କେନ୍ଦ୍ରାପଡ଼ା/ମହାକାଳପଡ଼ା,୧୨/୦୨ : ଈଶ୍ୱରଙ୍କ କୃପା ଓ ଆଶୀର୍ବାଦ ପାଇବା ପାଇଁ ସମସ୍ତେ ମନ୍ଦିରରେ ଦେବଦେବୀଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଆଉ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି। ହେଲେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଦେବାଦେବୀଙ୍କ ପରିବର୍ତ୍ତେ କବିଙ୍କୁ ପୂଜା କରାଯାଏ । ତାହା ପୁଣି କେଉଁ ଆବହମାନ କାଳରୁ । ସେହି ମହାନ ବିଦ୍ୱାନ କବି ହେଲେ ମହାମୂର୍ଖରୁ ମହାପଣ୍ଡିତ ପାଲଟିଥିବା କବି କାଳିଦାସ । ଦେବୀ ସରସ୍ୱତୀଙ୍କ ଆଶୀର୍ବାଦରୁ ସେ ପାଲଟିଥିଲେ ବିଦ୍ୱାନ ପଣ୍ଡିତ । ଆଉ ତାଙ୍କ ରଚନା ହୋଇଥିଲା କାଳଜୟୀ ମହାକାବ୍ୟ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅଧୀନ ବବକରପୁର ଗାଁରେ ରହିଛି କବି କାଳିଦାସଙ୍କ ମନ୍ଦିର । ଗାଁ ଲୋକେ କାଳିଦାସଙ୍କୁ ଗାଁର ଇଷ୍ଟ ଦେବତା ଭାବି ପୂଜାର୍ଚ୍ଚନା କରି ଆସୁଛନ୍ତି ।
ଲୋକକଥା ଅନୁସାରେ, ଏକଦା କୁଜଙ୍ଗ ରାଜାଙ୍କ ସୈନ୍ୟ ସାମନ୍ତ କାଳିଦାସଙ୍କ କଳା ମୁଗୁନି ପଥରରେ ତିଆରି ମୂର୍ତ୍ତିକୁ ଚୋରି କରି ନେଇ ଯାଉଥିବା ସମୟରେ ମୂର୍ତ୍ତିର ଓଜନ ଭାରି ହୋଇ ପଡ଼ିବାରୁ ସୈନ୍ୟମାନେ ବିଲ ଭେଡ଼ାରେ ଛାଡ଼ି ଚାଲି ଯାଇଥିଲେ । ଏହା ପରେ ଗାଁର ମୁରବିଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସ୍ୱପ୍ନାଦେଶ ଅନୁଯାୟୀ ଗ୍ରାମବାସୀ କାଳିଦାସଙ୍କ ମୂର୍ତ୍ତିକୁ ନେଇ ଗାଁରେ ଏକ କୁଡ଼ିଆ ଘରେ ରଖି ପୂଜାର୍ଚ୍ଚନା କରିଥିଲେ । ଦକ୍ଷିଣ ହସ୍ତରେ ପଦ୍ମ ଓ ବାମ ହସ୍ତରେ କଇଁ ନାଡ଼ ଥିବାରୁ ଏହା କାଳିଦାସଙ୍କ ମୂର୍ତ୍ତି ବୋଲି ଚିହ୍ନଟ କରିଥିଲେ । ଯେଉଁ ଜମିରେ କାଳିଦାସଙ୍କ ମୂର୍ତ୍ତି ପଡ଼ିଥିଲା, ତାହା କାଳିଦାସ ଭେଡ଼ା ନାଁରେ ରେକର୍ଡଭୁକ୍ତ କରିଥିଲେ ଜମିଦାର । କାଳିଦାସଙ୍କ ମୂର୍ତ୍ତି ପାଖରେ ଗ୍ରାମଦେବତୀ ମା’ କନକ ମଧ୍ୟ ପୂଜା ପାଉଛନ୍ତି ।
ସ୍ଥାନୀୟ ପୂଜକ ସତ୍ୟବାନ ମିଶ୍ରଙ୍କ ସୂଚନା ଅନୁସାରେ, ପୂର୍ବରୁ କାଳିଦାସ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ମାଟି ଘରେ ପୂଜା ପାଉଥିଲେ । ଦିବଙ୍ଗତ ଜମିଦାର ବଳରାମ ରାୟ ସଂସ୍କୃତି ସଂପନ୍ନ ତଥା ବିଦ୍ୱାନ ଥିଲେ । ସେ ୧୮୦୨ ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । କାଳିଦାସଙ୍କ ପୂଜାର୍ଚ୍ଚନା ପରମ୍ପରା ୧୦୦୦ ବର୍ଷରୁ ଅଧିକ ପୁରୁଣା । କାଳିଦାସଙ୍କ ପୀଠରେ ପୂଜାର୍ଚ୍ଚନା କରୁଥିବା ପୂଜକ କାଳିଦାସଙ୍କ ସଂସ୍କୃତ କୃତି ବାବଦରେ ପ୍ରାଞ୍ଜଳ ଭାବେ ଅବଗତ । ସେ ସନ୍ଧ୍ୟାରେ କାଳିଦାସଙ୍କ ରଚିତ କବିତା ଓ ନାଟକ ଆବୃତ୍ତି କରନ୍ତି । କାଳିଦାସଙ୍କ ରଚିତ ରତୁସମ୍ଭାରମ୍, ମେଘଦୂତମ୍, କୁମାର ସମ୍ଭବମ୍, ମାଳବିକାଗ୍ନିମିତ୍ରମ୍, ଅଭିଜ୍ଞାନଶାକୁନ୍ତଳମ୍ ମନ୍ଦିରରେ ପ୍ରତ୍ୟହ ଆବୃତ୍ତି କରାଯାଏ । କାଳିଦାସଙ୍କ ପୀଠରେ ପ୍ରମୁଖ ପର୍ବପବାଣି ମଧ୍ୟରେ ପଣାସଂକ୍ରାନ୍ତି, ମକର ସଂକ୍ରାନ୍ତି, କାର୍ତ୍ତିକ ପୂଣ୍ଣିମା, ଅଗ୍ନିଉତ୍ସବ ଆଦି ଅନ୍ୟତମ । କାର୍ତ୍ତିକ ପୂର୍ଣ୍ଣିମାରେ ସପ୍ତାହ ବସେ । ଭାଗବତ ପାରାୟଣ ହୋଇଥାଏ । ପ୍ରତ୍ୟେକ ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ସ୍ୱତନ୍ତ୍ର ନୀତିକାନ୍ତି ହୁଏ । ସକାଳେ ବାଳଭୋଗ, ଆଳତି ହୁଏ । ମଧ୍ୟାହ୍ନରେ ଖିରି ଓ ଖେଚୁଡ଼ି ଭୋଗ ହୁଏ । ସନ୍ଧ୍ୟାରେ ଆଳତି ସହିତ ପ୍ରସାଦ ଓ ରାତିରେ ଫଳଭୋଗ ହୁଏ ।
କାର୍ତ୍ତିକ ମାସ ନବମୀ ଦିନ କାଳିଦାସଙ୍କ ଜନ୍ମ ଦିବସ ପାଳନ କରାଯାଏ ଓ ଭାଗବତ ପାରାୟଣ ହୋଇଥାଏ । ସରସ୍ୱତୀଙ୍କ ବରପୁତ୍ର କାଳିଦାସ ହୋଇଥିବାରୁ ଶ୍ରୀପଞ୍ଚମୀ ଦିନ ଏହି ମନ୍ଦିରରେ ବିଦ୍ୟାର୍ଥୀମାନଙ୍କ ଭିଡ଼ ଜମେ । ଗାଁରେ କୌଣସି ବିପଦ ଆପଦ ପଡ଼ିଲେ କାଳିଦାସ ରକ୍ଷା କରନ୍ତି ବୋଲି ଜନଶ୍ରୁତି ରହିଛି । କାଳିଦାସ ଫାଉଣ୍ଡେସନ ପକ୍ଷରୁ ଅଞ୍ଚଳର ସାମାଜିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୱାନଙ୍କୁ କାଳିଦାସ ସମ୍ମାନରେ ସମ୍ମାନିତ କରାଯାଏ । ତେବେ ଏହି ଐତିହାସିକ ପୀଠକୁ ପର୍ଯ୍ୟଟନ ବିଭାଗ ହାତକୁ ନେଇ କାଳିଦାସଙ୍କ ଉପରେ ଗବେଷଣା କରିବା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ୧୯୫୨ ମସିହାରେ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ମନ୍ଦିର କର୍ତ୍ତୃପକ୍ଷ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି, ବିଭିନ୍ନ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ପରିଚାଳନାରେ ଅସୁବିଧା ହେଉଛି । ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପାଇଁ ରାଜା ୫ ଏକର ଭୂସମ୍ପତ୍ତି ଦାନ କରିଥିବା କୁହାଯାଏ ।