ନୂଆଦିଲ୍ଲୀ: ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜସ୍ ବଟଲର । ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ସେ କହିଛନ୍ତି, ଏହି ନିଷ୍ପତ୍ତି ଟିମ୍ ଓ ମୋ ପାଇଁ ଏହା ହିଁ ଭଲ । ଅନ୍ୟ କେହି ଆସିବେ, କୋଚ୍ ମ୍ୟାକଲମଙ୍କ ସହ ଦାୟିତ୍ୱ ସମ୍ଭାଳିବେ ଏବଂ ଟିମ୍କୁ ସେହି ସ୍ଥାନକୁ ନେଇ ଯିବେ, ଯେଉଁଠି ରହିବା ଦରକାର । ଆଫଗାନିସ୍ତାନ ଠାରୁ ପରାସ୍ତ ହୋଇ ଇଂଲଣ୍ଡ ଚାମ୍ପିଅନ୍ସ ଟ୍ରଫି ୨୦୨୫ରୁ ବିଦା ହେବା ପରେ ବଟ୍ଲର୍ ନିଜର ଇସ୍ତଫା ଘୋଷଣା କରିଛନ୍ତି ।
ବଟଲର କହିଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ମୋ କ୍ୟାପ୍ଟେନ୍ସି ପାଇଁ ଅଧିକ ଗୁରୁତ୍ୱ ରଖୁଥିଲା । କିନ୍ତୁ ପରିଣାମ ଆମ ସପକ୍ଷରେ ଗଲା ନାହିଁ । ଏଥିପାଇଁ କ୍ୟାପ୍ଟେନ୍ସି ଛାଡ଼ିବାର ଏହା ହିଁ ଉପଯୁକ୍ତ ସମୟ ବୋଲି ମୁଁ ଅନୁଭବ କରୁଛି । ଜସ୍ ବଟ୍ଲର୍ ୨୦୨୨ ଜୁନ୍ରେ ମର୍ଗାନଙ୍କ ପରେ ଇଂଲଣ୍ଡର କ୍ୟାପ୍ଟେନ ହୋଇଥିଲେ । ତେବେ କ୍ୟାପ୍ଟେନ ଭାବେ ସେ ଅଧିକ ସଫଳ ହୋଇପାରିନାହାନ୍ତି । ଇଂଲଣ୍ଡ ପାଇଁ ୩୪ଟି ମ୍ୟାଚ୍ରେ ସେ କ୍ୟାପ୍ଟେନ୍ସି କରିଥିବା ବେଳେ ୨୨ଟିରେ ପରାଜିତ ହୋଇଛନ୍ତି ।
ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ପରାଜିତ ହୋଇଥିଲା ଇଂଲଣ୍ଡ । ଏହାପରେ ଲାହୋରରେ ଆଫଗାନିସ୍ତାନ ବିପକ୍ଷରେ ବି ଇଂଲଣ୍ଡ ଶୋଚନୀୟ ଭାବେ ପାରଜିତ ହୋଇଥିଲା । ଏହା ବଟ୍ଲର୍ଙ୍କ ନେତୃତ୍ୱରେ ଲଗାତାର ସପ୍ତମ ପରାଜୟ ଥିଲା । ଏହା ପୂର୍ବରୁ ଭାରତ ଗସ୍ତରେ ଆସି ଇଂଲଣ୍ଡ ୩-୦ରେ ପରାଜିତ ହୋଇଥିଲା । ସେହିପରି ଟି-୨୦ ସିରିଜକୁ ୪-୧ରେ ହାରିଥିଲା ।