ପୁରୀ,୧୪/୦୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଭାବେ ପରିଚିତ ଜଗନ୍ନାଥ ବଲ୍ଲଭ ମଠର ଅନ୍ୟତମ ପରିଚୟ ହେଉଛି ଏଠାରେ ହେଉଥିବା ମାଟି କୁସ୍ତି । ତେବେ ବିକାଶ ନାଁରେ ଜଗନ୍ନାଥ ବଲ୍ଲଭର ଏହି ପରିଚୟ ହଜିଯିବାକୁ ବସିଛି । ବିକାଶମୂଳକ କାର୍ଯ୍ୟରେ ବଲ୍ଲଭର ମାଟି କୁସ୍ତି ପିଣ୍ଡି ଲୋପ ପାଇଛି । ଏହାକୁ ଭଙ୍ଗାଯିବା ସମୟରେ ଜୋରଦାର ବିରୋଧ ହୋଇଥିଲା । ତେବେ ପୁନଃ କୁସ୍ତି ପିଣ୍ଡି ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା । ହେଲେ ୨ ବର୍ଷ ବିତିଥିଲେ ବି ମାଟି କୁସ୍ତି ପିଣ୍ଡି ନିର୍ମାଣ ହୋଇପାରିନି । ଏଣୁ ପଣା ସଂକ୍ରାନ୍ତିରେ କୁସ୍ତି ଯୋଦ୍ଧାଙ୍କ ବୀର ରଡ଼ିରେ ପ୍ରକମ୍ପିତ ହେଉଥିବା ଜଗନ୍ନାଥ ବଲ୍ଲଭ ଏବେ ନିରବ ହୋଇଯାଇଛି । ୨ ବର୍ଷ ହେବ ପଣା ସଂକ୍ରାନ୍ତିରେ ମାଟି କୁସ୍ତି ଅନୁଷ୍ଠିତ ହେଉନି । ଜଗନ୍ନାଥ ବଲ୍ଲଭ ମାଟି କୁସ୍ତି ପିଣ୍ଡି ସ୍ଥାନ ମାଟିରେ ମିଶିଯିବା ସହ ଏହି ପରମ୍ପରା ମଧ୍ୟ ମାଟିରେ ମିଶିବାକୁ ଯାଉଛି । ମାଟି କୁସ୍ତି ପିଣ୍ଡିକୁ ଭାଙ୍ଗି ସେହି ସ୍ଥାନରେ ଯାତ୍ରୀଙ୍କ ପାଇଁ ଉଠା ଟଏଲେଟ୍ ନିର୍ମାଣ କରାଯାଇଛି । ଏହା ସହ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ କୁସ୍ତି ଖେଳର ଏହି ପବିତ୍ର ସ୍ଥାନ ଏହାର ପବିତ୍ରତା ହରାଇଛି ।
ଜଗନ୍ନାଥବଲ୍ଲଭ ମଧ୍ୟରେ ଥିବା ସୁଗ୍ରୀବ ମହାବୀର ମନ୍ଦିର ନିକଟସ୍ଥ କୁସ୍ତି ଆଖଡ଼ାରେ ବର୍ଷକ ବାରମାସ କୁସ୍ତି କସରତ ଓ ଶରୀରଚର୍ଯ୍ୟା ଚାଲିଥାଏ । ଶହଶହ ଭେଣ୍ଡିଆ ଏଠାକୁ ଆସି ଦୈନିକ କୁସ୍ତି ଅଭ୍ୟାସ କରିଥାନ୍ତି । ବର୍ଷକ ଯାକର ଅଭ୍ୟାସକୁ ନେଇ ପଣା ସଂକ୍ରାନ୍ତିରେ ହୋଇଥାଏ ପ୍ରତିଯୋଗିତା । ଏଥିପାଇଁ ପଣା ସଂକ୍ରାନ୍ତିର ମାସକ ଆଗକୁ କୁସ୍ତି ପିଣ୍ଡିର ମାଟି ପ୍ରସ୍ତୁତି କାମ ଆରମ୍ଭ ହୋଇଯାଏ । ପର୍ଯ୍ୟାୟ କ୍ରମେ ଫଗୁ, ନିମପତ୍ର, ହଳଦୀ, ଅଗୁର, ଲେମ୍ବୁ ଇତ୍ୟାଦି ସାମଗ୍ରୀ ପଡ଼ି ବନମାଟିକୁ ପାଗ କରାଯାଏ । ପଣାସଂକ୍ରାନ୍ତି ପୂର୍ବ ଦିନ ପିଣ୍ଡିକୁ ଆମ୍ବପତ୍ର ଫୁଲରେ ସଜାଯାଇଥାଏ । ପଣାସଂକ୍ରାନ୍ତି ଦିନ ଏହି ପରିସର ଉତ୍ସବମୁଖର ହୋଇଉଠେ । ପିଲାଠାରୁ ବୁଢ଼ା ସଭିଏଁ ଏଠାରେ କୁସ୍ତି ଖେଳରେ ଭାଗ ନିଅନ୍ତି । ଶିଶୁଟିଏ ଶିକ୍ଷା ଆରମ୍ଭ କରିବା ପାଇଁ ଗଣେଶ ପୂଜା ସରସ୍ୱତୀ ପୂଜାରେ ଖଡ଼ି ଛୁଆଁଣି ଭଳି ନୂଆ କୁସ୍ତି ଖେଳାଳିଟିଏ ପଣା ସଂକ୍ରାନ୍ତି ତିଥିରେ ଏହି ମାଟି ପିଣ୍ଡିରୁ ନିଜର କୁସ୍ତି ଖେଳର ବ୍ରହ୍ମା, ବିଷ୍ଣୁ ମହେଶ୍ୱର ଆରମ୍ଭ କରିଥାଏ । ଭେଣ୍ଡିଆମାନେ ପଣା ସଂକ୍ରାନ୍ତି ଦିନ ମହାବୀରଙ୍କ ପାଖରେ ମାଜଣା କରି ତାଙ୍କ ଠାରେ ନୂଆ କାଚ୍ଛା ଲାଗି କରି ତାହାକୁ ପିନ୍ଧିଥାନ୍ତି । ସୁଗ୍ରୀବ ମହାବୀରଙ୍କ ପାଖରେ ଲାଗି ହୋଇଥିବା ପଣା ପିଇ ଦେହରେ ରାମରଜ ବୋଳି ହୋଇ ଭେଣ୍ଡିଆମାନେ ମୈଦାନକୁ ଓହ୍ଲାନ୍ତି ।
ଶତାବ୍ଦୀ ଶତାବ୍ଦୀ ପୁରୁଣା ଏହି ପରମ୍ପରା ୨୦୨୩ ଯାଏଁ ବି ବଜାୟ ରହିଥିଲା । ହେଲେ ଗତବର୍ଷ ବଲ୍ଲଭ ମଧ୍ୟ ଦେଇ ଶ୍ରୀମାର୍ଗ ଯାଇଥିବାରୁ ଏହି ରାସ୍ତା କଡ଼ରେ ହିଁ କୁସ୍ତି ମୈଦାନ ବଳି ପଡ଼ିଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଏହି କୁସ୍ତି ମୈଦାନରେ ଉଠା ଟଏଲେଟ୍ ମଧ୍ୟ ରଖାଯାଇଛି । ଏନେଇ ଉଦ୍ବେଗ ପ୍ରକାଶ କରି କୁସ୍ତି ଖେଳାଳି ହରିହର ଦାସ କହିଛନ୍ତି, କୁସ୍ତି ଖେଳ ଶ୍ରୀକ୍ଷେତ୍ରର ପରିଚୟ । ପ୍ରତ୍ୟେକ ଦିନ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଶହଶହ ଭେଣ୍ଡିଆ କୁସ୍ତି ଅଭ୍ୟାସ କରୁଥିଲେ । ହେଲେ କୁସ୍ତି ପିଣ୍ଡି ମାଟିରେ ମିଶିଯିବା ଶ୍ରୀଜଗନ୍ନାଥ ସଂସ୍କୃତି ମାଟିରେ ମିଶିବା ସହ ସମାନ ।
କୁସ୍ତି ପିଣ୍ଡିର ସନ୍ତକକୁ ସାଇତିବାକୁ ଏଠାରେ ଥିବା ମାଟିକୁ ପାଖାପାଖି ୧୦୦ଟି ବସ୍ତାରେ ବାନ୍ଧି ରାସ୍ତା କଡ଼ରେ ରଖାଯାଇଛି । ୧୦ରୁ ୧୫ ବର୍ଷ ତଳେ କୁସ୍ତି ପିଣ୍ଡିର ଉପରେ ଛାତ ପକାଇ ଏହା ଉପରେ ଏକ ହଲ୍ରେ ବିଭିନ୍ନ କ୍ରୀଡ଼ା ଉପକରଣ ରଖାଯାଇଥିଲା । ଶତାଧିକ ଯୁବକ ଏଠାକୁ ଆସି ଶରୀରଚର୍ଯ୍ୟା କରୁଥିଲେ । ହେଲେ ଏହାକୁ ଭାଙ୍ଗି ଦିଆଯାଇଥିବାରୁ ଏହି କ୍ରୀଡ଼ା ଉପକରଣକୁ ଏକ ଛୋଟିଆ ଘରେ ସଂରକ୍ଷିତ କରି ରଖାଯାଇଛି । ସୁଗ୍ରୀବ ମହାବୀର ମନ୍ଦିର ପଛ ପାଶ୍ୱର୍ରେ କୁସ୍ତି ଖେଳୁଥିବା ଭେଣ୍ଡିଆଙ୍କ ସ୍ନାନ ପାଇଁ ଏକ ଆଖଡ଼ା ପୋଖରୀ ମଧ୍ୟ ରହିଥିଲା। ଏହି ପୋଖରୀରେ ଯୁବତୀଙ୍କ ପ୍ରବେଶ ନିଷେଧ ଥିଲା । ୨୦୧୫ରେ ଏହି ଆଖଡ଼ା ପୋଖରୀର ପୁନରୁଦ୍ଧାର କରାଯିବା ସହ ପୋଖରୀ ଚାରିପଟେ ପଥର ଚଉକି ରଖାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଆଖଡ଼ା ପୋଖରୀ ଏବେ ଦଳ ଓ ବଣବୁଦାରେ ଭର୍ତ୍ତି ହୋଇ ଶେଷ ନିଃଶ୍ୱାସ ନେଉଛି ।