୁରୀ-କୋଲକାତା ହୋଲି ସ୍ପେଶାଲ୍ ଟ୍ରେନ ମାର୍ଚ୍ଚ ୧୩, ୧୮ ଏବଂ ୨୦ ରାତ୍ରି ୧୧ଘ.୫୦ମି.ରେ କୋଲକାତାରୁ ଛାଡିବ । ଫେରିବା ଦିଗରେ ପୁରୀରୁ ୦୩୧୦୨ପୁରୀ-କୋଲକାତା ହୋଲି ସ୍ପେଶାଲ୍ ୧୪, ୧୯ ଏବଂ ୨୧ ମାର୍ଚ୍ଚ ଅପରାହ୍ନ ୦୩ଟା.୩୦ମି.ରେ ଛାଡି କୋଲକାତା ଯାତ୍ରା କରିବ ।
ବିଶାଖାପାଟଣା-ବେଙ୍ଗାଲୁରୁ ହୋଲି ସ୍ପେଶାଲ୍:
୦୮୫୪୯/୦୮୫୫୦ ବିଶାଖାପାଟଣା - ବେଙ୍ଗାଲୁରୁ - ବିଶାଖାପାଟଣା ହୋଲି ସ୍ପେଶାଲ୍ ବିଶାଖାପାଟଣାରୁ ୯ ମାର୍ଚ୍ଚରୁ ୨୩ମାର୍ଚ୍ଚ ମଧ୍ୟରେ ପ୍ରତି ରବିବାର ଅପରାହ୍ନ ୩ଟା ୩୦ ମି.ରେ ଛାଡି ବେଙ୍ଗାଲୁରୁ ଯାତ୍ରା କରିବ । ଫେରିବା ସମୟରେ ଏହି ଟ୍ରେନ ବେଙ୍ଗାଲୁରୁରୁ ୧୦ ମାର୍ଚ୍ଚରୁ ୨୪ ମାର୍ଚ୍ଚ ମଧ୍ୟରେ ପ୍ରତି ସୋମବାର ଅପରାହ୍ନ ୩ଟା୫୦ ମି.ରେ ଛାଡି ବିଶାଖାପାଟଣା ଯାତ୍ରା କରିବ ।
ସେହିପରି ସ୍ପେଶାଲ୍ ଟ୍ରେନଗୁଡ଼ିକର ସେବା ଅଧିକ ବୃଦ୍ଧି କରାଯାଇଛି। ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍: ବ୍ରହ୍ମପୁର-ବିଜିଆନଗରମ୍-ରାୟଗଡ଼ା-ଟିଟିଲାଗଡ଼ ଏବଂ ରାୟପୁର ମାର୍ଗ ଦେଇ ୦୯୦୫୯/୦୯୦୬୦ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍-ଉଧନା ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ୨୦୨୫ ଏପ୍ରିଲ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି ।
୦୨୮୩୭/୦୨୮୩୮ ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସାପ୍ତାହିକ ବିଶେଷ ଟ୍ରେନ, ୦୨୮୩୯/୦୨୮୪୦ଶାଲିମାର-ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ ଏବଂ ୦୮୦୧୧/୦୮୦୧୨ ଭଞ୍ଜପୁର (ବାରିପଦା)-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍ ଟ୍ରେନ ଚଳାଚଳ ଅବଧିକୁ ଜୁନ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୦୨୮୧୧/୦୨୮୧୨ ଭୁବନେଶ୍ୱର-ଯଶବନ୍ତପୁର (ବାଙ୍ଗାଲୋର)-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍, ୦୮୩୧୧/୦୮୩୧୨ସମ୍ବଲପୁର-ଏରୋଡ୍ (ତାମିଲନାଡୁ)-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍, ୦୮୫୦୮/୦୮୫୦୭ ବିଶାଖାପାଟଣା-ଶାଲିମାର-ବିଶାଖାପାଟଣା ସାପ୍ତାହିକ ସ୍ପେଶାଲ୍ ଏବଂ ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଦୈନିକ ଚଳାଚଳ କରୁଥିବା ସ୍ପେଶାଲ୍ ଟ୍ରେନ ସେବାକୁ ଏପ୍ରିଲ୍ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି, ୦୮୫୮୩/୦୮୫୮୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସାପ୍ତାହିକ ସ୍ପେଶାଲ୍ ଟ୍ରେନ ଚଳାଚଳ ଦିବସକୁ ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।