ପ୍ରୟାଗରାଜ ୦୮/୦୨: ମହାକୁମ୍ଭରେ ଜଟା ପାର୍ଲର ଖୋଲିଛନ୍ତି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଏଲିଜା ବାଇ ରାଠୋର । ସେଠାକୁ ଅଦ୍ୟାବଧି ଅନେକ ସଂଖ୍ୟାରେ ସାଧୁ, ସନ୍ଥ ନିଜ ଜଟାର ଯତ୍ନ ଲାଗି ଆସିଛନ୍ତି । ଏହାଛଡ଼ା ବହୁ ଯୁବକଯୁବତୀ ବି ସେଠାରୁ କୃତ୍ରିମ ଜଟା ଧାରଣ କରୁଛନ୍ତି । ସ୍ୱାଧ୍ୱୀ ହର୍ଷା ରିଛାରିୟାଙ୍କ ଭଳି ଚର୍ଚ୍ଚିତ ଚେହେରା ସେଠାରୁ କୃତ୍ରିମ ଜଟା ଲଗାଇଥିବା ଏଲିଜା ବାଇ କହିଛନ୍ତି ।
ମାୟାନଗରୀ ମୁମ୍ବାଇରେ ବଢ଼ିଥିଲେ ଉତ୍ତରପ୍ରଦେଶ ଜୌନପୁରର ମୂଳ ବାସିନ୍ଦା ଏଲିଜା । ତାଙ୍କ ବାପା ଜଣେ ବ୍ୟବସାୟୀ, ମା’ ଗୃହିଣୀ । ତୃତୀୟ ଲିଙ୍ଗୀ ହୋଇଥିବା କାରଣରୁ ତାଙ୍କର ଜୀବନ କେବେ ସାମାନ୍ୟ ନ ଥିଲା । ଅବଶ୍ୟ ଅନେକ କଷ୍ଟର ସାମ୍ନା କରିଥିଲେ ବି କେବେ ଆତ୍ମବିଶ୍ୱାସ ହରାଇନଥିଲେ ସେ । ପଢ଼ାପଢ଼ିରେ ବେଶ୍ ଭଲ ଥିବାରୁ ସଫ୍ଟୱେର ଇଞ୍ଜିନିୟରିଂ ପଢ଼ିଥିଲେ । ମୁମ୍ବାଇରେ ଏକ ବହୁରାଷ୍ଟ୍ରୀୟ କଂପାନିରେ ବେଶ୍ ମୋଟା ଅଙ୍କର ଦରମାରେ ଚାକିରି ବି କରିଥିଲେ । କିନ୍ତୁ ତୃତୀୟଲିଙ୍ଗୀ ହୋଇଥିବାରୁ କାର୍ଯ୍ୟସ୍ଥଳରେ ଅନେକ ସମୟରେ ତାଙ୍କୁ ଖରାପ ଟିପ୍ପଣୀ ଶୁଣିବାକୁ ମିଳୁଥିଲା । ଏଥିଯୋଗୁ ମାନସିକ ଅବସାଦର ଶିକାର ହୋଇଥିଲେ ଏଲିଜା । ପରେ ଚାକିରି ଛାଡ଼ି ଉଜ୍ଜୟିନୀ ପଳାଇଥିଲେ । ସେଠାରେ ତାଙ୍କର ସାକ୍ଷାତ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହିତ ହୋଇଥିଲା । ଗୁରୁ ଦୀକ୍ଷା ନେବା ପରେ କିନ୍ନର ଆଖଡ଼ାର ସଦସ୍ୟ ପାଲଟିଥିଲେ ସେ । ପରେ ତାଙ୍କୁ ଆଖଡ଼ାରେ ମହାମଣ୍ଡଳେଶ୍ୱର ପଦ ମିଳିଥିଲା ।
ଜଟା ପାର୍ଲର ସଂପର୍କରେ ଏଲିଜା କହିଛନ୍ତି, ସେ ଅନେକ ମନ୍ଦିର, ବାରାଣସୀ ଘାଟକୁ ଯାଇଥିଲେ । ସେଠାରେ ବହୁ ସାଧୁସନ୍ଥଙ୍କୁ ଭେଟିଥିଲେ ଯେଉଁମାନଙ୍କର ଜଟା ବେଶ୍ ବଢ଼ିଯାଇଥିଲା, କିନ୍ତୁ ସେମାନେ ତା’ର ଯତ୍ନ ନେଇପାରୁନଥିଲେ । ଏହା ଦେଖି ଜଟା ପାର୍ଲର କରିବା କଥା ତାଙ୍କ ମନକୁ ଆସିଥିଲା । ୧୦ ବର୍ଷ ପୂର୍ବରୁ ଫ୍ରାନ୍ସର ଜଣେ ଟ୍ରେନରଙ୍କଠାରୁ ଏ ସଂପର୍କରେ ତାଲିମ ନେଇଥିଲେ ସେ । ପରବର୍ତ୍ତୀ ୨ ବର୍ଷ ଧରି ଫ୍ରିଲାନ୍ସିଂ କରିଥିଲେ । ଏହାପରେ ଉଜ୍ଜୟିନୀରେ ନିଜର ଏକାଡେମୀ ଖୋଲିଥିଲେ । ତାହା ଦେଶର ପ୍ରଥମ ଜଟା ଏକାଡେମୀ । ୨୦୧୮ରେ ସେ ନିଜ ଏକାଡେମୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏବେ ତାଙ୍କ ପାଖରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ଜଟାର ଯତ୍ନ ନେବା, କୃତ୍ରିମ ଜଟା ଲଗାଇବାର ତାଲିମ ନେଉଛନ୍ତି । ଅନେକ ସାଧୁସନ୍ଥ ବି ସେମାନଙ୍କ ଜଟାର ଯତ୍ନ ଲାଗି ଆସୁଛନ୍ତି । ଯେଉଁ ମହିଳାମାନଙ୍କର କେଶର ଘନତ୍ୱ କମ୍ ସେମାନେ ନକଲି କେଶ ଲଗାଇବାକୁ ପହଞ୍ଚୁଛନ୍ତି ।
ଏଲିଜାଙ୍କ ଅନୁସାରେ, ଜଟା ପାର୍ଲରରେ ଗୁଣବତ୍ତା ଅନୁସାରେ ଅର୍ଥ ପଇଠ କରିବାକୁ ହୋଇଥାଏ । ନକଲି ଜଟା ତିଆରି ଲାଗି ୮ ହଜାରରୁ ଦେଢ଼ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହୁଏ । ଏକ ସ୍ୱତନ୍ତ୍ର ଟେକନିକ୍ ବ୍ୟବହାର କରାଯାଇ କେଶକୁ ଜଟାର ସ୍ୱରୂପ ଦିଆଯାଏ । ଥରେ ଜଟା ହୋଇଗଲେ ତାକୁ ଖୋଲିବା ଲାଗି ବି ବହୁତ ସମୟ ଲାଗେ । ୪ରୁ ନେଇ ୧୭ ଫୁଟ ଲମ୍ବା ଯାଏ ଜଟା ତିଆରି ହୋଇପାରିବ । ୧.୬୫ ଲକ୍ଷ ଟଙ୍କାର ପ୍ୟାକେଜ୍ରେ ୧୬ ଫୁଟ ଲମ୍ବାର ଜଟା ଲଗାଯାଏ । ତାର ଉପଯୁକ୍ତ ଯତ୍ନ ବି ନିଆଯାଇଥାଏ । ଜଟା ଲାଗି ଫ୍ରାନ୍ସ, ଜାପାନ ଭଳି ଦେଶରେ କେଶ ପ୍ରସ୍ତୁତ କରାଯାଏ । ଅସଲି କେଶ ବ୍ୟତୀତ ଫାଇବର କେଶ ବି ଏଥିରେ ବ୍ୟବହାର ହୋଇଥାଏ । ଜଟା ଲଗାଇବା ଲାଗି ମୁଣ୍ଡରେ କେଶ ଥିବା ଜରୁରି । ମୂଳ କେଶ ସହିତ ନକଲି ଜଟାକୁ ଯୋଡି଼କରି ଲଗାଯାଇଥାଏ । ବିଦେଶରେ ଜଟା ଲଗାଇବା ଏକ ଫ୍ୟାଶନ୍ । ସେଠାରେ ଯୁବଗୋଷ୍ଠୀ ଏହାକୁ ବେଶ୍ ପସନ୍ଦ କରିଥାନ୍ତି । ସେହିପରି ଅନେକ ବଲିଉଡ୍ ଫିଲ୍ମରେ ଜଟା ଲଗାଇବାର କାମ କରିଥିବା ଏଲିଜା ପ୍ରକାଶ କରିଛନ୍ତି ।