ନୂଆଦିଲ୍ଲୀ: ପ୍ରୟାଗରାଜ... ଅର୍ପଣ, ତର୍ପଣ ଓ ସମର୍ପଣର ଦେବଭୂମୀ। ମାଘରେ ଉତ୍ସବମୁଖର କୁମ୍ଭ ମେଳା। ଭାବଭକ୍ତିର ଚଉହଦି ଭିତରେ ଭାବାବେଗର ଲମ୍ବା ଲାଇନ। ଭକ୍ତିର ଧାଡିରେ ଟ୍ରାଫିକ ଜାମ୍। ଆଉ ଖାସ ସେଇଥିପାଇଁ ଦେବଭୂମିର ଦୁଆର ବନ୍ଧରେ ପହଞ୍ଚିବାପାଇଁ ଭକ୍ତ ବାଛିଛି ଦେବୀ ଗଙ୍ଗାଙ୍କ କୋଳ। ସୂଦୁର ବିହାରରୁ ପ୍ରୟାଗରାଜକୁ ଯିବାକୁ ବାଟ କାଢିଛନ୍ତି ଡଙ୍ଗାରେ, ଦୁଇଦିନ ହେଲା ଭକ୍ତି ରସରେ ଭାସି ଆସିଛନ୍ତି ଗଙ୍ଗାରେ। ପହଞ୍ଚିଛନ୍ତି ତ୍ରିବେଣୀ ସଙ୍ଗମରେ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିହାରର ବକ୍ସର ଜିଲ୍ଲାରୁ ସାତ ଜଣ ଲୋକ କୁମ୍ଭ ମେଳାରେ ଯୋଗ ଦେବା ପାଇଁ ନଦୀ ଯୋଗେ ୫୫୦ କିଲୋମିଟରର ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ନଦୀପଥର ଏହି ରାସ୍ତା ଅତିକ୍ରମ କରିବାକୁ ସେମାନଙ୍କୁ ପ୍ରାୟ ଦୁଇଦିନର ସମୟ ଲାଗିଥିଲା। ତେବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ଭିଡିଓ ଭାଇରାଲ ହେବା ପରେ ଏ ସମ୍ପର୍କିତ ଖବର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
जहां चाह वहां राह ....बिहारी जुगाड़
— Abhinav Kumar jha 🇮🇳 (@abhikumar70) February 17, 2025
छोड़ो ट्रेन,प्लेन और बस की झंझट , नाव से ही चल दिए प्रयागराज।
सोशल मीडिया पर वीडियो वायरल हैं। #PrayagrajMahakumbh #PrayagrajMahakumbh2025 #Bihar #viralvideo #viral pic.twitter.com/73v4DchoRa
ତେବେ ସମସ୍ତ ସାତ ଜଣ ଯାତ୍ରୀ ଫେବୃଆରୀ ୮ ତାରିଖରେ ମହାକୁମ୍ଭରେ ଯୋଗ ଦେବାକୁ ମନସ୍ଥ କରିଥିଲେ। କିନ୍ତୁ ଟ୍ରେନ, ବସ ଭଳି ସମସ୍ତ ପରିବହନ କ୍ଷେତ୍ରରେ ଭିଡ ଓ ଜାମ୍ ଲାଗି ରହିଥିଲା। ତେଣୁ ସମସ୍ତ ଭକ୍ତ ଏକ ନୂଆ ଉପାୟ ଅବଲମ୍ବନ କରି ଏକ ବୋଟ ଯୋଗେ ମହାକୁମ୍ଭକୁ ଯିବା ପାଇଁ ଚିନ୍ତା କରିଥିଲେ। ସେମାନେ ଏକ ମୋଟର ଚାଳିତ ଡଙ୍ଗାରେ ଦୁଇଟି ଇଞ୍ଜିନ ଫିଟ କରି ମହାକୁମ୍ଭରେ ଯୋଗ ଦେବାକୁ ବାହାରି ଯାଇଥିଲେ।
ସୁଖଦେବ ଚୌଧୁରି ନାମକ ଜଣେ ଭକ୍ତ ଏହି ଦଳର ନେତୃତ୍ୱ ନେଇ ରାସନ, ପାଣି ଓ ଇନ୍ଧନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେଇ ମହାକୁମ୍ଭରେ ଯୋଗ ଦେବାପାଇଁ ବକ୍ସରରୁ ପ୍ରୟାଗରାଜ ଅଭିମୁଖେ ଫେବୃଆରୀ ୧୧ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ଜଣ ଜଣ କରି ବୋଟ ଚଳାଇବା ସହ ଫେବୃଆରୀ ୧୩ ତାରିଖ ସକାଳେ ମହାକୁମ୍ଭରେ ପହଞ୍ଚିଥିଲେ।
ଏହି ଯାତ୍ରା ପାଇଁ ସେମାନଙ୍କର ମୋଟ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣା ପଡିଛି। ଇନ୍ଧନ, ଖାଦ୍ୟ ଓ ଆବଶ୍ୟକିୟ ସାମଗ୍ରୀ ଉପରେ ଏହି ସମସ୍ତ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।